ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍‌ରୁ ୫୨ ଲକ୍ଷ ଟଙ୍କା ଆତ୍ମସାତ୍: ବନ୍ଧାହେଲେ ମ୍ୟାନେଜର୍, ସୁରକ୍ଷାକର୍ମୀ

କବିସୂର୍ଯ୍ୟନଗର/କଳମ୍ବ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଓ ପୋଲସରା ବ୍ଲକ୍ ଅଧୀନ ହାତୀଓଟରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍‌ ଶାଖାରେ ୫୨ ଲକ୍ଷ ଟଙ୍କା ଅର୍ଥ ଆତ୍ମସାତ୍ ଭଳି ସଂଗିନ୍ ଘଟଣା ସାମ୍ନାକୁ ଆସିଛି। ଏଥିରେ ସଂପୃକ୍ତ ମ୍ୟାନେଜର୍ ନିହାରକାନ୍ତ ପ୍ରଧାନ ଓ ସୁରକ୍ଷାକର୍ମୀ ଅନିଲ ପଣ୍ଡାଙ୍କୁ କବିସୂର୍ଯ୍ୟନଗର ପୁଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଛି। ଏହି ବଡ଼ଧରଣର ଘୋଟାଲା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ପ୍ରକ୍ରିୟାକୁ ଜାରି ରଖିଥିବାବେଳେ ଏଥିରେ ଏକାଧିକଙ୍କ ସଂପୃକ୍ତି ଥିବା ଅନୁମାନ କରାଯାଉଛି।

ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନାନୁସାରେ, ପୋଲସରା ଓ କବିସୂର୍ଯ୍ୟନଗର ସମେତ ବିଭିନ୍ନ ଆଖପାଖ ଅଞ୍ଚଳର ଲୋକେ ଏହି ବ୍ୟାଙ୍କ୍‌ରେ ସେମାନଙ୍କ ଆକାଉଣ୍ଟ୍ ଖୋଲିଥିଲେ। ହେଲେ, ଏହାକୁ ହଡ଼ପ କରିବା ଲାଗି ମ୍ୟାନେଜର୍ ନିହାରକାନ୍ତ ଓ ସୁରକ୍ଷାକର୍ମୀ ଅନିଲ ଷଡ଼୍‌ଯନ୍ତ୍ର ରଚନା କରିଥିଲେ। ନିହାରକାନ୍ତ ଅତି ଚତୁରତାର ସହ ପ୍ରତିଦିନ ଜମା ହେଉଥିବା ଲକ୍ଷାଧିକ ଟଙ୍କାକୁ ଅନିଲଙ୍କ ଆସିକାସ୍ଥିତ ଷ୍ଟେଟ୍ ବ୍ୟାଙ୍କ୍ ଶାଖାରେ ଥିବା ଜମାଖାତାକୁ ଟ୍ରାନ୍ସଫର୍ କରିଦେଉଥିଲେ। ପରେ ଏହି ଘୋଟାଲା ସାମ୍ନାକୁ ଆସିବା ପରେ ବ୍ରହ୍ମପୁରସ୍ଥିତ ଆଞ୍ଚଳିକ ପ୍ରବନ୍ଧକ ଛାନଭିନ୍ ଆରମ୍ଭ କରିଥିଲେ। ତଦନ୍ତ ବେଳେ ନିହାରକାନ୍ତ ଓ ଅନିଲଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ସାମ୍ନାକୁ ଆସିଥିଲା ଏବଂ ଉଭୟ ମିଶି ୫୧.୯୯ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିବା ଜଣାପଡ଼ିଥିଲା। ଆଞ୍ଚଳିକ ପ୍ରବନ୍ଧକ ଏନେଇ କବିସୂର୍ଯ୍ୟନଗର ଥାନାରେ ଆଜି ଏତଲା ଦେବାପରେ ପୁଲିସ ସେମାନଙ୍କୁ ଗିରଫ କରିଛି। ‌ଅର୍ଥ ଆତ୍ମସାତ୍ ନେଇ ଉଭୟ ପୁଲିସ ଆଗରେ ସ୍ବୀକାର ମଧ୍ୟ କରିଛନ୍ତି।

ଗିରଫ ହୋଇଥିବା ନିହାରକାନ୍ତଙ୍କ ନିଜ ଘର ବାଲେଶ୍ବରରେ। ସେ ପୋଲସରାରରେ ରହୁଥିଲେ। ସେହିପରି ଅନିଲଙ୍କ ଘର କବିସୂର୍ଯ୍ୟନଗର ନିକଟ ବାଲିଛାଇରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର