ରାଜକନିକା: ବିବାହ ପ୍ରସ୍ତାବ ଦେଖିବା ପାଇଁ ଆସିଥିବା ଜଣେ ଯୁବକର ଉନ୍ମତ୍ତକାଣ୍ଡ ରାଜକନିକା ଅଞ୍ଚଳ‌ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଯୁବକ ଜଣକ ଛୁରିରେ ଯୁବତୀଙ୍କ ଗଳା କାଟି ଦେଇଛି। ଗୁରୁତର ଆହତ ଯୁବତୀଙ୍କୁ ବନ୍ଦ ଘରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ସୂଚନା ମୁତାବକ, ରାଜକନିକା ଥାନା ଅନ୍ତର୍ଗତ ଗାରଡ଼ପୁର ଗାଁର ସୁବ୍ରତ ନାୟକ(୨୬) ଓ ଜୟନଗର ପଞ୍ଚାୟତ ଅଞ୍ଚଳର ୨୦ବର୍ଷ ବୟସର ଯୁବତୀଙ୍କ ମଧ୍ୟରେ ବିବାହ ପାଇଁ ପ୍ରସ୍ତାବ ପଡ଼ିଥିଲା। ପୂର୍ବରୁ ଏ ନେଇ କଥାବାର୍ତ୍ତା ଓ ଦେଖାସାକ୍ଷାତ ହୋଇଥିଲା। ଆଜି ଦିନ ପ୍ରାୟ ୧୦ଟାରେ ସୁବ୍ରତ ଓ ତା’ ମା’ ପୁଣି ଥରେ ଝିଅ ଦେଖିବା ପାଇଁ ଯାଇଥିଲେ। ଏହାପରେ ଝିଅ ସହ ଏକାନ୍ତରେ କଥା ହେବା ପାଇଁ ସୁବ୍ରତ କହିଥିଲା।

Advertisment

ବନ୍ଦ ଘରୁ ଯୁବତୀ ଉଦ୍ଧାର, ଖୁଣ୍ଟରେ ଯୁବକକୁ ବାନ୍ଧି ପକାଇଲେ ଗ୍ରାମବାସୀ

ପରିବାର ସହମତିରେ ପୁଅ ଓ ଝିଅ ଗୋଟିଏ ଘରେ କଥା ହେବାକୁ ଯାଇଥିଲେ। ସେଠାରେ ସୁବ୍ରତ କବାଟ ବନ୍ଦ କରି ଏକ ଛୁରିରେ ଯୁବତୀଙ୍କ ଗଳା କାଟି ଦେଇଥିଲା। ଫଳରେ ଯୁବତୀଙ୍କ ଗଳାର ଦୁଇଟି ସ୍ଥାନରେ ଗୁରୁତର କ୍ଷତ ସୃଷ୍ଟି ହୋଇଛି। ଚିତ୍କାର ଶୁଣି ପରିବାର ଲୋକ କବାଟ ଭାଙ୍ଗି ଝିଅକୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅନ୍ୟପଟେ, ଖବର ପାଇ ଗାଁ ଲୋକମାନେ ସେଠାରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିବା ସହ ଏକ ଖୁଣ୍ଟରେ ବାନ୍ଧି ପୁଲିସକୁ ଖବର ଦେଇଥିଲେ। ଏ ନେଇ ଯୁବତୀଙ୍କ ମାମୁଙ୍କ ଏତଲାକ୍ରମେ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ସୁବ୍ରତକୁ ଗିରଫ କରାଯାଇଛି ବୋଲି ଥାନା ଅଧିକାରୀ ସଞ୍ଜୟ ମଲିକ ସୂଚନା ଦେଇଛନ୍ତି। ଯୁବତୀଜଣକ ଅନ୍ୟ କାହା ସହ ଫୋନ୍‌ରେ ଯୋଗାଯୋଗ ରଖୁଥିବା ସନ୍ଦେହ କରି ସୁବ୍ରତ ଏଭଳି କାଣ୍ଡ ଘଟାଇଥିବା ପୁଲିସକୁ କହିଛି।