କନକତୋରା: ଶନିବାର ରାତି ପ୍ରାୟ ୧୧ଟା ବେଳେ ଝାରସୁଗୁଡ଼ା ଜିଲ୍ଲା ସୀମାନ୍ତବର୍ତ୍ତୀ ରେଙ୍ଗାଲି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର କନକତୋରା ଛକ ପାଖରେ ଗୋଟାଏ ଟ୍ରକ୍‌ ଧକ୍କା ଦେବାରୁ ଜଣେ ବାଇକ୍‌ ଆରୋହୀ ଯୁବକଙ୍କର ମୃତ୍ୟୁ ଘଟିଛି।

Advertisment

ମୃତ ଯୁବକ ହେଉଛନ୍ତି କନକତୋରା ଗାଁର ୨୪ ବର୍ଷିୟ ମନୋଜ ସାହୁ। ସବୁଦିନ ଭଳି ଗତରାତିରେ ମଧ୍ୟ ମନୋଜ କନକତୋରା କାଳିମନ୍ଦିର ନିକଟରେ ଥିବା ତାଙ୍କ କୁକୁଡ଼ା ଫାର୍ମ୍‌ରୁ ବାଇକ୍‌ ଚଳାଇ ଘରକୁ ଫେରୁଥିଲେ। ଜାତୀୟ ରାଜପଥ ପାର୍ଶ୍ୱସ୍ଥ ମଣ୍ଡୁ ଢାବା ପାଖରେ ଝାରସୁଗୁଡ଼ା ପଟୁ ଛତିଶଗଡ଼ ଆଡ଼କୁ ଲୁହାପଥର ନେଇ ଯାଉଥିବା ‘ସିଜି୧୫ଡିପି ୫୭୧୮’ ନମ୍ବରଧାରୀ ଟ୍ରକ୍‌ ମନୋଜ ଚଳାଉଥିବା

‘ଓଆର୍‌୨୩ଇ୯୩୧୧’ନମ୍ବରବିଶିଷ୍ଟ ‘ପେସନ୍‌ ପ୍ରୋ’ ମୋଟର୍‌ସାଇକେଲ୍‌କୁ ପଛପଟୁ ଧକ୍କା ଦେଇ ମନୋଜଙ୍କୁ ପ୍ରାୟ ତିନି ଶହ ମିଟର ଦୂରକୁ ଘୋଷାରି ନେଇଯାଇଥିଲା। ଫଳତଃ ଘଟଣାସ୍ଥଳରେ ହିଁ ମନୋଜଙ୍କର ମୃତ୍ୟୁ ଘଟିଥିଲା।

publive-image Image Courtesy of Jagaran

ଖବର ପାଇ କନକତୋରା ବିଟ୍‌ ହାଉସ୍‌ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଲୋକେ ମଧ୍ୟ ଏଭଳି ଦାରୁଣ ଦୁଃସମ୍ବାଦରେ ମର୍ମାହତ ହେବା ସହ ଉତ୍‌କ୍ଷିପ୍ତ ହୋଇ ଶନିବାର ରାତି ପ୍ରାୟ ୧୨ଟାରୁ ରବିବାର ସକାଳ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ। ତେଣୁ, ରାସ୍ତାର ଉଭୟ ଦିଗରେ ଶହ ଶହ ଯାନବାହନ ଅଟକି ରହିଥିଲା।

ରେଙ୍ଗାଲି ପୁଲିସ ଉତ୍ତ୍ୟକ୍ତ ଜନତାଙ୍କୁ ବୁଝାଶୁଝା କରାଇ କ୍ଷତିପୂରଣର ବ୍ୟବସ୍ଥା କରାଇବା ଓ ଦୋଷୀ ପ୍ରତି ଦଣ୍ଡବିଧାନ କରିବା ଲାଗି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୁ ଅବରୋଧ ହଟିଥିଲା।

ପ୍ରାପ୍ତ ସୂଚନା ଅନୁସାରେ, ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୁଲିସ ମନୋଜଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ପ୍ରତି ରାସ୍ତାରେ ଯାନବାହନ ଚଳାଚଳ ସ୍ୱାଭାବିକ ହେଉଛି।