ସାବାସ୍‌ ସୁଶାନ୍ତ, ୨ ବାଳକଙ୍କୁ ଉଦ୍ଧାର କଲେ

ପୁରୀ : ରବିବାର ଅପରାହ୍ନ ପ୍ରାୟ ସାଢ଼େ ଚାରିଟା ସମୟ। ପୁରୀ ସଦର ଥାନା ଗୋରୁଆଳ ଗ୍ରାମର ସଞ୍ଜୟ ମାଛୁଆଙ୍କ ପୁଅ ଓମ୍‌ପ୍ରକାଶ ମାଛୁଆ (୭) ଓ ବୃନ୍ଦାବନ ସ୍ୱାଇଁଙ୍କ ପୁଅ ବଳରାମ ସ୍ୱାଇଁ (୮) ଗାଁ ପୋଖରୀରେ ଗାଧୋଇବା ସମୟରେ ଉଭୟଙ୍କର ଗୋଡ଼ ଖସିଯାଇଥିଲା। ଦୁହେଁ ଟଣାଓଟରା ହୋଇ ପୋଖରୀ ମଝିରେ ଉବୁଟୁବୁ ହେଉଥିଲେ। ଏହି ସମୟରେ ସେହି ପୋଖରୀ ବାଟ ଦେଇ ଯାଉଥିଲେ ଗ୍ରାମର ସୁଶାନ୍ତ ରାଉତ। ଦୁଇ ବାଳକଙ୍କୁ ପାଣିରେ ବୁଡ଼ି ଯାଉଥିବା ଦେଖି ସୁଶାନ୍ତ ତତ୍‌କ୍ଷଣାତ ନିଜ ଜୀବନକୁ ବାଜି ଲଗାଇ ପୋଖରୀ ଭିତରକୁ ଡେଇଁ ପଡିଥିଲେ। ପ୍ରଥମେ ଓମ୍‌ପ୍ରକାଶକୁ ଉଦ୍ଧାର କରିବା ପରେ ପୁଣି ଗଭୀର ପାଣି ଭିତରୁ ବଳରାମକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୂଳକୁ ଆଣିଥିଲେ ସୁଶାନ୍ତ। ସେତେବେଳକୁ ସେଠାରେ ଗାଁ ଲୋକେ ପହଞ୍ଚି ଯାଇଥିଲେ। ଦୁଇ ବାଳକଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବଳରାମର ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଥିବା ବେଳେ ଓମ୍‌ପ୍ରକାଶର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଅନ୍ୟପଟେ ସୁଶାନ୍ତଙ୍କ ସାହସିକତା ପାଇଁ ଦୁଇ ବାଳକ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚି ଯାଇଛନ୍ତି। ଏବେ ଗ୍ରାମର ସମସ୍ତଙ୍କ ମୁହଁରେ ଗୋଟିଏ କଥା ସାବାସ୍‌ ସୁଶାନ୍ତ।

ସମ୍ବନ୍ଧିତ ଖବର