ମିଳିଲାନି ଇନ୍ଦିରା ଆବାସ : ଆରପାରିକୁ ଚାଲିଗଲେ କଂସ

ପତ୍ନୀଙ୍କ ଅଭିଯୋଗ ପରେ ଜିଲ୍ଲାପାଳଙ୍କ ରିପୋର୍ଟ ତଲବ

ଟିକାବାଲି : ସରକାରୀ ସହାୟତାରେ ଘର ଖଣ୍ଡେ ମିଳିବ। ମୁଣ୍ଡକୁ ଛାତଟିଏ ପାଇ ଛଣଛପର ତଳେ ଜିଇଁବାର କଷ୍ଟରୁ ମୁକ୍ତି ମିଳିବ। ଏମିତି କେତେ କଣ ଭାବିଥି‌େଲ କଂସ। ହିତାଧିକାରୀ ତାଲିକାରେ ୧୪ ନମ୍ବରରେ ନାଁ ରହିଥିବାରୁ ଇନ୍ଦିରା ଆବାସ ଯୋଜନାରେ ଘରଟିଏ ମିଳିଯିବ ବୋଲି ନିଶ୍ଚିତ ଥିଲେ। ଏ ନେଇ ପଞ୍ଚାୟତର ସରକାରୀ ବାବୁ ଓ ସରପଞ୍ଚଙ୍କୁ ପିସି ମଧ୍ୟ ଦେଇଥିଲେ। ହେଲେ ପିସି ନେଇ ଚୁପ ରହିଗଲେ ଉଭୟେ। ତାଲିକାରେ ଥିବ‌ା ଅନ୍ୟ ଲୋକେ କାର୍ଯ୍ୟାଦେଶ ପାଇଗଲେ ସିନା କଂସଙ୍କୁ ଆଉ କାର୍ଯ୍ୟାଦେଶ ମିଳିଲା ନାହିଁ। ବାପାଙ୍କ ନାମରେ ଘରଡିହ ପଟ୍ଟା ଥିବାରୁ କଂସ କୁଆଡେ ଏଥିରୁ ବାଦ୍ ପଡ଼ିଥିଲେ ବୋଲି ମୌଖିକ ଭାବେ ଶୁଣିଥିଲେ। ‌ହେଲେ ଇନ୍ଦିରା ଆବାସକୁ ଅନାଇ ଅନାଇ କଂସ ଆରପାରିକି ଚାଲିଗଲେ।

କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ କଟିମାହା ପଞ୍ଚାୟତର ଦୁ‌େର୍ଯ୍ୟାଧନ ଦିଗାଳଙ୍କ ପୁଅ କଂସ ଦିଗାଳ(୬୦) ପଲ୍ଲୀସଭା ଓ ଗ୍ରାମ ସଭାର ଅନୁମୋଦନ କ୍ରମେ ହିତାଧିକାରୀ ଭାବେ ଚୟନ ହୋଇଥିଲେ ମଧ୍ୟ ଆବାସ ଯୋଜନରୁ ବାଦ ପଡିଥିଲେ। ଶେଷରେ ନିରାଶ କଂସ ଗତ ଜୁଲାଇ ୧୩ ତାରିଖରେ ଆଖି ବୁଜି ଦେଇଥିଲେ। ଏ ନେଇ କଂସଙ୍କ ପତ୍ନୀ ସାଧୁବାଣୀ ଦିଗାଳ ଜିଲ୍ଲାପାଳଙ୍କୁ ଗତ ସେପ୍ଟେମ୍ବର ୩ ତାରିଖରେ ଦୃଷ୍ଟି ଆକର୍ଷଣ କରିଥିଲୋ ଅଭିଯୋଗ ପରେ ଜିଲ୍ଲାପାଳ ଟିକାବାଲି ବିଡିଓ ଜସ୍ମିନ ପ୍ରଧାନଙ୍କୁ ଚିଠି ନଂ ୩୪ / ୧୭/୯/୨୦୧୮ ପ୍ରକାରେ ରିପୋର୍ଟ ତଲବ କରିଛନ୍ତି।

ଜିଲ୍ଲାପାଳଙ୍କ ନିକଟରେ ମୃତ କଂସଙ୍କ ପତ୍ନୀ ସାଧୁବାଣୀ ଦିଗାଳ ଆଣିଥିବା ଅଭିଯୋଗ ପ୍ରକାରେ ତାଙ୍କ ସ୍ବାମୀ ଜୀବିତ ଥିବା ବେଳେ ଇନ୍ଦିରା ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇବା ପାଇଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ୩ ହଜାର ଓ ସରପଞ୍ଚଙ୍କୁ ୨ ହଜାର ଟଙ୍କା ପିସି ଦେଇଥିଲେ। ମାତ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଏ ସମ୍ପର୍କରେ ଗୋଷ୍ଠୀ ଉନ୍ନୟନ ଜସ୍ମିନ ପ୍ରଧାନ କହିଛନ୍ତି ଯେ, ଘଟଣାର ତଦନ୍ତ ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ‌ଦିଆଯାଇଛି। ଘଟଣାର ସତ୍ୟାସତ୍ୟ ଜଣାପଡିଲେ କାର୍ଯ୍ୟାନୁଷ୍ଠାନ ସହ ଯୋଗ୍ୟ ହିତାଧିକାରୀ ହୋଇଥିଲେ ନିଶ୍ଚିତ ଏହି ଯୋଜନାରେ ସାମିଲ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର