ପୁରୀ: ବର୍ଷେ ପୂରିବାକୁ ବସିଲାଣି, ହେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହୋଇପାରୁନି। ଏହାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଆସନ୍ତା ଗୋଟିଏ ସପ୍ତାହ ଭିତରେ ନୂଆ କମିଟି ଗଠନ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କମିଟି ନଥିବାରୁ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇ ପାରୁନି। ଅନେକ କାମ ମଧ୍ୟ ଅଧପନ୍ତରିଆ ପଡ଼ିଛି। ଶ୍ରୀଜୀଉଙ୍କ ନୀତିକାନ୍ତିରେ ଶୃଙ୍ଖଳା ଆଣିବାକୁ ରହିଥିବା ପ୍ରସ୍ତାବ ଉପରେ ମୋହର ବାଜି ପାରୁନାହିଁ। ତା’ ସହିତ ଭକ୍ତଙ୍କ ସୁରକ୍ଷା, ଶ୍ରୀମନ୍ଦିର ସୁରକ୍ଷା ସହ ଶ୍ରୀମନ୍ଦିର ଆଇନରେ ସଂଶୋଧନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅଟକି ରହିଛି। କମିଟି ଗଠନ ହେଲେ ଏହି ସବୁ ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ସେ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ପରିଚାଳନା କମିଟି ଗଠନ ନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। କମିଟି ଗଠନ ପରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି ମଣତି କରାଯିବ। ଆଗାମୀ ରଥଯାତ୍ରା ପାଇଁ ୧୯ ତାରିଖରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ବୋଲି କହିଛନ୍ତି ମନ୍ତ୍ରୀ।
ଅନ୍ୟପଟେ ପରିଚାଳନା କମିଟିକୁ ନେଇ କୋର୍ଟରେ ମାମଲା ଗଡ଼ୁଛି। କମିଟିରେ ପୂଜାପଣ୍ଡା ନିଯୋଗ, ଦଇତାପତି ନିଯୋଗ, ସୁଆରମହାସୁଆର ନିଯୋଗ, ପ୍ରତିହାରୀ ନିଯୋଗ ଓ ପୁଷ୍ପାଳକ ନିଯୋଗରୁ ଜଣେ ଲେଖାଏଁ ସଦସ୍ୟଙ୍କୁ ସରକାର ଚୟନ କରୁଛନ୍ତି। ଛାମୁ ଖୁଣ୍ଟିଆ ନିଯୋଗର ଜଣେ ସଦସ୍ୟଙ୍କୁ ପରିଚାଳନା କମିଟିରେ ସାମିଲ କରିବା ଦାବିରେ ନିଯୋଗ ହାଇକୋର୍ଟର ଦ୍ବାରସ୍ଥ ହୋଇଛି। ସେପ୍ଟେମ୍ବର ୩ରେ ମାମଲାର ଶୁଣାଣି ରହିଛି। ୩ ତାରିଖରେ ସରକାର ସତ୍ୟପାଠ ଦାଖଲ କରିବେ। ଏଥିରେ ପରିଚାଳନା କମିଟିରେ ସାମିଲ ହେବାକୁ ଥିବା ପ୍ରତିଟି ସଦସ୍ୟଙ୍କ ନାମ ଦାଖଲ କରିବେ। କୋର୍ଟରେ ନାମ ଦାଖଲ ନ କରି ସରକାର କିଭଳି କମିଟି ଗଠନ କରିଦେବେ ବୋଲି ପ୍ରଶ୍ନ କରିଛନ୍ତି ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ। ସେ ଆହୁରି ମଧ୍ୟ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଯଦି ନିଯୋଗ ସଦସ୍ୟଙ୍କୁ ପରିଚାଳନା କମିଟିରେ ସାମିଲ କରାନଯାଏ ତେବେ ଆମେ ସୁପ୍ରିମକୋର୍ଟ ଯିବୁ। ଏଣୁ ଏଥିରେ କମିଟି ଗଠନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପଟେ ଯଦି ଛାମୁଖୁଣ୍ଟିଆ ନିଯୋଗ ସଦସ୍ୟଙ୍କୁ ସୁଯୋଗ ମିଳେ, ତେବେ ଅନ୍ୟ ନିଯୋଗମାନେ ମଧ୍ୟ ଏହାକୁ ପ୍ରସଙ୍ଗ କରି କମିଟି ସଦସ୍ୟ ହେବାକୁ ଦାବି କରିବେ। ଏଭଳି ବିବାଦ ହେଲେ ଅଭାବନୀୟ ସ୍ଥିତି ସୃଷ୍ଟିହେବ। କମିଟି ଯଦି ବିବାଦକୁ ଚାଲିଯାଏ କିମ୍ବା କମିଟି ଗଠନ ଉପରେ କଟକଣା ଲାଗେ ତେବେ ଅଧିକାରୀମାନଙ୍କର ସ୍ବେଚ୍ଛାଚାରିତା ବଢ଼ିବ, ଯାହା ଅଧିକାରୀମାନେ ଚାହୁଛନ୍ତି ବୋଲି ଜଣେ ବରିଷ୍ଠ ସେବାୟତ କହିଛନ୍ତି।
ପ୍ରଶ୍ନ ଉଠାଇଲା ଛାମୁଖୁଣ୍ଟିଆ ନିଯୋଗ
୧୯ରେ ଗୁରୁତ୍ବପୂର୍ଣ୍ଣ ବୈଠକ
ଆସନ୍ତା ରଥଯାତ୍ରା ସହ ନୀତିକାନ୍ତି
ଶୃଙ୍ଖଳା ହେବ ମୁଖ୍ୟ ପ୍ରସଙ୍ଗ
ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ପ୍ରଶାସନର ପ୍ରତିଟି ନିଷ୍ପତ୍ତି ପରିଚାଳନା କମିଟିର ଅନୁମୋଦନ ପରେ ହିଁ କାର୍ଯ୍ୟକାରୀ ହୋଇଥାଏ। ୧୮ ଜଣିଆ ପରିଚାଳନା କମିଟିରେ ୮ ଜଣ ସ୍ଥାୟୀ ସଦସ୍ୟଙ୍କ ସହ ୫ ଜଣ ସେବକ ପ୍ରତିନିଧିଙ୍କୁ ମନୋନୀତ କରାଯାଏ। ୨୦୨୪ ମସିହା ସେପ୍ଟେମ୍ବର ୧୩ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାଳ ପୂର୍ଣ୍ଣ ହୋଇଥିଲା। ଏବେ ଏହାକୁ ବର୍ଷେ ପୂରିବାକୁ ଯାଉଛି। କମିଟି ଅବଧି ସରିବାର ୩ ମାସ ପୂର୍ବରୁ ଏହାର ପୁନର୍ଗଠନ ପ୍ରକ୍ରିୟା ସରକାର ଆରମ୍ଭ କରିବା ଉଚିତ। ସେପ୍ଟେମ୍ବରର ତିନିମାସ ପୂର୍ବରୁ ଅର୍ଥାତ୍ ଜୁଲାଇ ମାସରୁ ପ୍ରକ୍ରିୟା ଆରମ୍ଭ ହେବା କଥା। କିନ୍ତୁ ଏହା କରାଯାଇ ନଥିବାରୁ ଏବେ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି।
ଅନ୍ୟପଟେ ପରିଚାଳନା କମିଟି ନଥିବାରୁ ପ୍ରଥମ ଥର ପାଇଁ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ସରକାର କମିଟି ଗଠନ କରିଥିଲେ। କିନ୍ତୁ ବିଶୃଙ୍ଖଳା ରଥଯାତ୍ରାର ପିଛା ଛାଡ଼ି ନଥିଲା। ନନ୍ଦିଘୋଷ ଆରମ୍ଭରୁ ନ ଗଡ଼ିବା ଠାରୁ ଦଳାଚକଟା ପର୍ଯ୍ୟନ୍ତ ପ୍ରସଙ୍ଗ ରାଜ୍ୟରେ ହଇଚଇ କରିଥିଲା। ଏଣୁ ଆସନ୍ତା ବର୍ଷର ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ସେପ୍ଟେମ୍ବର ୧୯ ତାରିଖ ଦିନ ପ୍ରସ୍ତୁତି ବୈଠକ ବସିବାକୁ ଯେଜାନା ହୋଇଛି। ରଥଯାତ୍ରା ସହ ଅନ୍ୟ ସମସ୍ତ ଯାନିଯାତ୍ରାରେ ଶୃଙ୍ଖଳା, ଧାର୍ଯ୍ୟ ସମୟରେ ନୀତିକୁ ନେଇ ବୈଠକରେ ଆଲୋଚନା କରାଯିବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସହ ଟ୍ରାଫିକ ସମସ୍ୟାର ସମାଧାନ ଦିଗରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/25/eR9eIpqXrZO3LGVmn27m.jpg)