କୁଚିଣ୍ଡା: କୁଚିଣ୍ଡା ସହର ଉପକଣ୍ଠ ଖର୍ଲା ନଦୀରେ ମଙ୍ଗଳବାର ବାହାଘରକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ସମ୍ବଲପୁର ମିର୍ଗାମୁଣ୍ଡାର ହରିହର ମିର୍ଦ୍ଧା ନାମକ ଜଣେ ବୟସ୍କ ବ୍ୟକ୍ତି ଲାଡ଼ ଗ୍ରାମକୁ ଏକ ବାହାଘର ଉତ୍ସବରେ ଯୋଗ ଦେବାକୁ ଆସିଥିଲେ।
ତେବେ ସେ ଖର୍ଲା ନଦୀକୁ ଗାଧୋଇବାକୁ ଆସିଥିଲେ। ନଦୀଜଳର ଗଭୀରତା ଜାଣି ନ ପାରି ପାଣିରେ ବୁଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ପାଣିରେ ତାଙ୍କ ମୃତଦେହ ଭାସୁଥିବାବେଳେ ଖବର ପାଇ କୁଚିଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାକୁ ଉଦ୍ଧାର କରିଥିଲା। ଡାକ୍ତରଖାନାରେ ପୋଷ୍ଟମର୍ଟମ କରିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଏ ନେଇ ପୁଲିସ ଥାନାରେ ଏକ ଅପମୃତ୍ୟୁ ମାମଲା ୮/୨୩ରେ ରୁଜୁ କରିଛି।