ବାଲେଶ୍ୱର: ବୁଧବାର ସନ୍ଧ୍ୟାରେ କରମଣ୍ଡଳ ସୁପର୍‌ଫାଷ୍ଟ ଏକ୍ସପ୍ରେସ ଦ୍ରୁତ ଗତିରେ ବାଲେଶ୍ୱର ଅଭିମୁଖେ ଆସୁଥିବା ବେଳେ ଜେନେରାଲ ବଗିରେ ଚଢ଼ିଥିବା ପଶ୍ଚିମବଙ୍ଗ ପଶ୍ଚିମମେଦିନିପୁର ଜିଲ୍ଲାର ପିଂଟୁ ମାନ୍ନା ଚଳନ୍ତାଟ୍ରେନ୍‌ରୁ ସନ୍ଧ୍ୟା ୫ଟା ୪୫ ମିନିଟ୍‌ରେ ବସ୍ତା ଓ ହଳଦୀପଦା ଷ୍ଟେସନ ମଝିରେ ଖସି ପଡ଼ିଥିଲେ। ଗୁରୁତର ଭାବେ ସେ ଆହତ ହୋଇ ରେଳଧାରଣା ନିକଟରେ ପଡ଼ିରହିଥିବା ବେଳେ ଖବର ପାଇ ପ୍ରିନ୍‌ସ ଆର୍ୟାନ୍‌ଙ୍କ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ସେଠାରେ ପହଞ୍ଚି ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଫକୀରମୋହନ ମେଡ଼ିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କର ହାତ, ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ଡାକ୍ତର ତାଙ୍କୁ ତୁରନ୍ତ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି। ପ୍ରିନ୍‌ସ ଆର୍ୟାନ୍‌ଙ୍କ ସଂଗଠନ ପିଂଟୁ ମାନ୍ନାଙ୍କୁ ୧୦୮ ଆମ୍ବୁଲାନ୍ସରେ କଟକ ସ୍ଥାନାନ୍ତର ଦିଗରେ ସହାୟତା ଦେବା ସହ ତାଙ୍କ ପରିବାରକୁ ଏନେଇ ଖବର ଦେଇଛନ୍ତି। ପ୍ରିନ୍‌ସଙ୍କ ଏଭଳି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ପିଂଟୁ ମାନ୍ନା ମେଦିନିପୁରରୁ ଚେନ୍ନାଇକୁ କାମ କରିବାକୁ ଯାଉଥିଲେ।