ରାସ୍ତାରୁ ପାଇଥିବା ମନିପର୍ସ ଫେରାଇ ମାନବିକତାର ପରିଚୟ ଦେଲେ ସତ୍ୟ ନାରାୟଣ

ଭଞ୍ଜନଗର: ଆଜିକାଲିର ସ୍ୱାର୍ଥପର ଦୁନିଆରେ ଅନ୍ୟର ଜିନିଷକୁ କିଭଳି ନିଜର କରି ହେବ ସେହି ଲୋଭରେ ମଣିଷ ଦିନ କାଟୁଛନ୍ତି। ଅସାଧୁ ଉପାୟରେ ରାତା ରାତି ବଡ ଲୋକ ହେବାର ସ୍ୱପ୍ନ ଦେଖୁଥିବା ମଣିଷ ନିଜର ସ୍ୱାର୍ଥ ପାଇଁ ଭୁଲି ଯାଏ ମାନବିକତା। ନିଜର ସ୍ୱାର୍ଥ ହାସଲ ପାଇଁ ଅନ୍ୟର ଟଙ୍କା ଉପରେ ଲୋଲୁପ ଦୃଷ୍ଟି ପକାଇ ଚୋରି, ଡକାୟତି ଲୁଟ ଭଳି ଅପରାଧ କରିବାକୁ ମଧ୍ୟ ପଛଘୁଞ୍ଚା ଦିଏନାହିଁ। କିନ୍ତୁ ସମାଜରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ରାସ୍ତାରୁ ଅନ୍ୟର ଜିନିଷ ପାଇଲେ ମଧ୍ୟ ସେହି ଜିନିଷର ପ୍ରକୃତ ମାଲିକ ପାଖର ପହଞ୍ଚାଇ ଦେବା ପାଇଁ ପ୍ରଚେଷ୍ଟା ଜାରି ରଖନ୍ତି ଆଉ ସଫଳ ମଧ୍ୟ ହୁଅନ୍ତି। ଏଭଳି କିଛି ଲୋକ ମାନଙ୍କ ପାଇଁ ସମାଜରେ ଆଜି ବି ମାନବିକତା ବଞ୍ଚି ରହିଛି ବୋଲି ଅନୁଭବ ହୁଏ।

ଏଭଳି ଦୃଷ୍ଟାନ୍ତମୂଳକ ମାନବିକତାର ପରିଚୟ ଦେଖାଇଛନ୍ତି ଗଂଜାମ ଜିଲ୍ଲା ଭଞ୍ଜନଗରର ସତ୍ୟ ନାରାୟଣ ମହାରଣା। ସେ କିଛି ଦିନ ତଳେ ଗୋଚପାଳପୁର ବେଳାଭୂମୀକୁ ବୁଲିବାକୁ ଯାଇଥିବା ବେଳେ ସେଠାରେ ଜଣେ ବ୍ୟକ୍ତିଙ୍କ ମନିପର୍ସ ପଡିଥିବା ଦେଖିବାକୁ ପାଇଥିଲେ। ତାକୁ ଫେରାଇବା ପାଇଁ ସେଠାରେ ବହୁ ଚେଷ୍ଟା କରିବା ପରେ ତାର ପ୍ରକୃତ ମାଲିକକୁ ନପାଇ ସେହି ମନିପର୍ସଟିକୁ ସାଙ୍ଗରେ ନେଇ ଫେରିଥିଲେ। ଘରକୁ ଫେରିବା ପରେ ସେହି ପର୍ସଟିକୁ ନେଇ ଭଞ୍ଜନଗର ଥାନାରେ ଦେଇଥିଲେ।

ଥାନା ପକ୍ଷରୁ ପର୍ସରେ ଥିବା ଭୋଟର କାର୍ଡ ଏବଂ ଏଟିମ୍‌ କାର୍ଡ ଆଧାରରେ ଖୋଜିବା ପରେ ସେହି ଏଟିଏମ୍‌ଟି ଆସିକା ବ୍ଳକ୍‌ ଅଧିନ ନୂଆଁଗାର ତ୍ରିନାଥ ନାୟକଙ୍କ ବୋଲି ଜଣାପଡିଥିଲା। ପୁଲିସ୍‌ ତ୍ରିନାଥଙ୍କୁ ଖବର ଦେବା ପରେ ସେ ଆଜି ଭଞ୍ଜନଗର ଥାନାକୁ ଆସି ତାଙ୍କ ପନିପର୍ସକୁ ଫେରି ପାଇଥିଲେ। ତାଙ୍କ ପର୍ସରେ ୪ହଜାର ଟଙ୍କା ଥିବା ବେଳେ ଡ୍ରାଇଭିଂ ଲାଇସେନ୍‌ସ୍‌, ଗାଡିର ଆର୍ସି, ଆଧାରକାର୍ଡ, ପାନକାର୍ଡ ଆଦି ରଖିଥିଲେ। ସେ ସମସ୍ତ ଜିନିଷ ସୁରକ୍ଷିତ ରହିଥିବା ବେଳେ ଏହାକୁ ତ୍ରିନାଥ ପୁଣି ଫେରି ପାଇବେ ବୋଲି ଆଶା କରିନଥିବା ପ୍ରକାଶ କରିଛନ୍ତି।

ଗୋପାଳପୁରରେ ପର୍ସକୁ ପକାଇ ଦେଇଥିବା ବେଳେ ବିଭିନ୍ନ ଜାଗାରେ ବହୁ ଖୋଜାଖୋଜି କରି ତ୍ରିନାଥ ନିରାଶ ହୋଇଥିଲେ। ଆଜି ପୁଣି ସେ ତାଙ୍କ ପର୍ସକୁ ଫେରିପାଇଥିବାରୁ ସତ୍ୟ ନାରାୟଣଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ପୁଲିସ୍‌ ମଧ୍ୟ ତାଙ୍କ ପର୍ସ ସେର ଫେରି ପାଇବାରେ ସହାୟତା କରିଥିବାରୁ ଧନ୍ୟବାଦ ଜଣାଇଥିଲେ।

ସତ୍ୟ ନାରାୟଣ ଉତ୍ତର ଘୁମୁସର ବନଖଣ୍ଡ କାର୍ଯ୍ୟାଳୟରେ ଜଣେ କିରାଣୀ ଭାବେ କାର୍ଯ୍ୟ କରୁଥିବା କହିଛନ୍ତି। ତାଙ୍କର ଏଭଳି କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସତ୍ୟଙ୍କ ଏହି ମହାନ୍‌ ପଣିଆକୁ ପ୍ରଶଂସା କରିବା ସହ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ ଜଣାଇଥିଲେ। ସତ୍ୟଙ୍କ ଏଭଳି ମାନବିକତା ସମାଜରେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ବୋଲି ଥାନା ଅଧିକାରୀ ପ୍ରକାଶ କରିଥଲେ।

ସମ୍ବନ୍ଧିତ ଖବର