ଓଲଟା ଦା‌େସଙ୍କ ଅଜବ ନିଶା : ବର୍ଷ ବର୍ଷ ଧରି ପଛୁଆ ଚାଲୁଛନ୍ତି

ପିପିଲି : ସାଧାରଣ ଜୀବନରେ ଲୋକେ ସର୍ବଦା ଆଗକୁ ପାଦ ପକାଇ ଚାଲିଥାନ୍ତି। କିନ୍ତୁ ବର୍ଷ ବର୍ଷ ଧରି ପଛୁଆ ବା ଓଲଟା ଚାଲୁଛନ୍ତି ଭୁବନେଶ୍ବର ଗଙ୍ଗପଡ଼ାର ଦାସ ବାବୁ। ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ଓଲଟା ଦାସେ ବୋଲି ସମସ୍ତେ ଜାଣନ୍ତି। ଆଜି ପୁରୀ ଜିଲ୍ଲା ମଙ୍ଗଳପୁରରୁ ପିପିଲି ଦେଇ ଭୁବନେଶ୍ବର ଅଭିମୁଖେ ସେ ଓଲଟା ଚାଲି ଚାଲି ଯାଉଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ। ଖାସ୍‌ ତାଙ୍କୁ ଦେଖିବା ପାଇଁ ପିପିଲି ବଜାରରେ ଦର୍ଶକଙ୍କ ଭିଡ଼ ବି ଜମିଥିଲା। ତେବେ ଓଲଟା ଚାଲିବା ପାଇଁ ତାଙ୍କ ମୁଣ୍ଡକୁ ଏମିତି ଅଦ୍ଭୁତ ଖିଆଲ କେମିତି ପଶିଲା ସେ ସଂପର୍କରେ ପଚରାଯିବାରୁ ଦାସ ବାବୁ କହିଥିଲେ ସେ ମଧୁମେହରେ ଆକ୍ରାନ୍ତ। ଡାକ୍ତର ତାଙ୍କୁ ଚାଲିବା ପାଇଁ ପରାମର୍ଶ ଦେଇଥିଲେ। ହେଲେ ସେ ସିଧା ନ ଚାଲି ଓଲଟା ଚାଲିବା ଆରମ୍ଭ କରି ଦେଇଥିଲେ। ଯାହା ପରେ ଏକ ଅଭ୍ୟାସରେ ପରିଣତ ହୋଇଯାଇଛି। ଦୀର୍ଘ ୧୦ ବର୍ଷ ଧରି ସେ ପଛୁଆ ଚାଲୁଥିଲେ ବି କେବେ କୌଣସି ସ୍ଥାନରେ ଅଘଟଣ ଘଟି ନ ଥିବା ସେ କହିଛନ୍ତି। ଆଜି ସେ ଭୁବନେଶ୍ବରରୁ ମଙ୍ଗଳପୁର ଆସି ସେଠାରୁ ପଛୁଆ ଚାଲିବା ଆରମ୍ଭ କରିଥିଲେ। ଅପରାହ୍ନ ୪ଟା ବେଳେ ପିପିଲି ବଜାର ଅତିକ୍ରମ କରି ଭୁବନେଶ୍ବର ଅଭିମୁଖେ ଯାଇଥିଲେ। ପ୍ରତିଦିନ ଅପରାହ୍ନ ଗୋଟାଏରୁ ସୂର୍ଯ୍ୟାସ୍ତ ଯାଏ ସେ ଓଲଟା ଚାଲନ୍ତି। ଅନ୍ୟମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ସା‌ଜିଥିବା ଦାସ ବାବୁ କିନ୍ତୁ ନିଜ ନାମ କହିବାକୁ ଆଦୌ ରାଜି ହୋଇ ନ ଥିଲେ।

ସମ୍ବନ୍ଧିତ ଖବର