କରୋନା ପଜିଟିଭ ଥିବାରୁ ୧୨ଦିନ ହେଲା ମିଳୁନାହିଁ ହସ୍ପିଟାଲ ବେଡ; ତୁରନ୍ତ ସର୍ଜରୀ ପାଇଁ କିମ୍ସ ହସ୍ପିଟାଲ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ ମାନବାଧିକାର କମିସନ

ଭୁବନେଶ୍ବର:  ମାନବାଧିକାର କମିସନ ଜଣେ ଯୁବକଙ୍କୁ ଭୁଜାଲି ମାଡ ଘଟଣାରେ ହସ୍ତକ୍ଷେପ କରିଛନ୍ତି । କାରଣ ଏହି ଯୁବକ ଜଣକ କରୋନା ପଜିଟିଭ ଥିବାରୁ ତାଙ୍କୁ ‌କୌଣସି ହସ୍ପିଟାଲରେ ଭର୍ତ୍ତି କରାଯାଉ ଥିଲା। ଆଜି ଯୁବକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାନବାଧିକାର କମିସନ ମାମଲା ରୁଜୁ କରିଛନ୍ତି । ଏଥିସହ ଆହତ ଯୁବକଙ୍କ ତୁରନ୍ତ ସର୍ଜରୀ କରିବା ପାଇଁ କିମ୍ସ ହସ୍ପିଟାଲ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆହତ ଯୁବକ କରୋନା ପଜିଟିଭ ହୋଇଥିବାରୁ ତାଙ୍କୁ ୧୨ଦିନ ହେଲା ହସ୍ପିଟାଲରେ ବେଡ ମିଳୁନାହିଁ । ରୋଗୀକୁ ଧରି ଡାକ୍ତରଖାନାରୁ ଡାକ୍ତରଖାନା ବୁଲିବା ପରେ ବି ଚିକିତ୍ସା ସୁବିଧା ମିଳୁନାହିଁ । ୧୨ ଦିନରେ ୧୦ଟି ଡାକ୍ତରଖାନା ବୁଲି ସାରିଲେଣି ରୋଗୀଙ୍କ ପରିବାର ।

କରୋନା ପଜିଟିଭ୍ ଥିବାରୁ କୌଣସି ହସ୍ପିଟାଲରେ ରୋଗୀକୁ ରଖି ସର୍ଜରୀ କରାଇବାକୁ ରାଜି ହେଉ ନାହାନ୍ତି । ଗୁରୁତର ଅବସ୍ଥାରେ ରୋଗୀ କିମ୍ସ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ସେପଟେ କୌଣସି ଚିକିତ୍ସା ନକରି ରୋଗୀକୁ ଫେରାଇ ନେବାକୁ ଡାକ୍ତରଖାନା କହିବା ପରେ ଚିନ୍ତାରେ ପଡିଥିଲେ ପରିବାର ଲୋକେ ।

ତେବେ ପରିବାର ଲୋକେ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହେବା ପରେ ଏବେ ହସ୍ପିଟାଲ କର୍ତୃପକ୍ଷଙ୍କୁ ସର୍ଜରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଚିକିତ୍ସାରେ ଅବହେଳାର ତଦନ୍ତ କରି ଅକ୍ଟୋବର ୧୫ ସୁଦ୍ଧା ରିପୋର୍ଟ ଦେବାକୁ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗ ଆସିଥିବା ଅନ୍ୟ ୬ ଜଣଙ୍କୁ ମଧ୍ୟ ଏହି ସମୟ ଅବଧିରେ ମଧ୍ୟରେ ଉତ୍ତର ରଖିବାକୁ ମାନବାଧିକାର କମିସନ କହିଛନ୍ତି ।

ସମ୍ବନ୍ଧିତ ଖବର