ଗଛ ମଞ୍ଚାରେ ବିତୁଛି ଜୀବନ

କେନ୍ଦୁଝର (ସୁବ୍ରତ ସ୍ୱାଇଁ/ସୁଧାଂଶୁ ସାହୁ): ମୁଣ୍ଡ ଗୁଞ୍ଜିବାକୁ ଚାଳ ନାହିଁ କି ଆହାର ମୁଠେ ଯୋଗାଡ଼ କରିବାକୁ ସାମର୍ଥ୍ୟ ନାହିଁ। ଏଭଳି ସ୍ଥିତିରେ ଜଙ୍ଗଲ ଭିତରେ ଏକ ଗଛ ମଞ୍ଚାରେ ରହୁଛନ୍ତି କେନ୍ଦୁଝର ସଦର ବ୍ଲକ କୁସୁମିତା ଗ୍ରାମର ମାଟିଆ ମୁଣ୍ଡା। ପାଖାପାଖି ବର୍ଷେ କାଳ ଏମିତି ବିପଦସଙ୍କୁଳ ଅବସ୍ଥାରେ ମାଟିଆଙ୍କ ଜୀବନ ବିତି ଚାଲିଥିବା ବେଳେ ଏପଟେ ଗ୍ରାମାଞ୍ଚଳ ଗୃହ ନିର୍ମାଣ କ୍ଷେତ୍ରରେ ପ୍ରଥମ ପୁରସ୍କାର ହାସଲ କରି ବାହାବା ନେଉଛି କେନ୍ଦୁଝର ଜିଲ୍ଲା ପ୍ରଶାସନ।

ଘଟଣାଟି ଏମିତି। କେନ୍ଦୁଝର ଜିଲ୍ଲା ସଦର ବ୍ଲକ ବରଦାପାଳ ପଞ୍ଚାୟତରେ ରହିଛି କୁସୁମିତା ଗାଁ। ଏହି ଗାଁ’ର ବାସିନ୍ଦା ହେଉଛନ୍ତି ମାଟିଆ ମୁଣ୍ଡା। ବୟସ ପାଖାପାଖି ୩୭। ମାଟିଆ ଜଣେ ଦିନ ମଜୁରିଆ। ୪ ବର୍ଷ ତଳୁ ପତ୍ନୀ ସୁକମତି ମୁଣ୍ଡାଙ୍କର ପରଲୋକ ଘଟିଛି। ପତ୍ନୀ ଥିବା ବେଳେ କୌଣସି ମତେ ଦୁଇଜଣ ମୂଲପାତି କରି ଚଳି ଯାଉଥିଲେ। ତେବେ ପତ୍ନୀଙ୍କ ଦେହାନ୍ତ ପରେ ଛୋଟ ଛୁଆଙ୍କୁ ଚଳାଇବା କଷ୍ଟକର ହେଲା। ବହୁ ଚେଷ୍ଟା ସତ୍ତ୍ୱେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ କରି ପାରିଲେନି ଗରିବ ମାଟିଆ। ପ୍ରଶାସନକୁ ଜଣାଇ ଥକିଗଲେ ସିନା, ନା ମିଳିଲା ଇନ୍ଦିରା ଆବାସ ନା ବିଜୁ ପକ୍କା ଘର। ଖାଲି ସେତିକି ନୁହେଁ, ଖାଦ୍ୟ ନିରାପତ୍ତା ଯୋଜନାରେ ରାସନ୍‌ କାର୍ଡ ବି ମିଳିଲାନି।

ନାନା ଦହଗଞ୍ଜ ହେବା ପରେ ଶେଷକୁ ବଡ଼ ଝିଅ ମେଞ୍ଜି ମୁଣ୍ଡା (୮) ଓ ରଇବାରୀ ମୁଣ୍ଡା (୭)ଙ୍କୁ ଅଜାଙ୍କ ଘରକୁ ପଠାଇ ଦେଲେ। ସାନପୁଅ ମିଥୁନ ମୁଣ୍ଡା(୫) ମହାଦେଇଯୋଡ଼ାସ୍ଥିତ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲ୍‌ରେ ରହୁଛି। ପତ୍ନୀ ମରିଯିବା ପରେ ଅସହାୟ ମାଟିଆ ମୁଣ୍ଡା କିଛି ଦିନ ଦୁଃଖକଷ୍ଟରେ ଚଳିବା ପରେ ଏବେ ଗଛ ମଞ୍ଚାକୁ ଘର କରି ନେଇଛନ୍ତି। ପ୍ରାୟ ବର୍ଷେ ହେଲା ଗାଁ ପାଖ ଜଙ୍ଗଲରେ ଏକ ବଡ଼ ଗଛ ଉପରେ ମଞ୍ଚା ବାନ୍ଧି ଜରି ପାଲ ଟାଙ୍ଗିଛନ୍ତି। ଗଛ ମୂଳେ ରୋଷେଇ କରିବା ସହିତ ନିଜର ସମ୍ବଳ କହୁଥିବା ୪ଟି ଛେଳିକୁ ବାନ୍ଧୁଛନ୍ତି। ଦିନତମାମ କାମଧନ୍ଦା ନ ହେଲେ ଛେଳି ଚରାରେ ସମୟ କଟୁଛି। ସନ୍ଧ୍ୟା ପୂର୍ବରୁ ରୋଷେଇ ସରିବା ପରେ ମାଟିଆ ଖାଇପିଇ ମଞ୍ଚା ଉପରକୁ ଯାଇ ଶୋଇପଡ଼ନ୍ତି। ବହୁ ଦିନ ପର୍ଯ୍ୟନ୍ତ ବିନା ମଶାରିରେ ଶୋଉଥିଲେ ମାଟିଆ। କିଛି ଦିନ ତଳେ ତାଙ୍କୁ ମିଳିଛି ଏକ ମଶାରି। ଯେବେ ପୁଅଝିଅ ବାପା ପାଖକୁ ଆସନ୍ତି, ସେମାନେ ମଧ୍ୟ ମାଟିଆଙ୍କ ସହିତ ମଞ୍ଚାରେ ରୁହନ୍ତି ।

ସମ୍ବନ୍ଧିତ ଖବର