ସମ୍ବଲପୁର: ସମ୍ବଲପୁରରୁ ଆସିଛି ଏକ ଅଭାବନୀୟ ଖବର।ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଆତ୍ମାହୁତି ଉଦ୍ୟମ କରିଥିବା କର୍ମଚାରୀଙ୍କର ମୃତ୍ୟୁଘଟିଛି। ଆଜି ସକାଳେ କୁଳପତି ଏକ ଉଚ୍ଚସ୍ତରୀୟ ବୈଠକ କରୁଥିବା ବେଳେ ଚାକିରି ସଂପର୍କିତ ବିଭିନ୍ନ ସମସ୍ୟା ନେଇ ତାଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଆତ୍ମାହୁତି ଉଦ୍ୟମ କରିଥିବା କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କର ମୃତ୍ୟୁଘଟିଛି। କୁଳପତିଙ୍କ ବୈଠକ ଚାଲିଥିବା ବେଳେ ନିଜ ଦେହରେ ପେଟ୍ରୋଲ ଢାଳି ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ବୁର୍ଲା ଓ ପରେ ବୁର୍ଲାରୁ କଟକ ନେବା ବେଳେ ଅନୁଗୁଳ ଜିଲ୍ଲା ଜରାପଡ଼ା ନିକଟରେ ତାଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ଦୀନବନ୍ଧୁଙ୍କ ମୃତଦେହ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରଖାଯାଇଛି। ଆସନ୍ତାକାଲି ପୋଷ୍ଟମର୍ଟମ ହେବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ।
ସୂଚନା ଅନୁସାରେ ସମ୍ବଲପୁର ବିଶ୍ବବିଦ୍ୟାଳୟର କର୍ମଚାରୀ ଦୀନବନ୍ଧୁ ମିଶ୍ର ଟେକନିକାଲ ଆସିଷ୍ଟାଣ୍ଟ କମ୍ପ୍ୟୁଟର ପଦବୀରେ ଅବସ୍ଥାପିତ ଥିଲେ। ବକେୟା ଦରମା ଓ ଅନ୍ୟାନ୍ୟ ସମାସ୍ୟାର ସମାଧାନ ପାଇଁ ଏ ନେଇ ସେ ପୂର୍ବରୁ ବାରମ୍ବାର ଅଭିଯୋଗ କରିଥିଲେ। ଅନେକ କୁଳପତିଙ୍କୁ ନିଜର ଦାବି କହିଥିଲେ। ମାତ୍ର କେହି ଶୁଣି ନ ଥିଲେ। ପୂର୍ବରୁ ମଧ୍ୟ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମାତ୍ର ତାଙ୍କୁ ଉଦ୍ଧାର କରାଯାଇଥିଲା।
ଆଜି ବିଶ୍ବବିଦ୍ୟାଳୟ ପରିସରରେ ଏକ ବୈଠକ ଚାଲିଥିଲା। ବୈଠକରେ କୁଳପତି ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। କିଛି କର୍ମଚାରୀ ଭିଡିଓ କନଫରେନସିଂରେ ଯୋଡ଼ି ହୋଇଥିଲେ। ଏହି ସମୟରେ ପ୍ରକୋଷ୍ଠ ବାହାରେ ଦୀନବନ୍ଧୁ ପେଟ୍ରୋଲ ଢ଼ାଳି ଦେହରେ ନିଆଁ ଲଗାଇ ଦେଇଥିଲେ। ଘଟଣାସ୍ଥଳରେ ତାଙ୍କର ଶରୀର ପ୍ରାୟ ୯୦ ପ୍ରତିଶତ ଜଳି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି ବୁର୍ଲା ମେଡିକାଲ ନିଆଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। କିିନ୍ତୁ କଟକ ଯିବା ରାସ୍ତାରେ ଅନୁଗୁଳ ନିକଟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତାଙ୍କୁ ବୁର୍ଲା ଫେରାଇ ଅଣାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/sambalpur-university-issue-20_Thumb-1.jpg)