ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି ହେଲେ ମଧ୍ୟ ଏହି ସବୁ କାର୍ଯ୍ୟକଳାପ ଜାରି ରହିବ

ଭୁବନେଶ୍ୱର: ସମ୍ପ୍ରତି ରାଜ୍ୟ କୋଭିଡ୍‌-୧୯ ମହାମାରୀ ସଂକ୍ରମଣଜନିତ ଜଟିଳ ପରିସ୍ଥିତି ମଧ୍ୟରେ ଗତି କରୁଥିବା ବେଳେ ନବବର୍ଷ ଅବସରରେ ଉତ୍ସବ ଅନୁଷ୍ଠାନ ଆଦି ଯୋଗୁଁ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇବା ଆଶଙ୍କାରେ ରାଜ୍ୟ ସରକାର ଡିସେମ୍ବର ୩୧ ରାତି ୧୦ଟାରୁ ଜାନୁଆରୀ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରିଛନ୍ତି। କିନ୍ତୁ, ଏହି କର୍ଫ୍ୟୁ ସମୟରେ କେତେକ ଜରୁରୀ ସେବା ଓ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି। କର୍ଫ୍ୟୁ ବଳବତ୍ତର ଥିଲେ ସୁଦ୍ଧା ଏହି ସବୁ ସେବା ଓ କାର୍ଯ୍ୟକଳାପ ଚାଲୁ ରହିବ।

ଜିଲ୍ଲା ଏବଂ ପୌର ପ୍ରଶାସନ, ପୁଲିସ, ଦମକଳ ସେବା ତଥା ଜରୁରୀକାଳୀନ ଡିୟୁଟିରେ ଥିବା ରାଜ୍ୟ ଓ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ ଓ କର୍ମଚାରୀମାନେ ଯାତାୟାତ କରିପାରିବେ।

ଡିୟୁଟିରେ ଥିବା ପ୍ରତିରକ୍ଷା ଓ ସଶସ୍ତ୍ର ପୁଲିସ ବଳ ମଧ୍ୟ ତାଙ୍କ କାର୍ଯ୍ୟ ସମ୍ପାଦନ କରିପାରିବେ।

ସମସ୍ତ ଘରୋଇ ଡାକ୍ତରଖାନା, କ୍ଲିନିକ୍‌, ନର୍ସିଙ୍ଗ୍‌ହୋମ୍‌ ଓ ଔଷଧ ଦୋକାନ ସମେତ ସମସ୍ତ ଡାକ୍ତରୀ ପ୍ରତିଷ୍ଠାନର କାର୍ଯ୍ୟ ଚାଲୁ ରହିବ।
ଡିୟୁଟିରେ ଥିବା ଡାକ୍ତର ଓ ପାରାମେଡି, ଔଷଧ ଦୋକାନର ମାଲିକ ଓ କର୍ମଚାରୀଙ୍କ ସମେତ ସମସ୍ତ ସ୍ୱାସ୍ଥ୍ୟସେବା କର୍ମଚାରୀ ଓ ଆମ୍ବୁଲାନ୍ସ୍‌ ଚଳାଚଳ କରିପାରିବ।

ଡାକ୍ତରୀ କିଂବା ଅନ୍ୟ କୌଣସି ଜରୁରୀ କାର୍ଯ୍ୟରେ ଥିବା ଯେକୌଣସି ବ୍ୟକ୍ତିବିଶେଷ ମଧ୍ୟ ଯିବାଆସିବା କରିପାରିବେ।

‘ଆଇଟି’ କର୍ମଚାରୀ ଏବଂ ‘ଆଇଟି’ କମ୍ପାନିମାନେ ସେମାନଙ୍କର ପରିଚୟ ପତ୍ର ଦେଖାଇ ଯାଇ ପାରିବେ।
କାର୍ଯ୍ୟାଳୟ ଚଳାଉଥିବା ସହକାରୀ ଏବଂ କର୍ମଚାରୀଙ୍କ ସମେତ ଟେଲିକମ୍‌ ସେବା କରୁଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ମଧ୍ୟ କର୍ଫ୍ୟୁ ପ୍ରଯୁଜ୍ୟ ହେବନାହିଁ।

‘ଆଇଏମ୍‌ଡି’ ସମେତ ପୂର୍ବ ସତର୍କ ସୂଚନା ଜାରି କରୁଥିବା ସଂସ୍ଥାନ ଖୋଲା ରହିବ।

ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନ ମଧ୍ୟ ଯଥାମତେ କାର୍ଯ୍ୟ କରିବ।

ଡିୟୁଟିରେ ଥିବା ଜଳ ଯୋଗାଣ, ପରିମଳ ଏବଂ ସଫେଇ କର୍ମଚାରୀ ସେମାନଙ୍କ କାମ କରିପାରିବେ।

ବିଦ୍ୟୁତ୍‌ ଉତ୍ପାଦନ, ପ୍ରସାରଣ ଏବଂ ବଣ୍ଟନ ସଂସ୍ଥାନ ମଧ୍ୟ ଚାଲୁ ରହିବ।

ବିମାନ, ସମୁଦ୍ରରେ ଜାହାଜ ଚଳାଚଳ ଓ ରେଳସେବା। ବିମାନ ବନ୍ଦର, ରେଳ ଷ୍ଟେସନ୍‌, ବସ୍‌ ଟର୍ମିନାଲ୍‌ ପରିଚାଳନା ଏବଂ ସେମାନଙ୍କ ସହ ଜଡ଼ିତ କାର୍ଯ୍ୟାଳୟ ଏବଂ କାର୍ଯ୍ୟ ଓ କର୍ମଚାରୀମାନଙ୍କ ପ୍ରତି ଏହି କର୍ଫ୍ୟୁ ଲାଗୁ ହେବ ନାହିଁ।

କର୍ଫ୍ୟୁ ଜାରି ହେଲେ ମଧ୍ୟ ପୂର୍ବରୁ ରାଜପଥରେ ଚାଲିଥିବା ଯାନବାହନ ଚଳାଚଳ କରିପାରିବେ।

ମାଲ୍‌ ବୋଝେଇ ହୋଇଥିବା ବା ଖାଲିଥିବା ମାଲ୍‌ ପରିବହନକାରୀ ଯାନ ଓ ସାମଗ୍ରୀ ମଧ୍ୟ ଏହି ସମୟରେ ଯାଇ ପାରିବେ।

ବିମାନ ବନ୍ଦର ଓ ରେଳ ଷ୍ଟେସନ୍‌କୁ ଯାଉଥିବା ବ୍ୟକ୍ତିଗତ ଯାନ ଓ ଟ୍ୟାକ୍ସି ଓ ସାଧାରଣ ପରିବହନ ପାଇଁ ଅନୁମତି ମିଳିବ।

ବଟଲିଙ୍ଗ୍‌, ବଣ୍ଟନ ଏବଂ ଖାଉଟି ବିକ୍ରୟ କେନ୍ଦ୍ର ସମେତ ପେଟ୍ରୋଲ୍‌ ପମ୍ପ୍‌, ସିଏନ୍‌ଜି ଷ୍ଟେସନ୍‌ ଓ ଏଲ୍‌ପିଜି ଯୋଗାଣ ସଂସ୍ଥା ଖୋଲା ରହିବ।
ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର କର୍ମଚାରୀଙ୍କ କ୍ଷେତ୍ରରେ ମଧ୍ୟ ଏହି କର୍ଫ୍ୟୁ କାର୍ଯ୍ୟକାରୀ ହେବନାହିଁ।

ଏହି ଆଦେଶକୁ ଉଲ୍ଲଂଘନ କରିଥିବା ବ୍ୟକ୍ତିବିଶେଷଙ୍କୁ ‘ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫’ ଏବଂ ଆନୁସଙ୍ଗିକ ଆଇନ ବଳରେ ଦଣ୍ଡ ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର