ଗଂଜାମ ଜିଲ୍ଲା ପୋଲସରା ସଂଗରୋଧ କେନ୍ଦ୍ରରେ ଥିବା ଜଣଙ୍କର ମୃତ୍ୟୁ

ପୋଲସରା/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କରୋନା ସଂକ୍ରମଣରେ ଜିଲ୍ଲା ୧ ନମ୍ବର ସ୍ଥାନ ଛୁଇଁଛି। ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଢୁଙ୍କାପଡ଼ା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଘଟିଛି ଅଭାବନୀୟ ଘଟଣା। ସେଠାରେ ରହୁଥିବା ଜଣେ ସୁରତ ଫେରନ୍ତା ତଥା ପ୍ରବାସୀ ଓଡ଼ିଆଙ୍କ ଆଜି ଅପରାହ୍‌ଣରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପୋଲସରା ବ୍ଲକ ମଧୁପଲ୍ଲୀ ପଞ୍ଚାୟତ ମଧୁପଲ୍ଲୀ ଗ୍ରାମ ମାଟିଆ ସାହିର ପ୍ରଫୁଲ ବେହେରା(୪୦)। ସଙ୍ଗରୋଧ କେନ୍ଦ୍ରକୁ ଆସିବା ଦିନ ଠାରୁ ପ୍ରଫୁଲ ଜ୍ବରରେ ପୀଡ଼ିତ ଥିବା ଜଣାପଡ଼ିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସଙ୍ଗରୋଧ କେନ୍ଦ୍ରରେ ଶବ ରହିଛି। ଶବ ବ୍ୟବଛେଦ ଲାଗି ବ୍ରହ୍ମପୁର ନିଆଯିବ ବୋଲି ଜଣାପଡ଼ିଛି। ସଙ୍ଗରୋଧ କେନ୍ଦ୍ର ମୃତ୍ୟୁ ରାଜ୍ୟରେ ପ୍ରଥମ ଘଟଣା ବୋଲି କୁହାଯାଉଛି।

ପୋଲସରା ସହର ଠାରୁ  ଠାରୁ ୧୦କିମି ଦୂର ଢୁଙ୍କାପଡ଼ା ପଞ୍ଚାୟତର ଢୁଙ୍କାପଡ଼ା ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଙ୍ଗରୋଧ କେନ୍ଦ୍ର ହୋଇଛି। ଗତ ୬ତାରିଖରେ ଟ୍ରେନରେ ଆସିଥିବା ୭୨ଜଣ ସୁରତ ଫେରନ୍ତାଙ୍କୁ ଢୁଙ୍କାପଡ଼ା ଗ୍ରାମକୁ ନିଆଯାଇଥିଲା। ଢୁଙ୍କାପଡ଼ା ନୋଡ଼ାଲ ହାଇସ୍କୁଲ  ସଙ୍ଗରୋଧ କେନ୍ଦ୍ରରେ ୬୦ ଜଣ ଏବଂ ଉକ୍ତ ଗ୍ରାମରେ ଏକ ଅଙ୍ଗନବାଡ଼ିରେ ଶିଶୁ ଓ ମହିଳା ସମେତ ୧୨ଜଣଙ୍କୁ ସଙ୍ଗରୋଧରେ ରଖାଯାଇଥିଲା।  ଗତ୬ତାରିଖରୁ ୬୦ଜଣଙ୍କ ସହ ପ୍ରଫୁଲ ନୋଡ଼ାଲ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ।  ଆସିବା ଦିନ ଠାରୁ ପ୍ରଫୁଲ ଜ୍ବରରେ ପୀଡ଼ିତ ଥିଲେ। ସେହିଦିନ ତାଙ୍କୁ ଡାକ୍ତରୀ ଟିମ୍‌ ଆସି ଚିକିତ୍ସା କରିବା ସହିତ ଔଷଧ ଦେଇଥିଲେ। ଏହାପରେ ପ୍ରଫୁଲ ଟିକେ ସୁସ୍ଥ ଥିଲେ। ଆଜି ସକାଳେ ବି ଜଳଖିଆ ଖାଇଥିଲେ।

ମଧ୍ୟାହ୍ନ ୧୨ଟା ରୁ ୧ଟା ମଧ୍ୟରେ ପ୍ରଫୁଲ ତାଙ୍କ ପତ୍ନୀ ଫୋନ କରି ଅସୁସ୍ଥ ଥିବା ସଂକ୍ରାନ୍ତରେ ଜଣାଇଥିଲେ। ସଙ୍ଗରୋଧ କେନ୍ଦ୍ରକୁ ଆସିବାକୁ କହିଥିଲେ। ମଧ୍ୟାହ୍ନ ସମୟରେ ପ୍ରଫୁଲଙ୍କୁ ସଙ୍ଗରୋଧ କେନ୍ଦ୍ରରେ ଖାଇବାକୁ ଦିଆଯାଇଥିଲା। କିନ୍ତୁ ସେ ଖାଇ ନ ଥିଲେ। ଏହାପରେ ସେ ସେଠାରେ ଶୋଇଯାଇଥିଲେ ଆଉ ଉଠି ନ ଥିଲେ। ପରବର୍ତ୍ତୀ ସମୟରେ ସେ ମୃତ ବୋଲି ଜଣାପଡ଼ିଲା। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଏକରକମ ଭୟର ବାତାବରଣ ସୃଷ୍ଟି ହୋଇଛି।ଏହି ଖବର ପାଇ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଘଟଣା ସ୍ଥଳକୁ ଯାଇଥିଲେ। ଏଥିସହ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ବିଡ଼ିଓ ସୋମନାଥ ନନ୍ଦୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଥାନା ଅଧିକାରୀ ଜିତେନ୍ଦ୍ର ମଲ୍ଲିକ ପହଞ୍ଚିଛନ୍ତି। ସୂଚନା ଯୋଗ୍ୟ ଯେ, ମୃତ ପ୍ରଫୁଲ ଗରୀବ ଶ୍ରେଣୀର ହୋଇଥିବା ତାଙ୍କର ପତ୍ନୀ ଓ ୪ଝିଅ ଅଛନ୍ତି। ଏଥିମଧ୍ୟରେ ଏକ ୮ମାସର ଝିଅ ରହିଛି। ବଡଝିଅର ବୟସ ୧୧ବର୍ଷ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର