ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ; ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟିପିଟି ମାରିଦେଇଥିଲା

ହାଟଡ଼ିହି: ନିଜ ସ୍ତ୍ରୀ ମଧୁସ୍ମିତା ନାୟକକୁ ହତ୍ୟା ମାମଲାରେ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ନନ୍ଦିପଦା ଥାନା ଅଣା ଗ୍ରାମର ପ୍ରଦୀପ ମଲ୍ଲିକଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଏଥି ସହିତ ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ୧୦ ହଜାର ଟଙ୍କାର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ହତ୍ୟାକାଣ୍ଡ ପରେ ତଥ୍ୟ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଅଧିକ ୩ ବର୍ଷ ଜେଲ୍ ସହ ଅତିରିକ୍ତ ୫ ହଜାର ଟଙ୍କା ଅର୍ଥଦଣ୍ଡ ମଧ୍ୟ ହୋଇଛି। ମୋଟ୍ ୩୧ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ କୋର୍ଟ ଏହି ମାମଲାର ରାୟ ଶୁଣାଇଛନ୍ତି।

ପ୍ରଦୀପ ଓ ମଧୁସ୍ମିତା ପରସ୍ପରକୁ ପ୍ରେମ ବିବାହ କରିଥିଲେ । ଉଭୟ ଯାତ୍ରା ପାର୍ଟିରେ କାମ କରୁଥିଲେ। ହେଲେ କୌଣସି କାରଣକୁ କେନ୍ଦ୍ରକରି ପ୍ରଦୀପ ନିଜ ସ୍ତ୍ରୀ ମଧୁସ୍ମିତାଙ୍କ ଚରିତ୍ରକୁ ସନ୍ଦେହ କରି ତାକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିବା ପରେ ନିଜ ବାଡ଼ିରେ ପୋତି ଦେଇ ଫେରାର ହୋଇଥିଲା । ଘଟଣାର ପ୍ରାୟ ମାସକ ପରେ ସେହି ସ୍ଥାନରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକେ ସନ୍ଦେହ କରି ପୁଲିସକୁ ଖବର କରିଥିଲେ। ପୁଲିସ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ମାଟି ଖୋଳି ମୃତଦେହ ଉଦ୍ଧାର କରିଥିଲା। ପରେ ସ୍ଥାନୀୟ ଗ୍ରାମରକ୍ଷୀ ଗୌରାଙ୍ଗ ଜେନାଙ୍କ ଏତଲା ଆଧାରରେ ନନ୍ଦିପଦା ଥାନାରେ ଦଫା ୩୦୨ ଓ ୨୦୧ରେ ମାମଲା ରୁଜୁ କରି ଅଭିଯୁକ୍ତ ସ୍ବାମୀ ପ୍ରଦୀପ ମଲ୍ଲିକକୁ ପୋଲିସ ଗିରଫ କରିଥିଲା।

ସମ୍ବନ୍ଧିତ ଖବର