ପତ୍ନୀଙ୍କ ଶାଢ଼ିରେ ଝୁଲି ଯୁବକଙ୍କ ଆତ୍ମହତ୍ୟା, ପତ୍ନୀ ଓ ଶାଶୂଙ୍କ ଗିରଫ ଦାବି

ଶବ ଛାଡ଼ୁ ନାହାନ୍ତି ଗ୍ରାମବାସୀ, ବିବାହ ପୂର୍ବରୁ ପତ୍ନୀ ଗର୍ଭବତୀ ଥିବା ଅଭିଯୋଗ

ରେଢ଼ାଖୋଲ: ସ୍ତ୍ରୀଙ୍କ ଶାଢ଼ିରେ ଝୁଲି ଆତ୍ମହତ୍ୟା କରିଛନ୍ତି ଯୁବକ। ବାହାଘର ପରେ ପତ୍ନୀ ଗର୍ଭବତୀ ଥିବା ଜାଣିବା ପରେ ମାନସିକ ଭାରସାମ୍ୟ ହରାଇ ଯୁବକ ଜଣକ ଏପରି କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଯୁବକଙ୍କ ଶାଶୂ ଓ ସ୍ତ୍ରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ। ଏପରିକି ଗ୍ରାମବାସୀ ପୁଲିସକୁ ଶବ ଜବତ କରିବାକୁ ଦେଇ ନାହାନ୍ତି। ଏହି ଘଟଣା ଆଜି ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ମୃତ ଯୁବକ ହେଲେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା କୁକୁଡ଼ାବାହାଳି ଗ୍ରାମର ମୋହନ ଦେହୁରୀ ଓରଫ ପିଣ୍ଟୁ (୨୫)। ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଘରେ କେହି ନଥିବା ବେଳେ ପିଣ୍ଟୁ ସ୍ତ୍ରୀଙ୍କ ଶାଢ଼ିରେ ଝୁଲି ଆତ୍ମହତ୍ୟା କରିଛନ୍ତି।

ପିଣ୍ଟୁଙ୍କ ମା’ ଚେର ଦେହୁରୀ ରେଢ଼ାଖୋଲ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ଚଳିତ ବର୍ଷ ଜାନୁଆରି ମାସ ୨୫ ତାରିଖରେ ବୈଦିକ ରୀତିରେ ପିଣ୍ଟୁଙ୍କ ବିବାହ ଚାରମାଳ ଥାନା ଅଞ୍ଚଳରେ ହୋଇଥିଲା। ବାହାଘର ପରେ ପିଣ୍ଟୁ ଓ ତାଙ୍କ ପରିବାର ଲୋକ ଜାଣିବାକୁ ପାଇଥିଲେ ଯେ ତାଙ୍କ ବୋହୂ ୩ରୁ ୫ ମାସର ଗର୍ଭବତୀ ଅଛନ୍ତି। ଏ ନେଇ ସେମାନେ ଝିଅ ଘର ଲୋକଙ୍କୁ ଗାଁକୁ ଡକାଇଥିଲେ। ଏ ନେଇ ଗାଁରେ ଏକ ସଭା ମଧ୍ୟ ବସିଥିଲା। ଗ୍ରାମବାସୀଙ୍କ ନିଷ୍ପତ୍ତି ଅନୁଯାୟୀ ରେଢ଼ାଖୋଲ ଉପଖଣ୍ତ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ସହିତ ଯୋଗାଯୋଗ କରାଯାଇଥିଲା। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପିଣ୍ଟୁଙ୍କ ପତ୍ନୀଙ୍କ ଅଲ୍‌ଟ୍ରାସାଉଣ୍ତ କରାଯାଇଥିଲା। ଅଲ୍‌ଟ୍ରାସାଉଣ୍ଟ୍‌ରୁ ପିଣ୍ଟୁଙ୍କ ପରିବାର ଲୋକ ଆଣିଥିବା ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ ହୋଇଥିଲା।

ପରବର୍ତ୍ତୀ ସମୟରେ ପତ୍ନୀ ଶାଶୂଘରେ ରହିବାକୁ ଚାହିଁ ନଥିଲେ। ଫଳରେ ପିଣ୍ଟୁ ତାଙ୍କୁ ବାପଘରେ ଛାଡ଼ି ଦେଇଥିଲେ। ସେଠାରେ ପତ୍ନୀ ପିଣ୍ଟୁଙ୍କ ପରିବାରର ଅଗୋଚରରେ ଗର୍ଭପାତ କରାଇଥିଲେ। ଏହାର କିଛିଦିନ ପରେ ପିଣ୍ଟୁ ଶ୍ବଶୁର ଘରକୁ ଯାଇ ପତ୍ନୀଙ୍କୁ ଫେରାଇ ଆଣିବାକୁ କହିଥିଲେ। ମାତ୍ର ସେଠାରେ ସ୍ତ୍ରୀ ଓ ଶାଶୂ ଉଭୟ ମିଶି ପିଣ୍ଟୁଙ୍କୁ ଗାଳିଗୁଲଜ କରିଥିଲେ। ଏହାକୁ ନେଇ ସେ କିଛିଦିନ ହେଲା ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ଗୋଟିଏ ପଟେ ଶାଶୂ ଘର ଲୋକଙ୍କ ଦୁର୍ବ୍ୟବହାର, ଅନ୍ୟପଟେ ସାଙ୍ଗ, ସାହି, ପଡ଼ିଶାଙ୍କ ଟାହିଟପରା ଯୋଗୁଁ ପିଣ୍ଟୁ ତାଙ୍କ ମାନସିକ ଭାରସାମ୍ୟ ହରାଇ ବସିଥିଲେ ବୋଲି ମା’ ଚେର ଅଭିଯୋଗରେ ଦର୍ଶାଇଛନ୍ତି। ଉଭୟ ଶାଶୂ ଓ ସ୍ତ୍ରୀ ମିଶି ବାରମ୍ବାର ମାନସିକ ଯନ୍ତ୍ରଣା ଦେଉଥିବାରୁ ପିଣ୍ଟୁ ଆତ୍ମହତ୍ୟା କରିଦେବ ବୋଲି ତାଙ୍କୁ ସବୁବେଳେ କହୁଥିଲା।

ଆଜି ସତକୁ ସତ ସେ ଆତ୍ମହତ୍ୟା କରିଦେଇଥିବା ପିଣ୍ଟୁଙ୍କ ମା’ କହିଛନ୍ତି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ ବି ଖବର ଲେଖା ହେବା ପର୍ଯ୍ୟନ୍ତ ଶବ ଜବତ କରିପାରି ନାହିଁ। ବୋହୂ ଓ ଶାଶୂଙ୍କ ଗିରଫ କରବା ପରେ ଯାଇ ଶବ ଛାଡ଼ିବୁ ବୋଲି ଗ୍ରାମବାସୀ କହିଛନ୍ତି। ପୁଲିସ ଏକ ମାମଲା ରୁଜୁ କରିଥିଲେ ହେଁ ଘଟଣାସ୍ଥଳରୁ ଶବ ବ୍ୟବଚ୍ଛେଦ ପାଇଁ ନେଇପାରି ନାହିଁ। ରିପୋର୍ଟ ଲେଖା ଯିବା ଯାଏ ଘଟଣାକୁ ନେଇ ଗଁାରେ ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧିତ ଖବର