ପଞ୍ଜାବ: ଦିଲ୍ଲୀରେ ଦମ ଦେଖାଇବା ପରେ ଏବେ ପଞ୍ଜାବରେ ଦମ୍ ଦେଖାଇଛି ଆମ୍ ଆଦମୀ ପାର୍ଟୀ(ଆପ୍)। ଦିଲ୍ଲୀରେ ବିଜେପି ଆପ୍ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଥିବାର ଦାବି କରି ଆସ୍ଥା ଭୋଟ କରିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେଥିରେ ସେ ବିଜୟୀ ହେବା ପରେ ପଞ୍ଜାବରେ ମଧ୍ୟ ବିଜେପି ବିଧାୟକ କିଣିବାକୁ ପ୍ରସ୍ତାବ ଦେଉଥିବାର ଦାବି କରାଯିବାରୁ ଆଜି ପଞ୍ଜାବ ବିଧାନସଭାରେ ଆସ୍ଥା ଭୋଟ କରାଯାଇଥିଲା। ଏହି ଭୋଟରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଜିତିଥିବା ଜଣାପଡ଼ିିଛି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ସେପ୍ଟେମ୍ବର ୨୭ରେ ବିଧାନସଭାରେ ଆସ୍ଥା ଭୋଟ କରିବା ନେଇ ପ୍ରସ୍ତାବ ଦେଇଥିଲେ।

Advertisment

କିଛି ଦିନ ତଳେ ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଥିଲା ଯେ ରାଜ୍ୟରେ ଭଗୱନ୍ତ ମାନ ନେତୃତ୍ୱାଧୀନ ସରକାରକୁ ହଟାଇବାକୁ ବିଜେପି ଚେଷ୍ଟା କରୁଛି। କେବଳ ଏତିକି ନୁହେଁ ୧୦ଜଣ ବିଧାୟକଙ୍କୁ ୨୦-୨୫କୋଟି ଟଙ୍କା ଦେବାକୁ ଅଫର ଦେଇଥିବା ଆପ୍ ଅଭିଯୋଗ କରିଛି। ଗଣମାଧ୍ୟମକୁ ସମ୍ବୋଧିତ କରି ପଞ୍ଜାବ ଅର୍ଥମନ୍ତ୍ରୀ ହରପାଲ ସିଂ ଚୀମା ଅଭିଯୋଗ କରିଥିଲେ ଯେ, ରାଜ୍ୟରେ ‘ଅପରେସନ୍ ଲୋଟସ୍’ ଆରମ୍ଭ କରିବା ସହ ବିଜେପି କିଛି ଆପ୍ ବିଧାୟକଙ୍କୁ ଯୋଗାଯୋଗ କରିଛି। ଏଭଳି ଦାବି ପରେ ମାନ୍ ଆସ୍ଥା ଭୋଟ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହା ପୂର୍ବରୁ ସେ‌ପ୍ଟେମ୍ବର ୧ରେ ଆସ୍ଥା ଭୋଟ ଜିତିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆପର ୨୦-୨୫ ବିଧାୟକ ବିଜେପି ସହ ଯୋଗାଯୋଗ କରୁଥିବା ନେଇ ଦାବି କରାଯିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଭୁଲ ପ୍ରମାଣିତ କରିବା ପାଇଁ ଆସ୍ଥା କରିବାକୁ କହିଥିଲେ। ସେ‌ପ୍ଟେମ୍ବର ୧ରେ ବିଧାନସଭାରେ ଆସ୍ଥା ଭୋଟ କରାଯାଇଥିବା ବେଳେ କେଜ୍ରିୱାଲ ବହୁମତରେ ବିଜୟୀ ହୋଇଥିଲେ। ୫୮ଜଣ ବିଧାୟକ ଆସ୍ଥା ଭୋଟରେ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (ଆପ୍) ସପକ୍ଷରେ ଭୋଟ ଦେଇଥିଲେ। ୭୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପର ୬୨ଜଣ ବିଧାୟକ ଥିବାବେଳେ ବିଜେପିର ୮ଜଣ ବିଧାୟକ ଅଛନ୍ତି।