ପତ୍ନୀହନ୍ତା ସ୍ବାମୀକୁ ଆଜୀବନ ଜେଲ ଦଣ୍ଡ

ଭଦ୍ରକ: ଭଦ୍ରକର ଅତିରିକ୍ତ ଜିଲ୍ଲା ତଥା ଦୌରା ଜଜ୍ ଶ୍ରୀ ଆଶିଶ କୁମାର ତ୍ରିପାଠୀ ଏକ ହତ୍ୟା ମାମଲାର ବିଚାର କରି ବାସୁଦେବପୁର ଥାନା ଅନ୍ତର୍ଗତ ବିଷ୍ଣୁ ବିନ୍ଧା ଗ୍ରାମର ଅଗଣୀ ବେହେରାଙ୍କ ପୁତ୍ର ମଧୂସୁଦନ ବେହେରା (୪୫)କୁ ପିଙ୍ଗଳ କୋଡର ଦଫା ୩୦୨ରେ ଆଜୀବନ ଜେଲ ଦଣ୍ଡ ଓ ୫ ହଜାର ଟଙ୍କା ଜୋରିମାନା ଓ ଅନାଦେୟ ପୁଣି ୩ ମାସ ସଶ୍ରମ କାରାଦଣ୍ଡ , ୪୯୮(କ)ରେ ୩ ବର୍ଷ କାରାଦଣ୍ଡ ଓ ୩ ହଜାର ଟଂକା ଓ ଅନାଦେୟ ପୁଣି ୩ ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଆଇନ ଅନୁଯାୟୀ ସର୍ବୋଚ୍ଚ ଦଣ୍ଡ ଆଜୀବନ ଜେଲ ହୋଇ ଥିବାରୁ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡ ଭୋଗିବେ।
ବିବରଣି ଅନୁଯାୟି ମଧୂସୁଦନ ସିମୁଳିଆ ଥାନା ଅନ୍ତର୍ଗତ ଘଇଁସିବାଟି ଗ୍ରାମର ପଞ୍ଚାନନ ଲେଙ୍କାଙ୍କ କନ୍ୟା ଖୁଲାଣାକୁ ବିବାହ କରିଥିଲେ। ବିବାହ ପରେ ୨ ଗୋଟି ପିଲାର ବାପା ମଧୁସୂଦନ ନିଜର ପତ୍ନୀକୁ ଅଧିକ ଯୌରୁକ ଦାବି କରି ନିଜ ମାତା ନାଣ୍ଡି ପ୍ରରୋଚନାରେ ପଡି ନିର୍ଯାତନା ଦେଇ ଆସୁଥିଲା।ଉଭୟ ସ୍ବାମୀ ସ୍ତ୍ରୀ ଗତ ୨୦୧୬ ମସିହା ଫେବ୍ରୁଆରି ୧୨ ତାରିଖରେ ନିଜ ବେଡ ରୁମରେ ରାତିରେ ଶୋଇଥିବା ସମୟେ ସ୍ବାମୀ ମଧୂସୁଦନ ଖୁଲଣାକୁ ଏକ ଧାରୁଆ କତାରେ ହାଣି ଜୀବନରୁ ମାରି ଦେଇଥିବାର ଅଭିଯୋଗ କରି ଖୁଲଣାର ଭାଇ ମନ୍ମଥ ତା ପରଦିନ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ କ୍ରମେ ବାସୁଦେବପୁର ଥାନା କେସ ନଂ-୪୨/୧୬ ଦଫା-୪୯୮(କ),୩୦୨,୪୦୬ ରେ ଏକ ମାମଲା ରୁଜୁ କରି ମଧୂସୂଦନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।ମଧୂସୂଦନ ବିଚାରାଧିନ ବନ୍ଦୀ ଭାବରେ ଜେଲରେ ଅଟକ ଥିବା ବେଳେ ନିଜର ୨ ପୁଅ ବାପା ବିରୁଦ୍ଧରେ ସାଖି ଦେଇଥିଲେ। ଏ ମାମଲାରେ କୌଣସି ପ୍ରତ୍ୟକ୍ଷଦର୍ଶୀ ସାଖି ନ ଥିଲେ ମଧ୍ୟ ପାରିପାର୍ଶିକ ସାକ୍ଷିମାନଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ମଧୂସୁଦନକୁ ଉପରୋକ୍ତ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ମାମଲାଟିକୁ ଅଭିଯୋଗକାରୀଙ୍କ ତରଫରୁ ସରକାରି ଓକିଲ ପ୍ରଦୀପ ସାମଲ, ଅରୁଣ କୁମାର ମିଶ୍ର, ସୂର୍ଯ୍ୟକାନ୍ତ କୁଅଁର ପରିଚାଳନା କରୁଥିଲେ।
ସମ୍ବନ୍ଧିତ ଖବର