ସଂଗରୋଧ କେନ୍ଦ୍ରରୁ ଫେରିବା ବେଳେ ଅଘଟଣ : ମା’ ସାମ୍ନାରେ ଛୁଆକୁ କଚାଡ଼ି ମାରିବା ପରେ ବାପାର ଆତ୍ମହତ୍ୟା!

କା‌କୀ-ପୁତୁରାରୁ ହୋଇଥିଲେ ସ୍ବାମୀ-ସ୍ତ୍ରୀ, ଲକ୍‌ଡାଉନରେ ମୁମ୍ବାଇରୁ ଫେରିଥିଲେ

ନୂଆପଡ଼ା : ସଂଗରୋଧ କେନ୍ଦ୍ରରୁ ଫେରିବା ବେଳେ ଅଘଟଣ। ପ୍ରଥମେ ନିଜ ଘରକୁ ଫେରିବାକୁ କେନ୍ଦ୍ର କରି ଯୁକ୍ତିତର୍କ ଓ ସେଥିରେ ଉତ୍ତ୍ୟକ୍ତ ହୋଇ ଜଣେ ଯୁବକ ତିନିମାସର ପୁଅକୁ ମା’ ଆଗରେ କଚାଡ଼ି ମାରିବା ପରେ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ ଶିଶୁକୁ ନେଇ ମ‌ା’ ‌କୋମନା ଥାନାରେ ପହଞ୍ଚିବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ଯୁବକଙ୍କ ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଚାନ୍ଦୋପଲା ଗାଁର ନୀଲୁ ଶବର ଓ ତାଙ୍କ କାକୀ ବେଲମତୀ ଶବରଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। କିଛି ମାସ ପୂର୍ବରୁ ଉଭୟେ ମୁମ୍ବାଇ ଚାଲି ଯାଇଥିଲେ। ସେଠାରେ ବେଲମତୀ ୩ ମାସ ତଳେ ଏକ ଶିଶୁପତ୍ରକୁ ଜନ୍ମ ଦେଇଥିଲେ। କରୋନା ମୁକାବିଲା ପାଇଁ ଦେଶରେ ଲକ୍‌ଡାଉନ ହେବାରୁ ନୀଲୁ କାମ କରୁଥିବା କାରଖାନା ବନ୍ଦ ହୋଇଯାଇଥିଲା। ଏହା ପରେ ନୀଲୁ ଓ ବେଲମତୀ ମୁମ୍ବାଇରୁ ଫେରି ଆସିଥିଲେ। ସେମାନେ ଆଗ୍ରେନ ପଞ୍ଚାୟତ ଗୋଇଯୋର ସରକାରୀ ସଂଗରୋଧ କେନ୍ଦ୍ରରେ ରହିଥିଲେ। ସଂଗରୋଧ ଅବଧି ଶେଷ ହେବା ପରେ ରବିବାର ବେଲମତୀ ନିଜ ଘରକୁ ଫେରିଯିବାକୁ କହିଥିଲେ। କିନ୍ତୁ ନୀଲୁ ଏଥିରେ ରାଜି ହୋଇ ନଥିଲେ। ସେ ଘରକୁ ଗଲେ ତାଙ୍କୁ ପରିବାର ଲୋକେ ମାରିଦେବେ ବୋଲି ବେଲମତୀଙ୍କୁ ବୁଝାଇଥିଲେ। କିନ୍ତୁ ବେଲମତୀ ଜିଦ୍‌ କରିବାରୁ ନୀଲୁ ରାଗିଯାଇ ତାଙ୍କୁ ଏକ ଅଁଳା ଗଛରେ ବାନ୍ଧି ଦେଇ ତାଙ୍କ ସାମ୍ନାରେ ୩ ମାସର ଶିଶୁପୁତ୍ରକୁ ପଥରରେ ୨ଥର କଚାଡ଼ି ଦେଇଥିଲେ। ସ୍ବାମୀର ଏପରି ପିଶାଚ ରୂପ ଦେଖି ବେଲମତୀ ଚିତ୍କାର କରିବା ସହ ଗଛରୁ ରଶି ଛିଣ୍ଡାଇ ‌ପଳାଇ ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ନୀଲୁ ତାଙ୍କୁ ମଧ୍ୟ ମାଡ଼ ମାରି ଲହୁଲୁହାଣ କରି ଦେଇଥିଲେ। ଏହାପରେ ମାନସିକ ଭାରସାମ୍ୟ ହରାଇ ନିକଟସ୍ଥ ଏକ ପଲସା ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ମୃତ ଶିଶୁପୁତ୍ରକୁ ଧରି ବେଲମତୀ କୋମନା ଥାନାରେ ପହଞ୍ଚି ସବୁ ଘଟଣା ବର୍ଣ୍ଣନା କରିଥିଲେ। କୋମନା ଥାନା ପୁଲିସ ଘଟଣାସ୍ଥଳରୁ ନୀଲୁଙ୍କ ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର