କେନ୍ଦୁଝର: ବିକାଶକୁ ଆଳ କରି ମଣିଷ ଜଙ୍ଗଲ ସଫା କରୁଛି। କଳକାରଖାନା ପ୍ରତିଷ୍ଠା, ଖଣିଖାଦାନ ପାଇଁ ଗଛ କଟାଯାଉଛି। ଫଳରେ ଘଞ୍ଚ ଜଙ୍ଗଲରେ ରହୁଥିବା ହାତୀପଲ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହୋଇଛନ୍ତି। ହାତୀ-ମଣିଷ ଲଢ଼େଇ ଭିତରେ କେତେବେଳେ ହାତୀ ମରୁଛି ତ’ ଆଉ କେତେବେଳେ ମାରୁଛି। ଏଥିରେ ଉଭୟଙ୍କ କ୍ଷତି ଘଟୁଛି। ଗାଁ ମୁହାଁ ହାତୀ ନରହନ୍ତା ସାଜିଛି। କେନ୍ଦୁଝର ଜିଲ୍ଲାରେ ହାତୀଙ୍କ ଯୋଗୁଁ ଫସଲ ହାନି ରିପୋର୍ଟ ଚିନ୍ତାଜନକ ରହିଛି। ହାତୀ ଉପଦ୍ରବ ଯୋଗୁଁ ହଜାର ହଜାର ଏକର ଫସଲ ନଷ୍ଟ ହେଉଛି। କେନ୍ଦୁଝର ଜିଲ୍ଲାରେ ବ୍ୟାପକ ଜଙ୍ଗଲ କ୍ଷୟ ସହ ହାତୀ କରିଡର ନଷ୍ଟ ହୋଇଯାଇଛି।

Advertisment

କଳକାରଖାନା ଓ ଖଣି ଖନନ ପ‌ାଇଁ ଜଙ୍ଗଲ ନଷ୍ଟ ଯୋଗୁଁ ହାତୀଙ୍କ ବାସସ୍ଥାନ ଅସୁରକ୍ଷିତ ହୋଇପଡ଼ୁଛି। ବନ ବିଭାଗର କହିବା ହେଲା, ପୂର୍ବରୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ହାତୀପଲ ୬ ମାସ ରହୁଥିଲେ। ବାକି ଛଅମାସ ପଡ଼ୋଶୀ ଜିଲ୍ଲାକୁ ପଳାଉଥିଲେ। ହାତୀପଲଙ୍କ ଯାତାୟାତ ପାଇଁ ଜଙ୍ଗଲର ଏକ ରାସ୍ତା ବା ହାତୀ କରିଡର ଥିଲା। ପରବର୍ତ୍ତୀ ସମୟରେ ରେଳପଥ, ଜାତୀୟ ରାଜପଥ ନିର୍ମାଣ ଯୋଗୁଁ ଅଧିକାଂଶ ହାତୀ କରିଡର ନଷ୍ଟ ହୋଇଯାଇଛି। ଏହାଦ୍ବାରା ହାତୀଙ୍କ ଯାତାୟାତରେ ବାଧା ଉପୁଜୁଛି। ଅନ୍ୟପକ୍ଷରେ ଆଦିବାସୀମାନେ ନିଜ ଜୀବନ ଜୀବିକା ପାଇଁ ଜଙ୍ଗଲ ଉପରେ ନିର୍ଭରଶୀଳ। ଜଙ୍ଗଲରୁ କିଏ ଜାଳେଣି କାଠ ସଂଗ୍ରହ କରୁଛି ତ ଆଉ କିଏ ଶାଳପତ୍ର ତୋଳୁଛି। ଏହାଦ୍ବାରା ପ୍ରାୟ ସବୁ ଜଙ୍ଗଲରେ କୋଳାହଳ ଲାଗି ରହୁଛି। ଜଙ୍ଗଲରେ ହାତୀଙ୍କ ଖାଦ୍ୟ କୁହାଯାଉଥିବା ବିଭିନ୍ନ ପ୍ରକାର ଗୁଳ୍ମ, ଗଛଲତା ଆଦି ହ୍ରାସ ପାଇବାରେ ଲାଗିଛି। ଖାଦ୍ୟ ଅନ୍ବେଷଣରେ ହାତୀପଲ ଗାଁ ମୁହାଁ ହେଉଛନ୍ତି। ଲୋକଙ୍କ ଘରଦ୍ବାର ଭାଙ୍ଗି ଧାନଚାଉଳ ଖାଇବା ସହ ଚାଷଜମିରେ ପଶି ଫସଲ ଉଜାଡ଼ୁଛନ୍ତି।

ପୂର୍ବ ଅପେକ୍ଷା ହାତୀର ଖାଦ୍ୟାଭ୍ୟାସ ମଧ୍ୟ ବଦଳିଛି। ପୂର୍ବରୁ ଜଙ୍ଗଲରେ ଗଛଲତା ଖାଉଥିବା ହାତୀ ଏବେ ଗାଁରେ ପଶି ଧାନଚାଉଳ ଓ ପରିବା ଖାଉଛନ୍ତି। ହାତୀପଲ ଗାଁ ମୁହାଁ ହେବାର ଏହା ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ହାତୀପଲ ଗାଁ ମୁହାଁ ହେବାଦ୍ବାରା ଉଭୟ ହାତୀ ଓ ମଣିଷର କ୍ଷତି ହେଉଛି। ସୂଚନାଯୋଗ୍ୟ, ୨୦୧୭-୧୮ରେ ହାତୀ ଉପଦ୍ରବ ଯୋଗୁଁ ୯୦୫ ଏକର ଜମିରେ ଫସଲ ନଷ୍ଟ ହୋଇଥିଲା। ୨୦୧୮-୧୯ରେ ୮୫୬ ଏକର, ୨୦୧୯-୨୦ରେ ୯୦୪ ଏକର, ୨୦୨୦-୨୧ରେ ୭୯୮ ଏକର, ୨୦୨୧-୨୨ରେ ୮୦୪୮ ଏକର ଓ ୨୦୨୨-୦୨୩ରେ ୮୪୭ ଏକର ଜମିରେ ହାତୀପଲ ଫସଲ ନଷ୍ଟ କରିଛନ୍ତି। ଯାହା ଏବେ ଚିନ୍ତାର କାରଣ ପାଲଟିଛି। ଏ ସମ୍ପର୍କରେ ଡିଏଫ୍‌ଓ ଏଚ୍‌ଡି ଧନରାଜଙ୍କୁ ପଚାରିବାରୁ, ହାତୀ ଓ ମଣିଷଙ୍କ ଚଳଣିଗତ ଅଭ୍ୟାସରେ ପରିବର୍ତ୍ତନ ଯୋଗୁଁ ଏଭଳି ହେଉଥିବା କହିଛନ୍ତି।