ସଙ୍ଗରୋଧ କେନ୍ଦ୍ରରେ ମୃତ୍ୟୁ, ରାଜ୍ୟରେ ପ୍ରଥମ

ପୋଲସରା/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଆଜି ଅପରାହ୍‌ଣରେ ପୋଲସରା ବ୍ଲକ୍‌ ଢୁଙ୍କାପଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଜଣେ ସୁରତ ଫେରନ୍ତା ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପୋଲସରା ବ୍ଲକ୍‌ ମଧୁପଲ୍ଲୀ ଗ୍ରାମ ମାଟିଆ ସାହିର ପ୍ରଫୁଲ୍ଲ ବେହେରା(୪୦)। ସଙ୍ଗରୋଧ କେନ୍ଦ୍ରକୁ ଆସିବା ଦିନଠାରୁ ପ୍ରଫୁଲ୍ଲ ଜ୍ବରରେ ପୀଡ଼ିତ ଥିଲେ। ତେଣୁ ସେ କରୋନାରେ ପୀଡ଼ିତ ହୋଇ ପ୍ରାଣ ହରାଇଛନ୍ତି ନା ନାହିଁ ଜାଣିବା ଲାଗି ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଓ ଉଦ୍‌ବେଗ ପ୍ରକାଶ କରିଛି। ଏହାଛଡ଼ା ତାଙ୍କ ମୃତ୍ୟୁକୁ ନେଇ ସଂଗରୋଧ କେନ୍ଦ୍ର ଏବଂ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଆତଙ୍କ ଖେଳିଯାଇଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସଙ୍ଗରୋଧ କେନ୍ଦ୍ରରେ ଶବ ରହିଛି। ଜିଲ୍ଲାର ଉଚ୍ଚ ପଦାଧିକାରୀ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। ଶବ ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ନିଆଯିବ ବୋଲି ଜଣାପଡ଼ିଛି। ସଙ୍ଗରୋଧ କେନ୍ଦ୍ରରେ କାହାରି ମୃତ୍ୟୁ ଘଟିବା ରାଜ୍ୟରେ ପ୍ରଥମ ଘଟଣା ବୋଲି କୁହାଯାଉଛି।

ପୋଲସରା ସହରଠାରୁ ୧୦କିମି ଢୁଙ୍କାପଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ର। ଗତ ୬ତାରିଖରେ ସୁରତରୁ ସ୍ବତନ୍ତ୍ର ଟ୍ରେନ୍‌ରେ ଆସିଥିବା ୭୨ଜଣଙ୍କୁ ଗ୍ରାମକୁ ନିଆ ଯାଇଥିଲା। ସ୍କ୍ରିନିଂ ପରେ ଢୁଙ୍କାପଡ଼ା ନୋଡ଼ାଲ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ୬୦ ଜଣ ଏବଂ ଉକ୍ତ ଗ୍ରାମରେ ଏକ ଅଙ୍ଗନବାଡ଼ିରେ ଶିଶୁ ଓ ମହିଳା ସମେତ ଅନ୍ୟ ୧୨ଜଣଙ୍କୁ ସଙ୍ଗରୋଧରେ ରଖା ଯାଇଥିଲା। ଆସିବା ସମୟରୁ ପ୍ରଫୁଲ୍ଲ ଜ୍ବରରେ ପୀଡ଼ିତ ଥିଲେ। ସେହିଦିନ ତାଙ୍କୁ ଡାକ୍ତରୀ ଟିମ୍‌ ଆସି ଚିକିତ୍ସା କରିବା ସହିତ ଔଷଧ ଦେଇଥିଲେ। ଏହାପରେ ପ୍ରଫୁଲ୍ଲ ଟିକେ ସୁସ୍ଥ ଅନୁଭବ କରିଥିଲେ। ଆଜି ସକାଳେ ସେ ଜଳଖିଆ ମଧ୍ୟ ଖାଇଥିଲେ। ତେବେ ମଧ୍ୟାହ୍ନ ୧୨ ଟାରୁ ୧ଟା ମଧ୍ୟରେ ପ୍ରଫୁଲ୍ଲ ତାଙ୍କ ପତ୍ନୀଙ୍କୁ ଫୋନ୍‌ କରି ଅସୁସ୍ଥ ଥିବା ସଂକ୍ରାନ୍ତରେ ଜଣାଇଥିଲେ। ସଙ୍ଗରୋଧ କେନ୍ଦ୍ରକୁ ଆସିବାକୁ କହିଥିଲେ। ମଧ୍ୟାହ୍ନ ସମୟରେ ପ୍ରଫୁଲ୍ଲଙ୍କୁ ସଙ୍ଗରୋଧ କେନ୍ଦ୍ରରେ ଖାଇବାକୁ ଦିଆ ଯାଇଥିଲା। କିନ୍ତୁ ସେ ଖାଇ ନ ଥିଲେ। ଏହାପରେ ସେ ସେଠାରେ ଶୋଇ ଯାଇଥିଲେ ଏବଂ ଆଉ ନିଦରୁ ଉଠି ନ ଥିଲେ। ପରବର୍ତ୍ତୀ ସମୟରେ ସେ ମୃତ ବୋଲି ଜଣାପଡ଼ିଲା।

ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଏକରକମ ଭୟର ବାତାବରଣ ସୃଷ୍ଟି ହୋଇଛି। ଖବର ପାଇ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଘଟଣାସ୍ଥଳକୁ ଯାଇଥିଲେ। ଏଥିସହ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ବିଡିଓ ସୋମନାଥ ନନ୍ଦୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଥାନା ଅଧିକାରୀ ଜିତେନ୍ଦ୍ର ମଲ୍ଲିକ ପହଞ୍ଚି ସବିଶେଷ ତଥ୍ୟ ସଂଗ୍ରହ କରୁଛନ୍ତି। ମୃତ ପ୍ରଫୁଲ୍ଲଙ୍କ ପରିବାର ଅତି ଗରିବ ଓ ତାଙ୍କର ପତ୍ନୀ ଓ ୪ଝିଅ ଅଛନ୍ତି। ବଡ଼ ଝିଅର ବୟସ ୧୧ ଓ ସାନ ଝିଅ ୮ମାସର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର