କବାଟବନ୍ଧ/ଚଢ଼େଇଧରା: ମୁକୁଳା ଖାଦାନ ନେଇଗଲା ଜଣେ ଯୁବକଙ୍କ ଜୀବନ। କାମ ସାରି ଚଲାବାଟ ଦେଇ ଘରକୁ ଫେରୁଥିଲେ। ହେଲେ ଘରେ ପହଞ୍ଚି ପାରିଲେନି। ବାଟରେ ପଥର ଖାଦାନରେ ପଡ଼ିଗଲେ। ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଲୁଣିବେର କଳାପଥର ଖାଦାନରେ ଆଜି ଏହି ଅଘଟଣ ଘଟିଛି। ମୃତଯୁବକ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅଧୀନ ପିଙ୍ଗୁଆ ଗ୍ରାମର ରବି ଦେହୁରୀଙ୍କ ପୁଅ ରାଜୁ ଦେହୁରୀ (୨୮) ବୋଲି ଜଣାଯାଇଛି। ଖବର ପାଇ ଜେନାପୁର ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଡାକ୍ତରଖାନା ପଠାଇଛି। ମୃତ ଯୁବକଙ୍କ ବାପାଙ୍କ ଲିଖିତ ଅଭିଯୋଗ ମୁତାବକ ଏ ସଂକ୍ରାନ୍ତରେ ୮/୨୩ରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରାଯାଉଛି ବୋଲି ଆଇଆଇସି ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ ରାଜୁ ଯାଜପୁରରୋଡ୍‌ରେ ପାଇପ୍ ମିସ୍ତ୍ରି ଭାବେ କାମ କରନ୍ତି। ସେ ଘରକୁ ଫେରୁଥିଲେ ବୋଲି କୁହାଯାଉଛି। ତେବେ ସେ କେଉଁଠାରୁ ଘରକୁ ଫେରୁଥିଲେ ଏବଂ କେଉଁ ପରିସ୍ଥିତିରେ ସେ ଖାଦାନ ପଟ ହୋଇ ଫେରୁଥିଲେ, ସେ ସଂପର୍କରେ କୌଣସି ସୂଚନା ମିଳିନାହିଁ ବୋଲି ଜେନାପୁର ପୁଲିସ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ରାଜୁ ପଥର ଖାଦାନରେ କାମ କରୁଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନଥିଲେ ହେଁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଚର୍ଚ୍ଚା ହେଉଛି। ଏହାର ଉପଯୁକ୍ତ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଆଲୋଚନା ହେଉଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଧର୍ମଶାଳା ତହସିଲ ଅଞ୍ଚଳର ଖଣିଖାଦାନଗୁଡ଼ିକ ଅତ୍ୟନ୍ତ ଅସୁରକ୍ଷିତ ଅବସ୍ଥାରେ ରହିଛି। କୌଣସି ଖାଦାନରେ ତାରବାଡ଼ ନାହିଁ। ବିରାଟ ବିରାଟ ଗର୍ତ୍ତକରି ଆବଶ୍ୟକତାଠାରୁ ଅଧିକା କଳାପଥର ଲୁଟ୍‌ ହେଉଛି। କେବଳ ମଣିଷ ନୁହେଁ, ଅନେକ ସମୟରେ ଗୋରୁଗାଈ ଓ ଗୃହପାଳିତ ପ୍ରାଣୀ ଖାଦାନରେ ପଡ଼ି ମୃତ୍ୟୁମୁଖରେ ପଡୁଛନ୍ତି। ରାଜସ୍ବ ବିଭାଗ ତଥା ସ୍ଥାନୀୟ ପୁଲିସ ଏଥିପ୍ରତି ଦୃଷ୍ଟିଦେଇ ବିହିତ ପଦକ୍ଷେପ ନେବା ପାଇଁ ଦାବି ହୋଇଛି। ଧନଜୀବନର ସୁରକ୍ଷା ପାଇଁ ମୁକୁଳା ଖାଦାନଗୁଡ଼ିକରେ ତାରବାଡ଼ ଘେରାଇବାକୁ ଦାବି ହୋଇଛି।