ସେତେବେଳେ ଦାନ ମାଝୀ, ଏବେ କବୀର ଭୋଇ : ପତ୍ନୀଙ୍କୁ ଚିକିତ୍ସା ପାଇଁ ଟ୍ରଲିରେ ୭୫ କିଲୋମିଟର ବାଟ ଆଣିଲେ, ମୃତଦେହ ଧରି ଗାଁ’କୁ ଫେରିଲେ

ସାକ୍ଷୀଗୋପାଳ : ରୋଗିଣା ପତ୍ନୀଙ୍କ ଚିକିତ୍ସା ପାଇଁ ୭୫ କିଲୋମିଟର ଟ୍ରଲିରେ ବୋହି ଆଣିବା ଘଟଣା ପୁଣିଥରେ ଦାନ ମାଝୀଙ୍କ ଘଟଣାକୁ ମନେ ପକାଇଦେଇଛି। ୨୦୧୬ ମସିହାରେ ଆମ୍ବୁଲାନ୍ସ ନମିଳିବାରୁ ଏମିତି ଏକ ପରିସ୍ଥିତିରେ ଦାନ ମାଝୀ ନିଜ ପତ୍ନୀଙ୍କ ଶବକୁ କାନ୍ଧ‌ରେ ବୋହି ଚାଲି ଚାଲି ଆସିଥି‌ଲେ। ସେତେବେଳେ ଏହି ଘଟଣା ଖାଲି ରାଜ୍ୟ କି ଦେଶ କାହିଁକି ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲା। ଗତକାଲି ଠିକ୍‌ ସେହିଭଳି ଏକ ଘଟଣା ଘଟିଛି। ତଫାତ୍‌ ହେଉଛି, ଦାନ ମାଝୀ ମୃତ ବ୍ୟକ୍ତିଙ୍କୁ କାନ୍ଧରେ ବୋହିଥିବାବେଳେ କବୀର ଭୋଇ ନିଜ ପତ୍ନୀଙ୍କ ଚିକିତ୍ସା ପାଇଁ ଟ୍ରଲିରେ ବୋହିକି ଆଣିଥିଲେ। ହେଲେ, ଦୁର୍ଭାଗ୍ୟଜନକ ଘଟଣା ହେଉଛି ଏତେ ପରିଶ୍ରମ କରି ବୋହିକି ଆଣିଥିବା ତାଙ୍କ ପତ୍ନୀଙ୍କୁ ସେ ବଞ୍ଚାଇ ପାରିନାହାନ୍ତି। ଟ୍ରଲିରେ ବୋହି ଆଣିଥିବା ପତ୍ନୀଙ୍କ ମରଶରୀରକୁ ମହାପ୍ରୟାଣ ଗାଡ଼ି ସାହାଯ୍ୟରେ ଗାଁକୁ ଆଣି ସଂସ୍କାର କରିଛନ୍ତି। ତେବେ, ଆମ୍ବୁଲାନ୍ସ ନ ମିଳିବା ଯେତିକି ସ୍ବାସ୍ଥ୍ୟସେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି, ୭୫ କିଲୋମିଟର ବାଟ ବୋହି ଆଣିଲେ ବି କାହାର ନଜରରେ ନ ପଡ଼ିବା ମଧ୍ୟ ସେତିକି ସମ୍ବେଦନଶୀଳ ପ୍ରସଙ୍ଗ ଭାବେ ଉଭା ହୋଇଛି।

କବୀରଙ୍କ ଘର ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍‌ ଅନ୍ତର୍ଗତ ଦାସ ବିଦ୍ୟାଧରପୁର ହରିଜନ ସାହି। ଗାଁ ଛାଡ଼ି ପତ୍ନୀ ସୁକାନ୍ତିଙ୍କ ସହ ବଳିଆପଣ୍ଡାରେ ରହୁଥିଲେ। ଟ୍ରଲି ଭଡ଼ାରେ ଆଣି ଜରି ଓ ବୋତଲ ଆଦି ଗୋଟାଇ ଯାହା ରୋଜଗାର କରନ୍ତି, ସେଇଥିରେ ଦୁଇ ପ୍ରାଣୀ ଚଳିଯାଉଥିଲେ। ହେଲେ ସ୍ତ୍ରୀ ସୁକାନ୍ତି ୧୦/୧୧ ଦିନ ହେଲା ଅସୁସ୍ଥ ହୋଇପଡ଼ିଥିଲେ। କବୀର ତାଙ୍କୁ ଚିକିତ୍ସା ପାଇଁ ପୁରୀ ମେଡ଼ିକାଲ୍‌କୁ ନେଇଥିଲେ। ସେଠାରେ ସେ ୫ ଦିନ ରହିଥିଲେ। କିନ୍ତୁ ଭଲ ନହେବାରୁ ଡାକ୍ତର କଟକ ନେଇଯିବାକୁ କହିଥିଲେ। ପୁରୀରୁ କଟକ ଅଟୋ ଭଡ଼ା ୧୨୦୦ ଟଙ୍କା ପଡ଼ିବ ବୋଲି ଅଟୋବାଲା କହିବାରୁ କବୀର ଅଟୋ ଭଡ଼ା ନେଇ ନ ଥିଲେ। ଶେଷରେ ଦିନକୁ ୫୦ ଟଙ୍କାରେ ଗୋଟିଏ ଟ୍ରଲିକୁ ଭଡ଼ାରେ ଆଣିବା ସହ ସେଥିରେ ଗତକାଲି ସକାଳ ୯ଟାରେ ପତ୍ନୀଙ୍କୁ ବସାଇ ପୁରୀରୁ କଟକ ବାହାରିଥିଲେ। ଦୀର୍ଘ ୯୦ କିଲୋମିଟର ଦୂର ଟ୍ରଲିରେ ଯାତ୍ରା ପରେ ଗତକାଲି ସକାଳେ ପତ୍ନୀଙ୍କ ସହ କଟକ ଏସ୍‌ସିବିରେ ପହଞ୍ଚିଥିଲେ।। ସେଠାରେ କିଛି ସ୍ୱେଚ୍ଛାସେବୀ ପତ୍ନୀ ସୁକାନ୍ତିଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଗତକାଲି ସୁକାନ୍ତିଙ୍କ ଅବସ୍ଥା ଭଲ ଥିବାବେଳେ ଆଜି ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଖାନା ତରଫରୁ ଏକ ମହାପ୍ରୟାଣ ଗାଡ଼ି ବନ୍ଦୋବସ୍ତ କରାଯିବା ପରେ ସ୍ବାମୀ କବୀର ପତ୍ନୀ ସୁକାନ୍ତିଙ୍କ ମୃତଦେହ ନେଇ ଗାଁ’କୁ ଫେରିଥିଲେ। ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ, ୨୦୧୬ ମସିହା ଅଗଷ୍ଟ ମାସରେ ଜଣେ ଦରିଦ୍ର ବ୍ୟକ୍ତି ଦାନମାଝୀ ନିଜ ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହି ୧୬ କିଲୋମିଟର ବାଟ ଚାଲିଥିଲେ। ସେତେବେଳେ ତାଙ୍କୁ ମଧ୍ୟ ଆମ୍ବୁଲାନ୍ସ ମିଳିନଥିଲା। ସେତେବେଳେ, କଳାହାଣ୍ଡ‌ିରେ ଏହି ଘଟଣା ଘଟିଥିବାବେଳେ ଏବେ ଅପେକ୍ଷାକୃତ ସଭ୍ୟ, ଶିକ୍ଷିତ ଜିଲ୍ଲା ପୁରୀଠାରେ ଏହି ଘଟଣା ଘଟିଛି। ତାହା ହିଁ ବିଡ଼ମ୍ବନା!

ସମ୍ବନ୍ଧିତ ଖବର