ନକଲି ସୁନା ଶଙ୍ଖ ଦେଇ ୩ ଲକ୍ଷ ଠକେଇ, ଡାବୁଗାଁ ଥାନାରେ ମାମଲା ରୁଜୁ

ଡାବୁଗାଁ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଂଚଳରେ ପୁଣି ଜଣେ ନକଲି ସୁନା ଶଙ୍ଖ ଠକେଇର ଶିକାର ହୋଇଛନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ବାଲିଡିହା ଗ୍ରାମର ମିଥୁନ ବେହେରା ଏହି ଠକେଇର ଶିକାର ହୋଇଛନ୍ତି। ଡାବୁଗାଁ ଥାନା ଅଂଚଳରେ ଜଣେ ନକଲି ସୁନା ଶଙ୍ଖ ଦେଇ ୩ ଲକ୍ଷ ଟଙ୍କା ଠକି ନେଇଛି। ଏ ନେଇ ମିଥୁନ ବେହେରା ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଞ୍ଚଳ ବାଲିଡିହା ଗ୍ରାମର ମିଥୁନ ବେହେରା ଭାଇ ବିକାଶ ବେହେରା ସହ ଭୁବନେଶ୍ୱରରେ ଠିକା କାର୍ଯ୍ୟ କରନ୍ତି। ଡାବୁଗାଁ ଥାନା କୋଇଲାରି ଗ୍ରାମର ସନସାଏ ଗୌଡ ଦାଦନ ଶ୍ରମିକ ଭାବେ ଭୁବନେଶ୍ୱର ଯାଇ କାର୍ଯ୍ୟ କରୁଥିଲା। ଇତି ମଧ୍ୟରେ ମିଥୁନ ବେହେରା ଓ କୋଇଲାରି ଗ୍ରାମର ସନସାଏ ଗୌଡ ମଧ୍ୟରେ ସମ୍ପର୍କ ଗଡ଼ି ଉଠିଥିଲା। ଦିନେ ସନସାଏ ଗୌଡ ଡାବୁଗାଁରେ ଆନୁମାନିକ ୬ ଲକ୍ଷ ମୂଲ୍ୟର ସୁନା ଶଙ୍ଖ ଆମ ପାଖରେ ଅଛି ବୋଲି ମିଥୁନ ବେହେରାକୁ କହିଥିଲା ଏବଂ ତୁମେ ନେଲେ ତାହାକୁ ୩ ଲକ୍ଷ ଟଙ୍କାରେ ଦେଇ ଦେବି କହିଲା। ଏଥିରେ ଲୋଭ ହୋଇ ମିଥୁନ ବେହେରା ଗତ ଡିସେମ୍ବର ମାସ ୨୦ ତାରିଖରେ ଡାବୁଗାଁ ଥାନା ଅଞ୍ଚଳ ଝରିଗୁଡ଼ା ଜଙ୍ଗଲରେ ପୂର୍ବରୁ ଅପେକ୍ଷା କରିଥିବା ସନସାଏ ଗୌଡ ଓ ତା ସହ ଅନ୍ୟ ୩ ଜଣଙ୍କୁ ସାକ୍ଷାତ କରି ନକଲି ସୁନା ଶଙ୍ଖ ତାଙ୍କ ଠାରୁ ନେଇ ୩ ଲକ୍ଷ ଟଙ୍କା ଦେଇଥିଲା। ୬ ଲକ୍ଷର ସୁନା ଶଙ୍ଖ ୩ ଲକ୍ଷ ଟଙ୍କାରେ ପାଇଗଲି ବୋଲି ଖୁସିରେ ମିଥୁନ ପୁରୀ ଚାଲିଗଲା। ସେଠାରେ ଯାଇ ସୁନା ଶଙ୍ଖକୁ ପରୀକ୍ଷା କରିବା ପରେ ତାହା ନକଲି ସୁନା ଶଙ୍ଖ ବୋଲି ଜଣା ପଡିଲା। ଏହା ପରେ କୋଇଲାରି ଗ୍ରାମର ସନସାଏ ଗୌଡକୁ ଯୋଗାଯୋଗ କରିବାକୁ ଚେଷ୍ଠା କରି ବିଫଳ ହେବା ପରେ ଗତକାଲି ରବିବାର ମିଥୁନ ବେହେରା ଡାବୁଗାଁ ଥାନାରେ ସନସାଏ ଗୌଡ ବିରୁଦ୍ଧରେ ଠକାମିର ଶିକାର ହୋଇଥିବା ନେଇ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ଡାବୁଗାଁ ପୁଲିସ କେଶ୍ ନ ୦୯/୨୦୨୦ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର