ଶିକାରୀ ହାତରେ ମଣିଷ ଶିକାର

ଜଗନ୍ନାଥପ୍ରସାଦ : ଦୁହେଁ ସାଙ୍ଗ ହୋଇ ଶିକାର କରିବା ପାଇଁ ଯାଇଥିଲେ। ଜଣେ ଫେରି ଆସିଥିଲାବେଳେ ଅନ୍ୟ ଜଣଙ୍କ ଗୁଳିବିଦ୍ଧ ଶରୀର ଉଦ୍ଧାର କରାଯାଇଛି। ମୃତକଙ୍କ ପରିବାର ଲୋକ ଏହାକୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ତାରସିଂ ଥାନା ରୁଢାପଦର ଗ୍ରାମରେ ଏହି ଘଟଣା ଘଟିଛି।

ଘଟଣା ଅନୁସାରେ, ଗତକାଲି ରାତିରେ ଭାସ୍କର ମଲିକ ଜଙ୍ଗଲକୁ ଶିକାର ପାଇଁ ଯାଇଥିଲେ। ତାଙ୍କ ପାଖରେ ବି ଏକ ହାତ ତିଆରି ବନ୍ଧୁକ ଥିଲା। ସେ ଶିକାର ପାଇଁ ବଡ଼ହରିଜନ ସାହିର ଶୁକଦେବ ନାଇକଙ୍କୁ ସାଙ୍ଗରେ ଡାକି ନେଇଥିଲେ। ଆଜି ସକାଳେ ହଠାତ୍ ଶୁକଦେବଙ୍କ ଶବ ତାଙ୍କ ଘର ଆଗରେ ପଡ଼ିଥିବା ବେଳେ ଡାହାଣ ଗୋଡ଼ରେ ଗୁଳି ପଶି ବାହାରି ଯାଇଥିବା ଦେଖିବାକୁ ମିଳିଥିଲା। ଏନେଇ ଶୁକଦେବଙ୍କ ପତ୍ନୀ ତାରସିଂ ଥାନାରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଭାସ୍କରଙ୍କୁ କାବୁ କରିଥିଲେ। ତାଙ୍କଠୁ ବନ୍ଧୁକ ଜବତ ସହ ତଦନ୍ତ ଜାରି ରହିଛି ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର