ବଲାଙ୍ଗୀର/ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ସ୍ଥିତ ପାଓମେକ୍ସ ଷ୍ଟିଲ୍‌ ଡିଭିଜନ କମ୍ପାନିରେ ଶ୍ରମିକ ଅଶାନ୍ତି ତେଜିଛି। ଗୁରୁବାର କାରଖାନାର ଫିନିସିଂ ବିଭାଗ ମ୍ୟାନେଜର ତଥା ଏଚ୍‌ଓଡି ଯୁକ୍ତେଶ୍ୱର ମହାପାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ତିନି ଜଣ ଯୁବକ ମୁହଁରେ କପଡ଼ା ଘୋଡ଼ାଇ ଆସି ତୁର୍ଲା ଗାଁ ନିକଟରେ ଆକ୍ରମଣ କରିଛନ୍ତି। ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତିରୁ ହଟାଇ ବାହାର ଯୁବକଙ୍କୁ ନିଯୁକ୍ତି ଦିଆଯାଉଥିବାରୁ ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଏ ନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Advertisment

ଗୁରୁବାର ସବୁ ଦିନ ଭଳି ମ୍ୟାନେଜର ଶ୍ରୀ ମହାପାତ୍ର କାରଖାନା କଲୋନିରେ ଥିବା ନିଜ ବାସଭବନକୁ ଖାଇବାକୁ ଯାଇଥିଲେ। ଖାଇସାରି କାରଖାନାକୁ ଆସୁଥିବା ରାସ୍ତାରେ ତାଙ୍କୁ ତିନିଜଣ ଯୁବକ ଅଟକାଇ ନିସ୍ତୁକ ମାଡ଼ ମାରିଥିଲେ। ବହୁ କଷ୍ଟରେ ସେ ଆକ୍ରମଣକାରୀଙ୍କ କବଳରୁ ଖସି ପଳାଇଆସିଥିବା କହିଛନ୍ତି। କାରଖାନାର ଅନ୍ୟ ଅଧିକାରୀମାନେ ତାଙ୍କୁ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ। ପରେ ଥାନାରେ ଏ ନେଇ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

publive-image

ସୂଚନା ଅନୁସାରେ, ପାଓମେକ୍ସ କମ୍ପାନି ମନମାନି କରୁଛି। ସ୍ଥାନୀୟ ଶ୍ରମିକଙ୍କୁ ଅଣଦେଖା କରି ବାହାର ଶ୍ରମିକଙ୍କୁ ନିଯୁକ୍ତି ଦେଉଛି। ଏପରିକି ନିକଟରେ ଚୁକ୍ତିଭିତ୍ତିକ ଭାବରେ କାମ କରୁଥିବା ଜଣେ ଶ୍ରମିକ କାରଖାନା ବିରୋଧରେ ପାଟି ଖୋଲିବାରୁ ତାଙ୍କୁ ବିଦା କରି ଦିଆଯାଇଥିଲା। ବିନା କାରଣରେ ନାନା ଅଭିଯୋଗ ତାଙ୍କ ନାଁରେ ରହିଥିବା କହି କାରଖାନାରୁ ବାହାର କରି ଦିଆଯାଇଥିଲା। ଏହା ପରେ ପରେ କାରଖାନାରେ ଅଧିକାରୀ-ଶ୍ରମିକଙ୍କ ଭିତରେ ବିବାଦ ବାହାରିଛି। ପ୍ରତ୍ୟହ ଅସନ୍ତୋଷ ବଢ଼ିଚାଲିଥିବା ବେଳେ ତାହା ଧୀରେ ଧୀରେ ଉଗ୍ର ରୂପ ନେଉଥିବା କହାଯାଉଛି। ଏ ନେଇ ଆକ୍ରମଣର ଶିକାର ମ୍ୟାନେଜରଙ୍କୁ ପଚରାଯିବାରୁ ତାଙ୍କର କୌଣସି ଶ୍ରମିକ ସହ ଶତ୍ରୁତା ନଥିବା କହିଛନ୍ତି। ଶ୍ରମିକ ନିଯୁକ୍ତି ପାଇଁ ଏକ ବିଭାଗ ପରିଚାଳିତ ହେଉଛି ବୋଲି ସେ କହିଛନ୍ତି। ପୁଲିସ ଏତଲା ପାଇବା ପରେ କାରଖାନାକୁ ଯାଇ ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ ଏବେ କାରଖାନା ଅଂଚଳ ଅଶାନ୍ତ ହୋଇପଡ଼ିଛି। ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଶୀଘ୍ର ଗିରଫ କରିବାକୁ କାରଖାନାରେ କାର୍ଯ୍ୟରତ ଅନ୍ୟ ଅଧିକାରୀ ଦାବି କରିଛନ୍ତି।

ମନେ ପକାଇଲା ୨୦୧୧ ଘଟଣା

୨୦୧୧ ମସିହା ମାର୍ଚ୍ଚ ମାସ ୫ ତାରିଖ। ପାଓମେକ୍ସ କାରଖାନା ସାରା ଦଶେରେ ଚର୍ଚ୍ଚାକୁ ଆସିଥିଲା। କାରଣ ଶ୍ରମିକ ଅଶାନ୍ତି ଏତେ ବଢ଼ିଥିଲା ଯେ, ତତ୍କାଳୀନ ଡିଜିଏମ୍‌ ରାଧେଶ୍ୟାମ ରାୟଙ୍କୁ କାରଖାନାର ଗେଟ୍‌ ସମ୍ମୁଖରେ କାର୍‌ ଭିତରେ ସେ ଥିବା ବେଳେ ଜିଅନ୍ତା ଜାଳିଦେଇଥିଲେ ଉତ୍ତ୍ୟକ୍ତ ଶ୍ରମିକ। ବହୁ ବର୍ଷ ଧରି ଶ୍ରମିକଙ୍କ ଦାବିକୁ ଅଣଦେଖା କରାଯାଉଥିବାରୁ ସେ ସମୟରେ ଘଟଣା ଘଟିଥିଲା। କାରଖାନାର ଡିଜିଏମ୍‌ଙ୍କୁ ହିଁ ଗାଡ଼ି ଭିତରେ ହତ୍ୟା କରିଥିଲେ। ତେବେ ଏଥର ଘଟଣା ବି ଶ୍ରମିକ ଅଶାନ୍ତିରୁ ଘଟିଥିବା ସନ୍ଦେହ କରାଯାଉଛି। ଶ୍ରମିକଙ୍କ ପାଇଁ ଯାହା କମ୍ପାନି କରିବା କଥା ସେ ସବୁ କରୁନଥିବା ଜଣାପଡ଼ିଲାଣି। ବହୁ ଶ୍ରମିକ ହାତ ଗୋଡ଼ ହରାଇ ଘରେ ବସିଥିବା ବେଳେ ସେମାନଙ୍କ ନିକଟକୁ ଯାଇ କମ୍ପାନି ସହାନୁଭୂତି ଟିକିଏ ବି ଦେଖାଉନି। ଏଣୁ ଧୀରେ ଧୀରେ କମ୍ପାନି ମନମାନିକୁ ନେଇ ଶ୍ରମିକ ମହଲରେ ଅସନ୍ତୋଷ ବଢୁଥିବା ସୂଚନା ମିଳୁଛି।

ପ୍ରଶାସନ କାହିଁକି ଚୁପ୍‌?
ଜିଲ୍ଲାର ଏକ ବଡ଼ କାରଖାନା ପାଓମେକ୍ସ ଷ୍ଟିଲ। ହେଲେ କାରଖାନା ବିରୋଧରେ ସ୍ଥାନୀୟ ଲୋକଙ୍କ ଲମ୍ବା ଅଭିଯୋଗ। କାରଖାନା କୌଣସି ସିଏସ୍‌ଆର୍‌ କାର୍ଯ୍ୟ କରୁନଥିବା ବେଳେ ସ୍ଥାନୀୟ ନିଯୁକ୍ତିକୁ ବି ଅଣଦେଖା କରୁଛି। ପାଣିକୁ ନେଇ ବି ନାନା ଅଭିଯୋଗ। କାରଖାନା ବହୁ ପ୍ରସଙ୍ଗରେ ମନମାନି କରୁଥିଲେ ବି ଜିଲ୍ଲା ପ୍ରଶାସନ ଚୁପ୍‌ ରହିବା କାରଣ କଣ? ଯଦି ପ୍ରଶାସନ କମ୍ପାନିର ଶ୍ରମିକ ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣି ତଦନ୍ତ କରିବ ତାହେଲେ ବହୁ ସମସ୍ୟାର ସମାଧାନ ହୋଇପାରିବ।