ନବରଂଗପୁର: ମଦ୍ୟପ ସ୍ବାମୀ ହ୍ରିଂସ ହୋଇଉଠିଛି। ସାତ ଦୀପ, ଆଠ କଳସ ଏବଂ ଅଗ୍ନିକୁ ସାକ୍ଷୀ କରି ବିବାହ କରିଥିବା ସ୍ତ୍ରୀଙ୍କୁ ଅତି ନିର୍ଦୟ ଭାବରେ ହତ୍ୟା କରିଛି। ଅର୍ଦ୍ଧାଙ୍ଗିନୀ ପ୍ରତି ସାମନ୍ୟ ମାନବିକତା ଭୁଲି ଯାଇ ଛତାମୁନରେ ବାରମ୍ବାର ଭୁସି ହତ୍ୟା କରିଛି। ନବରଂଗପୁର ଟାଉନ୍‌ ଥାନା ଅନ୍ତର୍ଗତ ବଡ଼ଡାଇଭଟା ଗାଁରେ ରବିବାର ଏହି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ହେଲେ ସସ୍ମିତା ଖିଲୋ।

Advertisment

ପୁଲିସ କହିଛି ମାଲକାନାଗିରି ଜିଲ୍ଲାର ରବି ଖିଲୋଙ୍କୁ ବଡ଼ଡାଇଭଟା ସସ୍ମିତା ଖିଲୋ ବିବାହ କରିଥିଲେ। କିନ୍ତୁ କୌଣସି କାରଣରୁ ରବି ଖିଲୋ ମାଲକାନଗିରି ଜିଲ୍ଲାର ନିଜ ପୈତୃକ ଘରେ ରହୁ ନଥିଲେ। ଉଭୟ ସ୍ବାମୀ ଓ ସ୍ତ୍ରୀ ଗତ ୬ ମାସ ହେବ ବଡ଼ଡାଇଭଟା ଗ୍ରାମରେ ରହି ଆସୁଥିଲେ। ସେମାନେ ଜାତୀୟ ରାଜପଥକଡ଼ରେ ମକା ପୋଡ଼ି ବ୍ୟବସାୟ କରି ପରିବାର ଚଳାଉଥିଲେ। ତାଙ୍କର ୨ଟି ପୁଅ ଅଛନ୍ତି।

ତେବେ ରବି ଖିଲୋ ପ୍ରତିଦିନ ମଦ ପିଉଥିବାରୁ ସସ୍ମିତାଙ୍କ ସହିତ ଝଗଡ଼ା କରୁଥିଲା। ମଦପିଇବାକୁ ନେଇ ସସ୍ମିତା ବାରଣ କରୁଥିଲେ ମଧ୍ୟ ରବି ଶୁଣୁ ନଥିଲା। ଆଜି ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ରବି ଉତ୍ତେଜିତ ହୋଇ ଘର ଭିତରେ ଥିବା ଛତାକୁ ଆଣି ସସ୍ମିତାଙ୍କ ଉପରେ ବାରମ୍ବାର ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ସସ୍ମିତାଙ୍କର ମୃତ୍ୟୁ ହୋଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଅଭିଯୁକ୍ତ ରବିକୁ ଅଟକ ରଖି ଅଧିକ ପଚରାଉଚରା କରୁଛି।