ବାଦଗଡ଼ ଗାଁ ରକ୍ତରଂଜିତ : ପରାଜିତ ସରପଞ୍ଚ ସ୍ବାମୀଙ୍କୁ ନିର୍ମମ ହତ୍ୟା

ଶେରଗଡ଼ : କିଛି ଦିନର ବିରତି ପରେ ପୁଣି ଅଶାନ୍ତ ହୋଇ ଉଠିଛି ‌ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍‌ ଧରାକୋଟ ଥାନା ଅଧୀନ କୁଲାଗଡ଼ ପଞ୍ଚାୟତର ବାଦଗଡ଼ ଗାଁ। ଆଜି ସନ୍ଧ୍ୟାରେ ଗ୍ରାମର ବାବୁ ପ୍ରଧାନଙ୍କୁ ସଂଘବଦ୍ଧ ଭାବେ ପ୍ରାଣାନ୍ତକ ଆକ୍ରମଣ କରି ନିର୍ମମ ହତ୍ୟା କରାଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ବାବୁ ପ୍ରଧାନ ହେଉଛନ୍ତି ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ପରାଜିତ ସରପଞ୍ଚ ପ୍ରାର୍ଥୀ ଝିଲି ପ୍ରଧାନଙ୍କ ସ୍ବାମୀ। ବାବୁଙ୍କ ମୁଣ୍ଡ, ଦୁଇ ହାତ, ଦୁଇ ଗୋଡ଼, ପେଟ, ପିଠିରେ ୨୦ରୁ ଅଧିକ ଖଣ୍ଡା ଓ କାତି ଚୋଟ ପଡ଼ିଥିଲା। ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସଂଗେ ସଂଗେ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ହେଲେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଧରାକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବାବେଳେ ଗାଁରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।

ବାବୁ ଆଜି ସନ୍ଧ୍ୟାରେ ଗାଧୋଇବାକୁ ପୋଖରୀକୁ ଯାଇଥିବା ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଦୁର୍ବୃତ୍ତମାନେ ଖଣ୍ଡା, କାତି ସହ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ସେମାନେ ପଳାଇଯିବା ପରେ ‌ସ୍ଥାନୀୟ ଲୋକେ ବାବୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। କିନ୍ତୁ ବ୍ରହ୍ମପୁର ବଡ଼ମେଡିକାଲ ନିଆଯାଉଥିବା ସମୟରେ ରାସ୍ତାରେ ‌ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

ତେବେ କେଉଁ କାରଣରୁ ବାବୁଙ୍କୁ ହତ୍ୟା କରାଯାଇଛି ଏ ନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇପାରିନି। କିନ୍ତୁ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନଠୁ ବାଦଗଡ଼ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗିଥିବା ଛକାପଞ୍ଝା ଓ ରାଜନୈତିକ ଶତ୍ରୁତା ହିଁ ତାଙ୍କର ପ୍ରାଣ ନେଇଗଲା ବୋଲି ଚର୍ଚ୍ଚା ହେଉଛି। ସେହି ବର୍ଷ ଜୁନ୍ ମାସ ୨୫ ତାରିଖରେ କୁଲାଗଡ଼ ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ସୁବାସ ସାହୁଙ୍କୁ ଗାଁ ଦାଣ୍ଡରେ ହଣାଯିବା ସହ ଗୁଳି କରାଯାଇଥିଲା। କିଛି ଦିନ ପରେ ସେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ଏହି ହତ୍ୟାକାଣ୍ଡରେ ବାବୁ ମୁଖ୍ୟ ଅଭିଯୁକ୍ତ ଭାବେ ଏବଂ ତାଙ୍କ ସଂପର୍କୀୟମାନେ ବି ଗିରଫ ହୋଇଥିଲେ। କିଛି ମାସ ତଳେ ବାବୁ ଜାମିନରେ ଆସି ଗାଁ ବାହାରେ ରହୁଥିଲେ। ତେ‌େବ‌ ମା’ଙ୍କ ଦେହାନ୍ତ ଯୋଗୁଁ ଗାଁରେ ଆସି ରହିଥିଲେ। ତେଣୁ ପ୍ରତିଶୋଧପରାୟଣ ହୋଇ ପ୍ରତିପକ୍ଷ ଗୋଷ୍ଠୀ ହତ୍ୟା ପାଇଁ ଯୋଜନା କରିଥିବା ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ ‌କରାଯାଉଛି। ସୂଚନା ଥାଉକି, ଗତବର୍ଷ ବାବୁଙ୍କ ଭଣଜାଙ୍କୁ ବି ଅପହରଣ ପରେ ହତ୍ୟା କରାଯାଇଥିଲା। ତେଣୁ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର