ମୋରଡ଼ା ଅଞ୍ଚଳରେ ଡବଲ୍‌ ମର୍ଡର: ଘରକଳିରୁ ଶାଶୂ ଓ ପତ୍ନୀ ହତ୍ୟା

ମୋରଡ଼ା: ସୋମବାର ସକାଳେ ମୋରଡ଼ା ଥାନା ଅଧୀନ ଚିକିମାଟିଆ ପଞ୍ଚାୟତ ଅନ୍ତର୍ଗତ ଘୋଡ଼ାବନ୍ଧା ଖୁଣ୍ଟାପାଳ ଗ୍ରାମରେ ଜଣେ ବ୍ୟକ୍ତି ତାଙ୍କ ଶାଶୂ ଓ ପତ୍ନୀଙ୍କୁ ହତ୍ୟା କରିଛନ୍ତି।

ଆତତାୟୀ ଜ୍ୱାଇଁ ହେଉଛନ୍ତି ସ୍ୱର୍ଗତ ମଡ଼ିରାମ ମହାନ୍ତଙ୍କ ପୁତ୍ର ପୂର୍ଣ୍ଣଚନ୍ଦ୍ର ମହାନ୍ତ। ତାଙ୍କ ଶଶୁରଘର ଖୁଣ୍ଟାପାଳର ମଝିସାହି ଧଡ଼ାସାହିରେ।

ଆଜି ଭୋର୍‌ ପ୍ରାୟ ଛଅଟା ବେଳେ ଉଭୟ ମାଆ ଓ ଝିଅ ଘରେ ବସି ଶାଳପତ୍ର ସିଉଁଥିବା ବେଳେ ପୂର୍ଣ୍ଣଚନ୍ଦ୍ର ସେଠାରେ ପହଞ୍ଚି ଗୋଟାଏ କୁରାଢ଼ିରେ ହାଣି ସେମାନଙ୍କୁ ହତ୍ୟା କରିଥିଲେ।

ମଦ ଖାଉଥିବା ପୂର୍ଣ୍ଣଚନ୍ଦ୍ର ବରାବର ପତ୍ନୀଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ; ଗାଳିମନ୍ଦ ମାରଧର କରୁଥିଲେ, କିନ୍ତୁ ବାସ୍ତବରେ ସେପରି କିଛି ନାହିଁ ବୋଲି କୁହାଯାଉଛି।

ଶନିବାର ଦିନ ମଧ୍ୟ ପୂର୍ଣ୍ଣଚନ୍ଦ୍ର ଶଶୁରଘର ଯାଇ ଶାଶୂ ଓ ପତ୍ନୀଙ୍କୁ ଗାଳିଗୁଲଜ କରିବା ସହ ସେମାନଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଗତକାଲି ମାଆ ଓ ଝିଅ ମୋରଡ଼ା ଥାନାକୁ ଯାଇ ପୁଲିସକୁ ସୁରକ୍ଷା ମାଗିଥିଲେ ବି ପୁଲିସ କୌଣସି ପଦକ୍ଷେପ ନେଇ ନ ଥିଲା।

ଗାଁକୁ ଯାଇ ହତ୍ୟାକାରୀ ପୂର୍ଣ୍ଣଚନ୍ଦ୍ରକୁ ପୁଲିସ ଧରିଛନ୍ତି। କିନ୍ତୁ ଉତ୍‌କ୍ଷିପ୍ତ ଗ୍ରାମବାସୀ ପୁଲିସକୁ ଅଟକ ରଖିଛନ୍ତି।

ସମ୍ବନ୍ଧିତ ଖବର