ଧଉଳି: ଭୁବନେଶ୍ୱର ଉପକଣ୍ଠ ଧଉଳି ଥାନା ପୁଲିସ ଆଜି ପ୍ରେମିକା ଉପରକୁ ଏସିଡ଼ ଫିଙ୍ଗି ହତ୍ୟା ଉଦ୍ୟମ କରିବା ଘଟଣାରେ ସଂପୃକ୍ତ ପ୍ରତାରକ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଧୀନ ଚଅଁରପଦା ଗ୍ରାମର ପପୁନି ରାଉତ(୨୨)। ତେବେ କୋର୍ଟରେ ପପୁନିର ଜାମିନ ଖାରଜ ହୋଇଯିବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

Advertisment

ପପୁନି ଅଗଷ୍ଟମାସ ୧୧ ତାରିଖ ସଂଧ୍ୟା ୫ଟା ସମୟରେ ପୀଡ଼ିତା ଯୁବତୀଙ୍କୁ ଶାନ୍ତିସ୍ତୂପ ବୁଲାଇବାକୁ ଆଣିଥିଲା। ଆଉ ଏଠାରେ ଯୁବତୀ ଜଣକ ତାଙ୍କ ସହ ଘରକୁ ଯିବାକୁ ଜିଦି କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଆଉ ଏଥିରେ ଉତକ୍ଷିପ୍ତ ହୋଇ ପପୁନି ତାଙ୍କ ଉପରକୁ ଏସିଡ଼ ପକାଇ ହତ୍ୟା ଉଦ୍ୟମ କରିଥିଲା। ସୌଭାଗ୍ୟବଶତଃ ଯୁବତୀ ଏଥିରୁ ବର୍ତ୍ତି ଯାଇଥିଲେ ହେଁ ତାଙ୍କ ତଳପାର୍ଶ୍ବ ବେକଠାରୁ ମୁହଁ ପର୍ଯ୍ୟନ୍ତ ମାତ୍ର ଅଳ୍ପକିଛି ଅଂଶ ପୋଡ଼ିଯାଇଥିଲା। ଖବର ପାଇ ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ଷତାକ୍ତ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଚିକିତ୍ସା କରାଇଥିଲା। ଆଉ ତାଙ୍କୁ ନେଇ  ଘରେ ଛାଡ଼ିଥିଲା।

ସୂଚନା ଅନୁଯାୟୀ ପପୁନି ଓ ସଂପୃକ୍ତ ଯୁବତୀ ଗତ ୧୪ ମାସ ତଳେ କୋର୍ଟରେ ବିବାହ କରିଥିଲେ। ହେଲେ ଦୁହେଁ ଭିନ୍ନ ଜାତିର ହୋଇଥିବାରୁ ପରିବାର ଲୋକ ଏହି ବିବାହକୁ ବିରୋଧ କରିଥିଲେ। ତେଣୁ ଦୁହେଁ ଅଲଗା ହୋଇ ନିଜ ନଜ ଘରେ ରହୁଥିଲେ। ଘଟଣା ଦିନ ପପୁନି ଯୁବତୀଙ୍କୁ ଶାନ୍ତିସ୍ତୂପ ବୁଲାଇବାକୁ ଆଣିଥିଲା। ଆଉ ଶାନ୍ତିସ୍ତୂପ ନିକଟରେ ଏନେଇ ଦୁହିଁଙ୍କ ଭିତରେ ଝଗଡ଼ା ହୋଇଥିଲା। ଆଉ ଏଥିରେ ରାଗିଯାଇ ପପୁନି ତାଙ୍କ ମୁହଁକୁ ଏସିଡ଼ ଫିଙ୍ଗି ଫେରାର ହୋଇଯାଇଥିଲା। ଆଉ ଘଟଣାର ଦେଢ଼ମାସ ପରେ ଧଉଳି ଥାନା ପୁଲିସ ପପୁନିକୁ ଗତକାଲି ଗିରଫ କରିବାରେ ସଫଳ ହୋଇଥିଲା।