ବଣାଇଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡରେ ଜଣେ ବ୍ୟକ୍ତିଙ୍କୁ ପୁଲିସ ଇନ୍ଫର୍ମର୍ ବୋଲି କହି ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। କେ.ବଲାଙ୍ଗ ଥାନା ଅନ୍ତର୍ଗତ କଦମଟୋଲା ଗାଁର ଶୁକନାଥ ସିଂଙ୍କୁ ରବିବାର ରାତିରୁ ଘରୁ କେହି ଡାକିନେଇ ଯାଇଥିବାବେଳେ ସେହିଦିନ ଠାରୁ ସେ ନିଖୋଜ ଥିଲେ। ଗତକାଲି ଅପରାହ୍ଣରେ କିଛିଲୋକ ଶୁକନାଥ ସିଂଙ୍କ କ୍ଷତବିକ୍ଷତ ମୃତଦେହ ଓଡ଼ିଶା-ଝାଡ଼ଖଣ୍ଡ ସୀମା ସଂଲଗ୍ନ ରାଙ୍ଗୁନ୍ ନାଳକୂଳରେ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଶୁକନାଥଙ୍କୁ ମାଓବାଦୀମାନେ ମାରି ଦେଇଛନ୍ତି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପୁଲିସ ଗତକାଲିଠାରୁ ଶବ ସଂପର୍କରେ ସୂଚନା ପାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଆଜି ଦ୍ବିପହରେ କେ.ବଲାଙ୍ଗ ପୁଲିସ ଯାଇ ସେଠାରେ ତଦନ୍ତ କରିବା ସହ ଶବ ଜବତ କରିଛି। ମୃତଦେହ ଲହୁଣିପଡ଼ା ଡାକ୍ତରଖାନାରେ ରଖାଯାଇଥିବା ବେଳେ ଆସନ୍ତାକାଲି ବ୍ୟବଚ୍ଛେଦ ହେବ। ବଣାଇ ଏଏସ୍ପି ସୟଦ ମଜବୁର ରହମାନଙ୍କ ନେତୃତ୍ବରେ ସାଇଣ୍ଟିଫିକ୍ ଦଳ ଯାଇ ତଦନ୍ତ କରିଛନ୍ତି। ତଦନ୍ତ ପରେ ପ୍ରକୃତ ତଥ୍ୟ ଆଗକୁ ଆସିବ ବୋଲି ଏଏସ୍ପି ଶ୍ରୀ ରହମାନ କହିଛନ୍ତି।
ସୂଚନା ଅନୁସାରେ, ଶୁକନାଥ କଦମଟୋଲାରେ ପରିବାର ସହ ରହୁଥିଲେ ଏବଂ ସାନଭାଇ ଟୁନା ସିଂ ରେଞ୍ଜଡ଼ାରେ ରହୁଥିଲେ। ଟୁନା ଏବଂ ମୃତ ଶୁକନାଥଙ୍କ ପତ୍ନୀ ସରସ୍ଵତୀଙ୍କ କହିବା ଅନୁସାରେ ଦୁଇଦିନ ପୂର୍ବେ ଅର୍ଥାତ୍ ରବିବାର ରାତି ପ୍ରାୟ ୧୧ଟାରେ କିଛି ଅପରିଚିତ ଲୋକ ଆସି ତାଙ୍କୁ ଘରୁ ଡାକି ନେଇଥିଲେ। ସେମାନେ ମାଓବାଦୀ ବୋଲି ସରସ୍ବତୀ କହିଛନ୍ତି। କାରଣ ଶୁକନାଥଙ୍କୁ ପୁଲିସ ଇନଫର୍ମର ବୋଲି ମାଓବାଦୀମାନେ ଆଗରୁ ଧମକ ଦେଇଥିଲେ। ଅନ୍ୟପକ୍ଷରେ ସୋମବାର ଦିନ ରେଞ୍ଜଡ଼ାରେ ରହୁଥିବା ସାନଭାଇ ଟୁନା ଘରେ ନଥିବାବେଳେ ଦୁଇଜଣ ଆସି ଏକ ଚିଠି ଦେଇ ଧମକ ଦେଇଥିଲେ। ତେବେ ଚିଠିରେ କ’ଣ ଲେଖା ହୋଇଛି, ବୁଝା ପଡୁନାହିଁ। ଟୁନାଙ୍କଠାରୁ ସେ ଚିଠି ମଧ୍ୟ ପୁଲିସ ନେଇ ତଦନ୍ତ ଚଳାଇଛି। ଦୀର୍ଘଦିନ ହେବ ମାଓବାଦୀମାନେ ନିରବ ରହିବା ପରେ ବଣାଇ ଅଞ୍ଚଳରେ ଏହି କିଛିଦିନ ହେବ ପୁଣି ସକ୍ରିୟ ହୋଇଥିବା ଦେଖାଯାଉଛି। ୨୦୧୨-୧୩ ମସିହା ପରେ ଏହି ଅଞ୍ଚଳରେ ମାଓବାଦୀ କାହାରିକୁ ହତ୍ୟା କରି ନଥିବାବେଳେ ଏହି ଘଟଣାରେ ସତ୍ୟତା ଥିଲେ ଆଗକୁ ପଞ୍ଚାୟତ ନିର୍ବାଚନରେ ମାଓ ହିଂସା ବୃଦ୍ଧି ପାଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।