ଗଡ଼ଶ୍ରୀରାମପୁରରେ ୨୦ ଘଣ୍ଟା ଧରି ଯୁବକ ଗୃହବନ୍ଦୀ, ତାଲାଭାଙ୍ଗି ଉଦ୍ଧାର କଲା ପିସିଆର ପୁଲିସ

ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ଗଡ଼ଶ୍ରୀରାମପୁର ମୌଜା (ଓଡ଼ପଡ଼ା) ଅଞ୍ଚଳର ଏକ ଡୁପ୍ଲେକ୍ସରେ ଜଣେ ଯୁବକଙ୍କୁ ଦୀର୍ଘ ୨୦ ଘଣ୍ଟା ଧରି ଗୃହବନ୍ଦୀ କରି ରଖାଯିବା ଘଟଣା ଚର୍ଚ୍ଚାର ବିଷୟ ହୋରିଛି । ପରିବାର ଲୋକ ବହୁ ଖୋଜାଖୋଜି ପରେ ଯୁବକଙ୍କ ପତ୍ତାନମିଳିବାରୁ ଆଜି ସକାଳେ ପୁଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ଜଣାଇଥିଲେ । ଗ୍ରାମବାସୀମାନେ ଡୁପ୍ଲେକ୍ସକୁ ଦୀର୍ଘ ସମୟ ଘରି ରହିଥିଲେ । ଏନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ବାଳକାଟି ଫାଣ୍ଡି ପିସିଆର ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ତାଲାଭାଙ୍ଗି ଯୁବକଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା । ଚିକିତ୍ସା ଲାଗି ଯୁବକଙ୍କୁ ପୁଳିସ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । ଅନ୍ୟପକ୍ଷରେ ଅଭିଯୁକ୍ତ ଘର ମାଲିକକୁ ଫାଣ୍ଡିରେ ଅଟକ ରଖି ପୁଲିସ ଛାଡ଼ି ଦେଇଥିବା ଜଣାପଡ଼ିଛି ।

ପ୍ରାପ୍ତ ସୂଚନାନୁଯାୟୀ ଭୁବନେଶ୍ବର ୯ନମ୍ବର ଅଞ୍ଚଳର ଜଣେ ବ୍ୟକ୍ତି ଓଡ଼ପଡ଼ାରେ ଡୁପ୍ଲେକ୍ସ ଭଡ଼ା ନେଇ ରଙ୍ଗିନ ମାଛ , ବାରମାସି ପକ୍ଷୀ ଓ ବିଦେଶୀ କୁକୁର ବ୍ୟବସାୟ କରନ୍ତି । ସଂପୃକ୍ତ ଘର ମାଲିକଙ୍କ ଘରେ ସ୍ଥାନୀୟ ଯଶୁଆପୁର ଗ୍ରାମର ବିଶ୍ବଜିତ ସ୍ବାଇଁ (ଗାଲୁଆ) କାମ କରନ୍ତି । ଗତକାଲି ଅପରାହ୍ନ ୪ଟା ସମୟରେ ଗାଲୁଆ ବାହାରକୁ ନେଇଥିବା କୁକୁର ବାଇକ ଧକ୍କାରେ ଗୁରୁତର ଆହତ ହୋଇଥିଲା । ଆହତ କୁକୁରକୁ ଧରି ଗାଲୁଆ ଘର ମାଲିକ ଘରେ ପହଞ୍ଚିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଘର ମାଲିକ ଗାଲୁଆକୁ ବାଡ଼ାପିଟା କରି ଏକ କୋଠରୀରେ ତାଲା ପକାଇ ରଖିଥିଲା । ଗାଲୁଆର ଘରକୁ ଫେରିବାରେ ଡେରି ହେବାରୁ ପରିବାର ଲୋକଙ୍କର ସନ୍ଦେହ ବଢ଼ିଥିଲା । ପରିବାର ଲୋକ ଘରମାଲିକଙ୍କୁ ବାରମ୍ବାର ଫୋନ କରିଥିଲେ । ମାତ୍ର ସେ ଫୋନ ଉଠାଇନଥିଲେ । ଶେଷରେ ତାଙ୍କ ପରିବାର ଲୋକ ଥାନାରେ ଏନେଇ ଜଣାଇଥିଲେ । ଚଢ଼ଉ ସଂପର୍କରେ ଖବର ପାଇ ଘର ମାଲିକ ଖସି ପଳାଇଥିଲା । ଖବର ପାଇ ପୁଲିସ କବାଟ ତାଲାଭାଙ୍ଗି ଗାଲୁଆକୁ ଉଦ୍ଧାର କରି ହସ୍ପିଟାଲରେ ଚିକିତ୍ସା କରାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଅପରାହ୍ନରେ ଫାଣ୍ଡି ପୁଲିସ ଘର ମାଳିକଙ୍କୁ ଥାନାକୁ ନେଇ ଘଟଣାର ଆପୋସ ସମାଧାନ ପରେ ଛାଡ଼ି ଦେଇଥିଲା ।

ସମ୍ବନ୍ଧିତ ଖବର