ଗୁରୁଣ୍ତିଆ : ସୁନ୍ଦରଗଡ଼ର ବଣାଇଁ ବନଖଣ୍ତ ତାମଡ଼ା ରେଞ୍ଜ ଅଞ୍ଚଳରେ ଗତ କିଛିଦିନ ହେବ ଗୋଟିଏ ଗୋଠଖଣ୍ଡିଆ ଦନ୍ତାହାତୀ ଉତ୍ପାତ ଚଳାଇଛି। ହାତୀଟି ଗାଁ ଲୋକଙ୍କ ଘରଦ୍ବାର ଭାଙ୍ଗିବା ସହ ସଞ୍ଚିତ ଧାନ ଚାଉଳ ଖାଇଯାଉଛି। ହାତୀଟିର କାର୍ଯ୍ୟକାଳପକୁ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିଲାବେଳେ ଗତକାଲି ରାତିରେ ହାତୀଟି ସୋଲଡ଼େଗାର ଜଣକୁ ଘର ଭିତରରୁ ଟାଣି ଆଣି କଚାଡ଼ି ମାରିଦେଇଛି।

Advertisment

ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସମସ୍ତେ ଶୋଇଥିଲାବେଳେ ହାତୀଟି ସୋଲଡ଼େଗା ଗାଁରେ ପଶି ଲୁସା ଓରାମ୍‌ (୫୦)ଙ୍କ ଘରର ଖପର ଛାତକୁ ଟାଣି କାନ୍ଥ ଭାଙ୍ଗି ଦେଇଥିଲା। ଶୋଇଥିବା ଲୁସା ଓରାମଙ୍କ ଉପରେ ଘର କାନ୍ଥ ପଡିଥିଲା। ପତ୍ନୀ ବୀରସି ଓରାମ୍‌ (୪୫) ଓ ବିଜୟ ଓରାମ୍‌(୨୫) ଦୌଡ଼ି ପଳାଇ ଥିଲେ, ମାତ୍ର ଉପରେ କାନ୍ଥ ପଡ଼ି ଯାଇଥିବାରୁ ଲୁସା ଘଟଣାସ୍ଥଳରୁ ଯାଇ ନ ପାରି ପାଟି କରିବାରୁ ହାତୀଟି ତାଙ୍କୁ ଘର ଭିତରୁ ଟାଣିନେଇ ଭୂଇଁ ଉପରେ କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଲୁସାଙ୍କର ମୃତ୍ୟୁ ହୋଇଥିଲା।

ଆଜି ସକା‌େଳ ଖବର ପାଇ ଏସିଏଫ୍‌ ଜୋହାନା ଓରାମ୍‌, ରେଞ୍ଜ ଅଧିକାରୀ ପ୍ରସନ୍ନ ସେଠୀ ଓ ବନପାଳ ପ୍ରଦୀପ ଭୋଇ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିବା ସହ ତାଙ୍କ ଉତ୍ତରାଧିକାରୀଙ୍କୁ ଚାକିରି ପ୍ରତିଶ୍ରୁତି ଦେଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।