ମାଟି ତଳେ ଫସିଗଲେ ଶ୍ରମିକ, ହେଲମେଟ ବଞ୍ଚାଇଲା ଜୀବନ

ଭୁବନେଶ୍ୱର: ଭୁବନେଶ୍ୱର ପଟିଆସ୍ଥିତ ଏକ ସୋରୁମ ସାମ୍ନାରେ ଡ୍ରେନେଜ କାମ ଚାଲୁଥିବା ବେଳେ ଜଣେ ଶ୍ରମିକ ଖୋଳା ଯାଇଥିବା ଗଭୀର ଖାତ ଭିତରେ ଫସି ଯାଇଥିଲେ । ଏହି ଘଟଣା ପ୍ରଘଟ ହେବା ପରେ ଘଟଣାସ୍ଥଳରେ ଅନେକ ଲୋକ ରୁଣ୍ଡ ହୋଇଯାଇଥିଲେ। ଶେଷରେ ବହୁ ଉଦ୍ୟମ ପରେ ତାଙ୍କୁ ମୁମୁର୍ଷ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ସୂଚନାଯୋଗ୍ୟ, ପଟିଆସ୍ଥିତ ଏକ ସୋରୁମ ନିକଟରେ ଡ୍ରେନ ତିଆରି ଲାଗି ଗାତ ଖୋଳା ଯାଇଥିଲା। ଏହି ଗାତର ଗଭୀରତା ପାଖାପାଖି ୧୦ ଫୁଟରୁ ଅଧିକ ହେବ । ଏହିସ୍ଥାନରେ କାମ କରୁଥିବା ସମୟରେ ଜଣେ ଶ୍ରମିକ ଗାତ ଭିତରେ ପଡି ଯିବା ସହ ମାଟିରେ ପୋତି ହୋଇଯାଇଥିଲେ । ତେବେ ତାଙ୍କ ସାଙ୍ଗରେ କାମ କରୁଥିବା ଶ୍ରମିକମାନେ ସାଥୀ ଶ୍ରମିକଙ୍କ ହେଲମେଟ ମାଟିରେ ପୋତି ହୋଇଥିବା ଦେଖିବାକୁ ପାଇଥିଲେ । ଏହାପରେ ତୁରନ୍ତ ସେମାନେ ଗାତ ପାଖକୁ ଯାଇ ଦେଖିଲେ, ମାଟି ଭିତରେ ପୋତି ହୋଇ ଶ୍ରମିକ ଜଣକ ଛଟପଟ ହେଉଛନ୍ତି। ତାଙ୍କର ସମଗ୍ର ଶରୀର ମାଟି ଭିତରେ ପଶି ଯାଇଛି। ସେ ଏକ ପ୍ରକାର ଅଣନିଃଶ୍ୱାସୀ ହୋଇପଡ଼ିଛନ୍ତି। ଏପରି ଅବସ୍ଥା ଦେଖି ସାଥୀମାନେ ତାଙ୍କୁ ଉଦ୍ଧାର ଲାଗି ଉଦ୍ୟମ ଆରମ୍ଭ କରିଥିଲେ। ପାଖାପାଖି ଅଧଘଣ୍ଟାର ସମୟ ଲାଗିଥିଲା, ପାଖରେ ଥିବା ଶ୍ରମିକମାନେ ଜେସିବି ମେସିନ୍‌ ସାହାଯ୍ୟ ନେବା ପରେ ଶ୍ରମିକଙ୍କ ଉଦ୍ଧାର ସମ୍ଭବ ହୋଇ ପାରିଥିଲା। ଉଦ୍ଧାର ପରେ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି ଏହି ଶ୍ରମିକ।

ସମ୍ବନ୍ଧିତ ଖବର