ମୋବାଇଲ୍ ଖୋଲିଲା ହତ୍ୟାକାଣ୍ଡ ରହସ୍ୟ, ପ୍ରେମିକା ପାଇଁ ୧୫ବର୍ଷର ବନ୍ଧୁତ୍ବକୁ ଭାଙ୍ଗି ସାଙ୍ଗକୁ ହତ୍ୟା କରିଥିଲା ପ୍ରେମିକ

ରାୟଗଡ଼ା: ତ୍ରିକୋଣୀୟ ପ୍ରେମ ପାଇଁ ୧୫ବର୍ଷର ବନ୍ଧୁତ୍ବକୁ ଚାହିଁଲାନି ସାଙ୍ଗ। ପ୍ରେମିକାକୁ ମାରପିଟ୍ କରିବା ସହ ପୁରୁଷ ବନ୍ଧୁକୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେଲା। ଭୋଜି ଖାଇବାକୁ ଡାକି ଆଣି ମଦ ପିଆଇ ହତ୍ୟା କରିବା ପରେ ନାଳ ଭିତରେ ମୃତଦେହ ପୋତିଦେଲା। ଘଟଣାର ମାସକ ପରେ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଛି ପୁଲିସ୍। ହତ୍ୟାର ଶିକାର ଉମାକାନ୍ତ କାଣ୍ଡଙ୍କ ମୃତଦେହକୁ କଲ୍ୟାଣସିଂହପୁର ପୁଲିସ୍ ପଙ୍ଗୁଲି ନଦୀ ଘୋଡାନାଳରୁ ଉଦ୍ଧାର କରିବା ସହ ମୁଖ୍ୟ ଅଭିଯୁକ୍ତ ରୁମାନ ବର୍ଗତ୍ତି, ସହଯୋଗୀ ପ୍ରଶାନ୍ତ ବର୍ଗତ୍ତି, ବିକାଶ ଭଟ୍ଟକୁ ଗିରଫ କରିଛି।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସିରିଭଟାପଡ଼ାର ବାସିନ୍ଦା ହେଉଛନ୍ତି ରୁମାନ ବର୍ଗତ୍ତି ଓ ଉମାକାନ୍ତ କାଣ୍ଡ। ସଂପର୍କରେ ଦୁଇ ସାଙ୍ଗ। ରୁମାନ ଟିଟିଲାଗଡ଼ର ଏକ ଝିଅକୁ ଭଲ ପାଉଥିବା ବେଳେ ଗତ କିଛି ଦିନ ହେଲା ଉକ୍ତ ଝିଅ ସହ ଉମାକାନ୍ତର ସଂପର୍କ ଗଢ଼ି ଉଠିଥିଲା। ନିଜ ପ୍ରେମିକା ସହ ଉମାକାନ୍ତ କଥା ହେଉଥିବା ରୁମାନ ଦେଖିବା ପରେ ପ୍ରତିଷୋଧ ପରାୟଣ ହୋଇ ପ୍ରେମିକାକୁ ପିଟାପିଟି କରିଥିଲା। ଏଥି ସହିତ ପ୍ରେମିକା ସହ ସଂପର୍କ ନ ବଢ଼ାଇବା ଲାଗି ରୁମାନ ଉମାକାନ୍ତକୁ ତାଗିଦ୍ କରିଥିଲା। ତଥାପି ମନ ଭିତରେ ସନ୍ଦେହ ଥିବାରୁ ଉମାକାନ୍ତକୁ ଜୀବନରେ ମାରି ଦେବାକୁ ଯୋଜନା କରିଥିଲା ରୁମାନ।

ରାୟଗଡ଼ା ଆସି ହତ୍ୟା ଯୋଜନା ସଂପର୍କରେ ରୁମାନ ନିଜ ବଡ଼ମା ପୁଅ ଚାନ୍ଦିଲିର ପ୍ରଶାନ୍ତ ବର୍ଗତ୍ତିଙ୍କ ସହ ଆଲୋଚନା କରିଥିଲା। ଯୋଜନା ମୁତାବକ ମେ’ ୨ ତାରିଖରେ ରୁମାନ ଭୋଜି ଖାଇବାକୁ ଉମାକାନ୍ତକୁ ଡାକିଥିଲା। ରୁମାନ କଥାରେ ଭରସା କରି ଉମାକାନ୍ତ ୩ ତାରିଖରେ ଟ୍ରେନ୍ ଯୋଗେ ଆସି ରାୟଗଡ଼ାରେ ପହଞ୍ଚିଥିଲା। ୪ ତାରିଖ ସକାଳେ ରୁମାନ, ଉମାକାନ୍ତ, ପ୍ରଶାନ୍ତ ଓ ବିକାଶ ଭୋଜି କରିବାକୁ ଥେରୁବାଲି ନିକଟ ପୋଙ୍ଗଲି ନଦୀକୂଳକୁ ଯାଇଥିଲେ। ସଭିଁଏ ଭୋଜିଭାତରେ ମସଗୁଲ୍ ହେବା ସହ ପ୍ରଚୁର ମଦ୍ୟପାନ କରିଥିଲେ। ଏହା ପରେ ରୁମାନ ନିଜ ପ୍ରେମିକା ସଂପର୍କରେ ଉମାକାନ୍ତକୁ ପଚାରିବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ରୁମାନ ଉମାକାନ୍ତର ତଣ୍ଟିକୁ ଚିପି ଧରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉମାକାନ୍ତଙ୍କ ମୃତ୍ୟ ହୋଇଥିଲା।

Can you predict death? - Telegraph India
Telegraph India

ଉମାକାନ୍ତଙ୍କ ମୃତଦେହକୁ ରୁମାନ, ପ୍ରଶାନ୍ତ, ବିକାଶ ବୋହି ନେଇ ନଦୀ ନିକଟରେ ଥିବା ଘୋଡାନାଳ ଚେକଡ୍ୟାମରେ ପୋତି ଦେଇଥିଲେ। ପରେ ସମସ୍ତେ ରାୟଗଡ଼ା ଫେରି ଆସିଥିବା ବେଳେ ରୁମାନ୍ ଟିଟିଲାଗଡ଼ ଚାଲିଯାଇଥିଲା। ଉମାକାନ୍ତ ଦୁଇ ଦିନ ପର୍ଯ୍ୟନ୍ତ ଘରକୁ ନ ଫେରିବା ପରେ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ। ଉମାକାନ୍ତଙ୍କୁ ନ ପାଇବା ପରେ ପରିବାର ଲୋକ ୧୧ ତାରିଖରେ ଟିଟିଲାଗଡ଼ ଥାନାରେ ନିଖୋଜ ଥିବା ନେଇ ଏତଲା ଦେଇଥିଲେ। ପୁଲିସ୍ ଉମାକାନ୍ତଙ୍କ ମୋବାଇଲ୍ ନମ୍ବରକୁ ଟ୍ରାକିଂ କରିବା ପରେ ଘଟଣା ଉପରୁ ପରଦା ହଟିଥିଲା। ଟିଟିଲାଗଡ଼ ପୁଲିସ୍ ରୁମାନକୁ ଥାନାକୁ ଡକାଇ ପଚରାଉଚରା କରିବା ପରେ ହତ୍ୟାକାଣ୍ଡ ସଂପର୍କରେ ମାନି ଯାଇଥିଲା ରୁମାନ୍। ଦୁଇ ଦିନ ତଳେ ଟିଟିଲାଗଡ଼ ପୁଲିସ୍ ମୁଖ୍ୟ ଅଭିଯୁକ୍ତ ରୁମାନକୁ ନେଇ ଥେରୁବାଲିରେ ପହଞ୍ଚିବା ପରେ କଲ୍ୟାଣସିଂହପୁର ପୁଲିସ୍ ଉପସ୍ଥିତିରେ ଭୋଜି ଏବଂ ମୃତଦେହ ପୋତିଥିବା ସ୍ଥାନ ଦେଖାଇଥିଲା।

ହତ୍ୟାକାଣ୍ଡ ଘଟିଥିବା ସ୍ଥାନ କଲ୍ୟାଣସିଂହପୁର ଥାନା ଅଧୀନରେ ଯାଉଥିବାରୁ ଟିଟିଲାଗଡ଼ ପୁଲିସ୍ ଗତକାଲି ରାତିରେ ମାମଲାକୁ କଲ୍ୟାଣସିଂହପୁର ପୁଲିସକୁ ହସ୍ତାନ୍ତର କରିଥିଲା। ଥାନା ଅଧିକାରୀ ସୁକୁମା ହାଁସଦା ମାମଲା ରୁଜୁ କରି ଆଜି ମଧ୍ୟାହ୍ନରେ ନାଳ ଭିତରୁ ମୃତଦେହ ଉଦ୍ଧାର କରି ମାଜିଷ୍ଟ୍ରେଟ୍ ଗଣେଶ ଦଳାଇଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଗିରଫ ୩ ଅଭିଯୁକ୍ତଙ୍କୁ ପୁଲିସ୍ ଅପରାହ୍ନରେ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର