ପତ୍ନୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ମାଲକାନଗିରି: ଜିଲ୍ଲା ଜଜ ରେଖା ପ୍ରସାଦ ଆଜି ଏକ ହତ୍ୟା ଘଟଣାର ବିଚାର କରି ହତ୍ୟା ଅଭିଯୁକ୍ତ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଓର୍କେଲ ଥାନା ଦୈନିକ ବଜାର ବାଲିମେଳା ନିବାସୀ ସୁଲତାନ ସିଂକୁ ଆଜୀବନ କାରାଦଣ୍ଡି ଦଣ୍ଡିତ କରିଛନ୍ତି। ୨୯ ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଏହି ଦଣ୍ଡେଦେଶ ଶୁଣାଇଛନ୍ତି।

ପ୍ରକାଶ ଥାଉକି ୨୦୧୬ ମସିହା ମେ’ ମାସ ୨୧ ତାରିଖ ଦିନ ଏହି ସଂପର୍କରେ ବାଲିମଳା ଏନଏସିର ଵାର୍ଡ ନମ୍ବର ୧୭ର କାଉନସେଲର ଜୟନ୍ତୀ ଜାନୀ ଓର୍କେଲ ଥାନାରେ ଏନେଇ ଏକ ଏତଲା ଦାୟର କରିଥିଲେ। ଏତଲାରେ ଦର୍ଶାଯାଇଥିଲା ଯେ ବାଲିମେଳାର ଡମ୍ପିଂ ପାଖ ପାଵାର ହାଉସ କେନାଲରେ ଏକ ମୃତ ଦେହ ଭାସୁଛି। ଏହି ଏତଲାକୁ ଭିତ୍ତିକରି ଓର୍କେଲ ଥାନାର ପୁଲିସ ଏକ ୟୁଡି କେଶ ଦାୟର କରିଥିଲା। ପୁଲିସ ଏ ସଂପର୍କରେ ତଦନ୍ତ କରି ଜାଣିବାକୁ ପାଇଲା ଯେ ବାଲିମେଳା ଦୈନିକ ବଜାରର ଅଭିଯୁକ୍ତି ସୁଲତାନ ସିଂଙ୍କ ପତ୍ନୀ ରଶ୍ମିତା ବାଘ ବୋଲି ଜଣାପଡିଲା। ପୁଲିସ ଏହାର ଅଧିକା ତଦନ୍ତ କରି ଜାଣିବାକୁ ପାଇଲା ଯେ ସ୍ବାମୀ ସୁଲତାନ ହିଁ ତାର ପତ୍ନୀକୁ ହତ୍ୟା କରି ଏକ ଜରି ବସ୍ତାରେ ପୁରାଇ ପାଵାର ହାଉସର କେନାଲରେ ଫିଙ୍ଗି ଦେଇଥିଲା।

ଓର୍କେଲ ପୁଲିସ ଏନେଇ ଏକ ହତ୍ୟା କେଶ କରି କେଶ ନମ୍ବର ୪୬/୨୦୧୬ ଅଭିଯୁକ୍ତ ସୁଲତାନ ସିଂ, ମହେନ୍ଦ୍ର ଜେନା, ଅଭିଯୁକ୍ତଙ୍କ ବାପା କଲବିନ୍ଦର ସିଂ, ମାତା ଅରଜିତ କୌରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଜିଲ୍ଲା ଜଜ ରେଖା ପ୍ରସାଦ ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତି କରି ମୁଖ୍ୟ ଅଭିଯୁକ୍ତ ସୁଲତାନ ସିଂକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଏବଂ ଏଥିସହ ୨୦ ହଜାର ଟଂକା ଜରିମାନା କରିବାକୁ ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିବାକୁ ନିର୍ଦେଶ ଦେଇଛନ୍ତି।ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନଙ୍କର କେଶ ମାଲକାନଗିରି ଜିଲ୍ଲା ଜଜଙ୍କ ନିକଟରେ ବିଚାରଧୀନ ରହିଛି। ଏହି ମାମଲାକୁ ସରକାରଙ୍କ ତରଫରୁ କ୍ୟାଡର ପିପି ମହେନ୍ଦ୍ର କୁମାର ନାଗ ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର