ଦିବ୍ୟାଙ୍ଗଙ୍କ ପାଇଁ ବରଦାନ: ୩୦ ବ‌ର୍ଷରେ ୬ ଶହ ଉପକୃତ

ଆଞ୍ଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ରର ଦିବ୍ୟାଙ୍ଗ ସେବା

ରାଉରକେଲା: ଦୁର୍ଘଟଣାଜନିତ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଯେଉଁମାନେ ଗୋଡ଼ହାତ ହରାଇ ଦିବ୍ୟାଙ୍ଗ ପାଲଟିଯାଇଛନ୍ତି, ସେମାନଙ୍କ ପାଇଁ ବରଦାନ ପାଲଟିଛି। ଦିବ୍ୟାଙ୍ଗ, ବେସାହାରାଙ୍କୁ ସମ୍ପୂର୍ଣ୍ଣ ମାଗଣାରେ କୃତିମ ଅଙ୍ଗ ଯୋଗାଇଦିଆଯାଉଛି। ଏହାଦ୍ବାରା ସେମାନେ କେବଳ ସ୍ବାଭାବିକ୍‌ଭାବେ ଜୀବନଯାପନ କରୁନାହାନ୍ତି; ବରଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାର ସୁଯୋଗ ପାଉଛନ୍ତି। ଗତ ତିନି ଦଶନ୍ଧି ହେଲା ଏଭଳି ମହତ୍‌ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛି ରାଉରକେଲାସ୍ଥ ଆଞ୍ଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ର।

ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ଉପକରଣ ଯୋଗାଇ ସେମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୧୯୯୩ ମସିହାରେ ପ୍ରତିଷ୍ଠା ହୋଇଥିଲା ସ୍ବେଛାସେବୀ ଅନୁଷ୍ଠାନ ଆଞ୍ଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ର। ପରବର୍ତ୍ତୀ ସମୟରେ ଏଠାରେ ଗବେଷଣା ସହ ଦିବ୍ୟାଙ୍ଗଙ୍କ ପାଇଁ ଆବଶ୍ୟକୀୟ କୁତ୍ରିମ ଅଙ୍ଗପ୍ରତ୍ୟଙ୍ଗ ତିଆରି କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଭିନ୍ନକ୍ଷମ ସହାୟତା ଯୋଜନା ଓ ରାଜ୍ୟ ସରକାରଙ୍କ ଭୀମ ଭୋଇ ସାମର୍ଥ୍ୟ ଅଭିଯାନ ଅନ୍ତର୍ଗତ ଯୋଜନାରେ ହିତାଧିକାରୀଙ୍କ ମୁଁହରେ ହସ ଫୁଟାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା।

ଅଦ୍ୟାବଧି ୬ ଶହରୁ ଅଧିକ ହିତାଧିକାରୀ ଏହାର ସେବା ପାଇସାରିଛନ୍ତି। କେବଳ ଗତ ୫ ବର୍ଷ ଭିତରେ ମୋଟ୍‌ ୧୧୨ ଜଣଙ୍କୁ ସେବା ଯୋଗାଯାଇଛି। ଏଥିରେ ସୁନ୍ଦରଗଡ଼ ଜିଲ୍ଲାର ୫୭ ଜଣ ହିତାଧିକାରୀ ଥିବାବେଳେ ଝାରସୁଗୁଡାରୁ ୨୩, ଅନୁଗୁଳରୁ ୧୯ ଓ ଦେବଗଡ଼ ଜିଲ୍ଲାରୁ ୧୩ ଜଣ ହିତାଧିକାରୀଙ୍କୁ କୃତିମ ଅଙ୍ଗ ପ୍ରଦାନ କରାଯାଇଛି। ଏହି ଅନୁଷ୍ଠାନର ମହତ୍‌ ଉଦ୍ଦେଶ୍ୟ ଯୋଗୁଁ ସମାଜରେ ଦିବ୍ୟାଙ୍ଗମାନେ ସାଧାରଣ ଲୋକଙ୍କ ଭଳି ବଞ୍ଚିବାର ସୁଯୋଗ ପାଉଛନ୍ତି। ଗରିବ ଓ ଅସହାୟ ପରିବାରର ଭିନ୍ନକ୍ଷମ ସଦସ୍ୟଙ୍କୁ ସହାୟତା ଉପକରଣଠାରୁ ଆରମ୍ଭ କରି କୃତିମ ଅଙ୍ଗ ପ୍ରଦାନ କ୍ଷେତ୍ରରେ ଉଲେଖନୀୟ ଅବଦାନ ଓ ସାମାଜିକ ପ୍ରତିବଦ୍ଧତା ପାଇଁ ଅନୁଷ୍ଠାନକୁ ସରକାରୀ ଓ ବେସରକାରୀ ସ୍ତରରୁ ମିଳୁଛି ପ୍ରଶଂସା। ଏଠାରେ ବୈଷୟିକ ତାଲିମପ୍ରାପ୍ତ ଦକ୍ଷ କର୍ମଚାରୀ ଅବସ୍ଥାପିତ ଥିବାବେଳେ ସମାଜର ପ୍ରତ୍ୟେକ ଅସହାୟ ଭିନ୍ନକ୍ଷମଙ୍କ ମୁହଁରେ ହସ ଫୁଟାଇବା ଲକ୍ଷ୍ୟରେ ଅନୁଷ୍ଠାନ ଆଗେଇଚାଲିଛି।

ସମ୍ବନ୍ଧିତ ଖବର