କାର୍ଯ୍ୟାନୁଷ୍ଠାନ ନ ହେବାରୁ ଥାନାରେ ନିଜକୁ ଜାଳିଦେଲେ

ଗୁରୁତର ଅବସ୍ଥାରେ କଟକ ମେଡିକାଲ‌ରେ ଭର୍ତ୍ତି, କିଶନନଗର ଆଇଆଇସିଙ୍କୁ ନିଲମ୍ବନ ପାଇଁ ସୁପାରିସ

କିଶନନଗର : କୌଣସି ବ୍ୟକ୍ତି ଅଭିଯୋଗ ଧରି ଆସିଲେ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ରାଜ୍ୟ ସରକାରଙ୍କ ସ୍ପଷ୍ଟ ନିର୍ଦେଶ ରହିଛି। ‘୫ଟି’ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ସିଧାସଳଖ ଲୋକଙ୍କ ମତାମତ ନେଇ ଏହା ଠିକ୍ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ, ତାହା ପରଖୁଛନ୍ତି। ଏସବୁ ସତ୍ତ୍ବେ କଟକ ଜିଲ୍ଲା କିଶନନଗର ଥାନା ପରିସରରେ ଆଜି ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଛି। ବାରମ୍ବାର ଥାନାକୁ ଦୌଡି ଜଣେ ବ୍ୟକ୍ତି ନ୍ୟାୟ ନ ପାଇବାରୁ ଏହାର ପ୍ରତିବାଦରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ସ୍ଥାନୀୟ ଇଶାଣୀବ୍ରହ୍ମପୁର ସାଇଁ ପୋରୁଆଁ ଗ୍ରାମର ଗୁଣନିଧି ବିଶୋଇ (୫୨)। ତାଙ୍କୁ ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ହଇଚଇ ହେବା ପରେ କଟକ ଜିଲ୍ଲା ଏସ୍‌ପି କିଶନନଗର ଥାନା ଆଇଆଇସିଙ୍କୁ ନିଲମ୍ବିତ କରିବା ପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କୁ ସୁପାରିସ କରିଥିବା ସୂଚନା ମିଳିଛି।

ମିଳିଥିବା ଖବର ଅନୁସାରେ, ୪ ଦିନ ପୂର୍ବେ ଜମିବାଡ଼ି ବିବାଦକୁ ନେଇ ଗୁଣନିଧିଙ୍କ ପୁତୁରା ସାଗର ବିଶୋଇ ତାଙ୍କୁ ମାଡ଼ମାରି ମୁଣ୍ଡ ଫଟାଇ ଦେଇଥିଲେ। ଏ ନେଇ ଗୁଣନିଧି କିଶନନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୁଲିସ ତାଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ନ୍ୟାୟ ପାଇବା ପାଇଁ ୪ ଦିନ ହେଲା ଗୁଣନିଧି ଥାନାକୁ ଦୌଡୁଥିଲେ ବି କିଶନନଗର ପୁଲିସ ନ୍ୟାୟ ଦେବା ପରିବର୍ତ୍ତେ ଟାଳଟୁଳ ନୀତି ଅବଲମ୍ବନ କରିଚାଲିଥିଲା। ଆଜି ସକାଳେ ଗୁଣନିଧି ଥାନାରେ ପୁଣି ପହଞ୍ଚି ନ୍ୟାୟ ଭିକ୍ଷା କରିଥିଲେ। ହେଲେ ପୁଲିସ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା। ଏଥିରେ ବ୍ୟଥିତ ହୋଇ ଗୁଣନିଧି ଆତ୍ମାହୁତି ଭଳି ଚରମ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଥିଲେ।

ସମୟ ଦିନ ପ୍ରାୟ ୧୨ଟା ବାଜିଥିଲା। ଥାନା ଓ ଆଇଆଇସିଙ୍କ ଆବାସ ସମ୍ମୁଖରେ ଥିବା ତ୍ରିନାଥ ମନ୍ଦିର ନିକଟସ୍ଥ ଏକ ଦେବଦାରୁ ଗଛ ତଳେ ଗୁଣନିଧି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁଣନିଧି ହୁତୁହୁତୁ ହୋଇ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ତାଙ୍କ ଉପରେ ପାଣି ପକାଇ ନିଆଁ ଲିଭାଇ ଥିଲେ। ପ୍ରଥମେ ତାଙ୍କୁ ପୁଲିସ ଗାଡ଼ିରେ ଥାନା ପରିସରରୁ ନିଆଯାଇଥିବା ବେଳେ ପରେ ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହେବାପରେ କିଶନନଗର ଥାନା ଆଇଆଇସି ସସ୍ମିତା ରଣା ଥାନା ପରିସର ଛାଡ଼ି ଚାଲିଯାଇଥିଲେ। ସ୍ଥାନୀୟ ଲୋକେ ଥାନା ସମ୍ମୁଖରେ ଆଇଆଇସିଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ। ପରିସ୍ଥିତି ମୁକାବିଲା ପାଇଁ ଥାନା ପରିସରରେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।

କଟକ ଏଏସପି କୃଷ୍ଣ ପ୍ରସାଦ ପଟ୍ଟନାୟକ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ଚଳାଇବା ସହ ପରିସ୍ଥିତି ଉପରେ ନଜର ରଖିଛନ୍ତି। କଟକ ଡିଏସ୍‌ପି ରଞ୍ଜିତ ପୃଷ୍ଟି, ସାଲେପୁର ଏସ୍‌ଡିପିଓ ବିମଲ ବାରିକଙ୍କ ସମେତ ସାଲେପୁର, ନିଶ୍ଚିନ୍ତକୋଇଲି ଓ ନେମାଳ ଥାନା ଆଇଆଇସି, ଅନ୍ୟ ଅଧିକାରୀ ଓ ସ୍ପେଶାଲ ବ୍ରାଞ୍ଚ ଅଧିକାରୀ ସରୋଜ କୁମାର ଶଥପଥୀ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହି ଘଟଣାର ଅନୁଧ୍ୟାନ କରିଥିଲେ।

ସମ୍ବନ୍ଧିତ ଖବର