ମୋବାଇଲ ଟାଓ୍ଵାରରେ ଚଢ଼ିଲେ ଯୁବକ

୪ ଘଣ୍ଟା କାଳ ଅଗ୍ନିଶମ ବିଭାଗ ନାକେଦମ

ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ଉମୁରୀ ଠାରେ ଜଣେ ଯୁବକଙ୍କ ଉନ୍ମତ୍ତ କାଣ୍ଡ। ‘ଶୋଲେ’ ସିନେମା ଷ୍ଟାଇଲ୍‌ରେ ମୋବାଇଲ ଟାଓ୍ଵାରରେ ଚଢି ଆତ୍ମହତ୍ୟା ପାଇଁ ଧମକ ଦେଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ବୁଝାସୁଝା କରିଥିଲେ। କିନ୍ତୁ କାହା କଥା ଶୁଣି ନଥିଲେ ଯୁବକ ଜଣକ। ୪ଘଣ୍ଟା ଧରି ସମସ୍ତଙ୍କୁ ନାକେଦମ କରିବା ପରେ ଶେଷରେ ତଳକୁ ଓହ୍ଲାଇଥିଲେ।

ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ହରିଜନ ସାହିର ଗୁପ୍ତ ନାଇକ (୩୦) ପତ୍ନୀଙ୍କ ସହ ଝଗଡା କରିଥିଲେ। ଏଥିରେ ଅତିଷ୍ଠ ହୋଇ ପତ୍ନୀ ନିଜ ବାପାଙ୍କ ଘରକୁ ଚାଲି ଯାଇଥିଲେ। ଏହାପରେ ଗୁପ୍ତ ନିକଟସ୍ଥ ଗୋଟିଏ ମୋବାଇଲ ଟାଓ୍ଵାର ଉପରେ ଚଢି ଯାଇଥିଲା। ଖବର ପାଇ ଜୟପୁର ସଦର ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଘଟଣା ସଂପର୍କରେ ଅଗ୍ନିଶମ ବିଭାକୁ ବି ସୂଚନା ଦେଇଥିଲା। ଅଗ୍ନିଶମ ଅଧିକାରୀ ସନ୍ଦୀପ ବେହେରା ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଗୁପ୍ତ ଅଗ୍ନିଶମ କର୍ମଚାରୀଙ୍କୁ ଦେଖି ଡେଇଁ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲା। ଶେଷରେ ଗୁପ୍ତଙ୍କ ସ୍ତ୍ରୀ, ୨ପିଲା ଓ ଭାଇଙ୍କୁ ଡକାଯାଇଥିଲା। ସେମାନେ ଆସି ପହଞ୍ଚିବା ପରେ ପ୍ରାୟ ୬ଟାବେଳେ ଗୁପ୍ତଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଥିଲେ।


 

ସମ୍ବନ୍ଧିତ ଖବର