ଯୁବକଙ୍କ ଉନ୍ମତ୍ତ କାଣ୍ଡ : ଉତ୍କଳ ବିଶ୍ୱବିଦ୍ୟାଳୟ ପରିଜା ଲାଇବ୍ରେରି ଛାତ ଉପରକୁ ଚଢ଼ି ଆତ୍ମହତ୍ୟା ଧମକ

ଭୁବନେଶ୍ୱର: ଶୁକ୍ରବାର ପୂର୍ବାହ୍ନରେ ଉତ୍କଳ ବିଶ୍ୱବିଦ୍ୟାଳୟର ପରିସରସ୍ଥ ପରିଜା ପାଠାଗାରର ଛାତ ଉପରକୁ ଚଢ଼ି ଜଣେ ଅପରିଚିତ ଯୁବକ ତଳକୁ ଡେଇଁ ପଡ଼ିବାକୁ ଧମକ ଦେଉଛନ୍ତି।

ଦୀର୍ଘ ଚାରି ଘଣ୍ଟା ହେବ ପୁଲିସ ଓ ଦମକଳ ବାହିନୀ ତାଙ୍କୁ ଧରିବାକୁ ଉଦ୍ୟମ ଚଳାଇଛନ୍ତି। ଯୁବକଟି ଦାନ୍ତ ଘଷିବାକୁ, ଖାଇବାକୁ ଓ ପାଣି ପିଇବାକୁ ମାଗୁଛି। ଦମକଳ ବାହିନୀର ସ୍କାଏଲିଫ୍‌ଟ୍‌ ଯୋଗେ ଏ ଖାଦ୍ୟ ନେଇ ତାଙ୍କୁ ପାଖକୁ ଯିବାକୁ ଉଦ୍ୟମ କଲା ବେଳେକୁ ସେ ତଳକୁ ଡେଇଁ ପଡ଼ିବେ ବୋଲି ଧମକ ଦେଉଛନ୍ତି।

ଯୁବକଟି ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଥିବରୁ ତାଙ୍କର ମସ୍ତିଷ୍କ ବିକୃତି ଥିବା କଥା ସ୍ଥାନୀୟ ଲୋକେ ଏବଂ ଛାତ୍ରମାନେ କହୁଛନ୍ତି। ସେ ନିଜର ପ୍ୟାଣ୍ଟକୁ ଓହ୍ଲାଇ ହାତରେ ଧରିଥିବା ଦେଖିବାକୁ ମିଳିଛି।

ଆସନ୍ତାକାଲି ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବାବେଳେ ଆଜିର ଏ ଘଟଣା ବିଶ୍ୱବିଦ୍ୟାଳୟ ପରିସରରେ ହଇଚଇ ସୃଷ୍ଟି କରିଛି। ବିଶ୍ୱବିଦ୍ୟାଳୟର କୁଳପତି, କର୍ମଚାରୀ ଏବଂ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ତାଙ୍କୁ ଉଦ୍ଧାର କରାଯିବା ବେଳେ ସମ୍ଭାବ୍ୟ ଅଘଟଣ ଏଡ଼ାଇବା ନିମନ୍ତେ ଅଗ୍ନିଶମ ବିଭାଗ ପକ୍ଷରୁ ତଳେ ଜାଲ ବିଛାଯାଇଛି।

ବିଶ୍ୱବିଦ୍ୟାଳୟ ପ୍ଲାଟିନମ ଜୁବଲି ଉତ୍ସବ ପାଳନ କରିବାକୁ ଯାଉଥିବା ବେଳେ ଯୁବକଙ୍କ ଆତ୍ମହତ୍ୟା ଧମକ ଏହା ଉପରେ ବଡ ପ୍ରଭାବ ପକାଇପାରେ ।  କାହିଁକି ଓ କେଉଁ ପରିସ୍ଥିତିରେ ଯୁବକ ଜଣକ ଆତ୍ମହତ୍ୟାର ଧମକ ଦେଉଛନ୍ତି ତାହା ଏଯାଏଁ ଜଣାପଡିନାହିଁ । ତେବେ ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଯୁବକ  ବାଣୀବିହାରର ଛାତ୍ର ନୁହେଁ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି ।

ସମ୍ବନ୍ଧିତ ଖବର