ସମ୍ବଲପୁର: ଅସହ୍ୟ ହେଲା ପାରିବାରିକ କଳହ। ଆଉ ସହିପାରିଲେନି, ଶେଷରେ ବିଷ ପିଇ ଜୀବନ ହାରିଲେ ଯୁଯୁମୁରା ବ୍ଲକ କୁଶନପୁରୀର ସୁରଥ ଜୟପୁରିଆ(୩୧)। ଏଭଳି ଘଟଣା ଘଟିଛି ସମ୍ବଲପୁର ଶାସନ ଥାନା ଅଞ୍ଚଳରେ। ଶୁକ୍ରବାର ଦିନ ସାଢ଼େ ୧୧ଟା ସମୟରେ ସେରସୁଆନ୍ତଳ ନିକଟରେ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ପୁଲିସ ସୂଚନାରୁ ଜଣାପଡ଼ିଛି। ସୂଚନା ପାଇ ଶାସନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁରଥଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୁଲିସ ସୂଚନା ଅନୁଯାୟୀ, ସୁରଥ ଜୟପୁରିଆ ଏକ ଘରୋଇ କମ୍ପାନିରେ ସୁପର୍ଭାଇଜର୍ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କ ଶ୍ବଶୁର ଘରେ ରହୁଥିଲେ। ସୁରଥ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ପାରିବାରିକ କଳହ କାରଣରୁ ଏହା ପୂର୍ବରୁ ୨ ଥର ଆତ୍ମହତ୍ୟା ଉଦ୍ୟମ କରିସାରିଥିଲେ। ପାରିବାରିକ କଳହ ତଥାପି ଥମି ନଥିଲା। ଯେଉଁ କାରଣରୁ ସେ ମାନସିକ ଭାବେ ଚାପଗ୍ରସ୍ତ ରହି ଆସୁଥିଲେ। କୌଣସି କାମରେ ବାହାରକୁ ଯାଉଛି କହି ଶୁକ୍ରବାର ସକାଳେ ତାଙ୍କ ବାଇକ୍(ଓଡି ୧୫ ଏଲ୍ ୮୯୧୫) ଧରି ଘରୁ ଚାଲି ଯାଇଥିଲେ। ସେରସୁଆନ୍ତଳ ନିକଟରେ ଘାସମରା ଔଷଧ ପିଇ ଆତ୍ମହତ୍ୟା କରିଥିଲେ। ସ୍ଥାନୀୟ ଲୋକେ ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଛି।