ଭୁବନେଶ୍ବର: ରାତି ଅଧରେ ଶଶୁରଘରେ ଚୋରଙ୍କ ଭଳି ପଶି ସ୍ତ୍ରୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା। ଖଣ୍ଡାରେ ହାଣି ସ୍ତ୍ରୀ ଓ ଶାଶୂଙ୍କୁ ଗୁରୁତର କଲା। କିନ୍ତୁ ଏତିକିବେଳେ ଶଳାର ଠେଙ୍ଗା ପାହାର ପଡ଼ିଲା। ମା’ ଓ ଭଉଣୀଙ୍କୁ ରକ୍ତମୁଖା ଭିଣୋଇ ମୁହଁରୁ ରକ୍ଷା କରିବାକୁ ଯାଇ ଶଳା ଠେଙ୍ଗାରେ ଶକ୍ତ ପାହାର ପକାଇଲା। ହାତରୁ ଖଣ୍ଡା ଖସିବା ପର୍ଯ୍ୟନ୍ତ ଚାଲିଲା ଠେଙ୍ଗା ପାହାର। ଶେଷରେ ଶଶୁର ଘର ଅଗଣାରେ ଜୋଇଁ ପ୍ରାଣ ହରାଇଲା। ସ୍ତ୍ରୀକୁ ମାରିବାକୁ ଆସି ନିଜେ ମଲା। ଯେଉଁ ଅଗଣାରେ ଦିନେ ବରବେଶରେ ବେଦିରେ ବସି ସ୍ତ୍ରୀଙ୍କ ପାଣିଗ୍ରହଣ କରିଥିଲା, ସେହି ଅଗଣାରେ ଗଡ଼ିଲା ଜୋଇଁର ମୃତଦେହ। ଗତକାଲି ବିଳମ୍ବିତ ରାତିରେ ଏମିତି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି ଇନ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ଗ୍ରାମଡିହ ଗାଁରେ। ମୃତକ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଗୁନ୍ଥଳ ମଣିଗାଁ ଜଟିସାହିର ଦିବାକର ବସ୍ତିଆ(୩୫)। ମୃତ୍ୟୁ ପୂର୍ବରୁ ଦିବାକରର ଖଣ୍ଡା ଚୋଟରେ ଗୁରୁତର ହୋଇଥିବା ସ୍ତ୍ରୀ ଲକ୍ଷ୍ମୀପ୍ରିୟା ଜେନା ଓ ଶାଶୂ ବିଦୁଲତା ଏବେ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଲକ୍ଷ୍ମୀପ୍ରିୟାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ପୁଲିସ ଘଟଣାସ୍ଥଳରୁ ଖଣ୍ଡା, ଠେଙ୍ଗା ଜବତ କରିବା ସହ ଶଳା ରାଜେଶ ଜେନାକୁ ଅଟକ ରଖିଛି। ମୃତ ଦିବାକରଙ୍କ ସାନଭାଇ ସନ୍ତୋଷ ବସ୍ତିଆଙ୍କ ଅଭିଯୋଗ ଆଧାରରେ ପୁଲିସ ହତ୍ୟା ମାମଲା ରୁଜୁ କରିଛି। ୨୦୨୨ ମସିହାରେ ଦିବାକର ଗ୍ରାମଡିହ ଗାଁର ପ୍ରମୋଦ ଜେନାଙ୍କ ଝିଅ ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରିଥିଲେ। ଗାଡ଼ିଚାଳକ କାମ କରୁଥିବା ଦିବାକରର ରୋଜଗାର ମଦନିଶାକୁ ପାଉନଥିଲା। ଆର୍ଥିକ ସମସ୍ୟା ଯୋଗୁ ସେ ଶଶୁରଙ୍କଠାରୁ ଟଙ୍କା ଆଣିବାକୁ କହି ସ୍ତ୍ରୀ ଲକ୍ଷ୍ମୀପ୍ରିୟାଙ୍କୁ ନିର୍ଯାତନା ଦେଇଆସୁଥିଲା। ନିର୍ଯାତନା ଅସହ୍ୟ ହେବାରୁ ୨୦୨୩ ମସିହାରେ ଲକ୍ଷ୍ମୀପ୍ରିୟା ବାପଘରକୁ ଚାଲି ଆସିଥିଲେ।
ସେତେବେଳେ ସେ ୭ମାସର ଗର୍ଭବତୀ ଥିଲେ। ପରେ ସେ କନ୍ୟାସନ୍ତାନକୁ ଜନ୍ମ ଦେଲେ। ଏହା ଭିତରେ ଦିବାକର ବାରମ୍ବାର ଶଶୁର ଘରକୁ ଆସି ଲକ୍ଷ୍ମୀପ୍ରିୟାଙ୍କ ସହ ଝଗଡ଼ା କରିଥିଲା। ତେଣୁ ଲକ୍ଷ୍ମୀପ୍ରିୟା ଦୁଇ ଦୁଇ ଥର ଇନ୍ଫୋଭ୍ୟାଲି ଥାନାରେ ଅଭିଯୋଗ କରିଥିଲେ। ପରେ ଦୁଇଟି ମାମଲା ମଧ୍ୟ ରୁଜୁ କରାଯାଇଥିଲା। ତେଣୁ ରାଗରେ ଜଳିଉଠିଥିଲା ଦିବାକର। ସବୁଦିନ ପାଇଁ ପତ୍ନୀଙ୍କୁ ରାସ୍ତାରୁ ହଟାଇବା ଲାଗି ଦିବାକର ଯୋଜନା କରିଥିଲା। ଶନିବାର ରାତି ପ୍ରାୟ ସାଢ଼େ ୨ଟା ସମୟରେ ଦିବାକର ବାଇକ୍ ଯୋଗେ ଗ୍ରାମଡିହରେ ପହଞ୍ଚିଥିଲା। ଶଶୁରଘର ବାଡ଼ି ପଛପଟେ ଏକ ଜଙ୍ଗଲିଆ ସ୍ଥାନରେ ବାଇକ୍କୁ ରଖି ସେ ଖଣ୍ଡା ଧରି ଆଗେଇଥିଲା। ଶଶୁରଘର ଛାତରେ ଚଢ଼ି ଶିଡ଼ିଘର ବାଟ ଦେଇ ଭିତରକୁ ଯାଇଥିଲା। ତା’ ପାଟିଶୁଣି ସ୍ତ୍ରୀ ଲକ୍ଷ୍ମୀପ୍ରିୟା ଓ ଶାଶୂ ବିଦୁଲତା ଉଠିପଡ଼ି ଥିଲେ। କିନ୍ତୁ ସେମାନେ କେହି କିଛି ବୁଝିବା ପୂର୍ବରୁ ଦିବାକର ଅତର୍କିତ ଭାବେ ଖଣ୍ଡାରେ ଲକ୍ଷ୍ମୀପ୍ରିୟାଙ୍କୁ ହାଣି ପକାଇଥିଲା। ପ୍ରଥମ ଚୋଟ ତାଙ୍କ ହାତରେ ବାଜିଥିଲା ଏବଂ ଲକ୍ଷ୍ମୀଙ୍କ ପାପୁଲି ଛିଡ଼ି ଯାଇଥିଲା। ଦ୍ବିତୀୟ ଚୋଟ ତାଙ୍କ କାନ୍ଧରେ ବାଜିଥିଲା।
ଏତିକିବେଳେ ଝିଅକୁ ବଞ୍ଚାଇବା ଲାଗି ବିଦୁଲତା ଆଗକୁ ଆସିଥିଲେ। ଫଳରେ ଦିବାକରର ଖଣ୍ଡାଚୋଟରେ ତାଙ୍କ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା ଏବଂ ତାଙ୍କର ୪ଟି ଆଙ୍ଗୁଠି ଛିଡ଼ିଯାଇଥିଲା। ସେମାନଙ୍କ ବିକଳ ରଡ଼ି ଶୁଣି ରାଜେଶ ଉଠିପଡ଼ିଥିଲେ। ତାଙ୍କୁ ଦେଖି ରକ୍ତମୁଖା ହୋଇପଡ଼ିଥିବା ଦିବାକର ଗୋଡ଼ାଇଥିଲା। ବିକଳରେ ରାଜେଶ ଅଗଣାରେ ଥିବା ଏକ ଠେଙ୍ଗା ଉଠାଇ ପ୍ରତିରୋଧ କରିଥିଲେ। ନିଜକୁ ବଞ୍ଚାଇବାକୁ ଯାଇ ସେ ଆଖିକାନ ବୁଜି ଦିବାକରକୁ ଠେଙ୍ଗା ପାହାର ପକାଇଥିଲେ। ୨/୪ ପାହାରରେ ଦିବାକର ସେଇଠି ଟଳିପଡ଼ିଥିଲା। ରାଜେଶ ତୁରନ୍ତ ଇନ୍ଫୋଭ୍ୟାଲି ଥାନାକୁ ଫୋନ୍ କରିଥିଲେ। ପୁଲିସ ଘଟଣାସ୍ଥଳରୁ ୩ଜଣଙ୍କୁ ଡାକ୍ତରଖାନା ପଠାଇଥିଲା। କ୍ୟାପିଟାଲ୍ ହସ୍ପିଟାଲ୍ରେ ଡାକ୍ତର ଦିବାକରକୁ ମୃତ ଘୋଷଣା କରିଥିଲେ।