ପତ୍ନୀହନ୍ତାକୁ ୧୨ ବର୍ଷ ଜେଲ୍‌

ଚମ୍ପୁଆ: ପତ୍ନୀକୁ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀକୁ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ଯୋଡ଼ାସ୍ଥିତ ଆଜାଦ ବସ୍ତିରେ ରହୁଥିବା ଅଭିଷେକ ଶର୍ମା ଝାଡ଼ଖଣ୍ଡର ରାଞ୍ଚିର ସିମଲ୍ ଶର୍ମାକୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର ମାତ୍ର ଦୁଇ ବର୍ଷ ଭିତରେ ଉଭୟଙ୍କ ମଧ୍ୟରେ କେତେକ ସମସ୍ୟାକୁ ନେଇ ଝଗଡ଼ା ଲାଗି ରହିଥିଲା। ଚରିତ୍ର ଉପରେ ସନ୍ଦେହ କରି ସ୍ବାମୀ ୨୦୨୦ ମସିହା ଡିସେମ୍ବର ୨୪ ତାରିଖରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପଦେବାକୁ ଫ୍ୟାନରେ ଝୁଲାଇ ଦେଇଥିଲା।

ଏନେଇ ଅନିଲ ଶର୍ମାଙ୍କ ଯୋଡ଼ା ଥାନାରେ ଅଭିଯୋଗ କରିଥିଲେ। ଯୋଡ଼ା ପୁଲିସ କେଶ ନମ୍ବର ୧୮ ଦଫା ୩୦୨ ୨୦୧ /୩୦୪ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ  ଗିରଫ କରି କୋର୍ଟ ଚାଲାଣ କରିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ହତ୍ୟା କରାଯାଇଥିବା ପୁଲିସ ଜାଣିବାକୁ ପାଇଥିଲା। ୨୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଚମ୍ପୁଆ ଏଡିଜେ ସରୋଜ କୁମାର ଦାଶ ଆସାମୀ ଅଭିଷେକ ଶର୍ମାକୁ ୩୦୪ ଦଫାରେ ୧୦ ବର୍ଷ ଓ ୨୦୧ ଦଫାରେ ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ମଧୁସୂଦନ ପତି ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର