ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ନାଁରେ ଠକେଇ ଘଟଣା, ପରିଚାଳନା ନିର୍ଦ୍ଦେଶକ ଗିରଫ 

ସୋନପୁର : ମହିଳମାନଙ୍କୁ ଆତ୍ମନିର୍ଭରଶୀଳ କରିବା ନାଁରେ ଠକେଇ କରିଥିବା ଏକ ଘରୋଇ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ବିନୋଦ ଜେନା(୫୨)ଙ୍କୁ ପୁଲିସ ଗିରଫ କରିଛି। ତାଙ୍କୁ ଭୁବନେଶ୍ବରରେ ଗିରଫ କରାଯାଇଥିବା ଜଣାଯାଇଛି।

ରଶ୍ମି ଇଣ୍ଡଷ୍ଟ୍ରିଜ ଆଣ୍ଡ କନସଲଟାନ୍ସି କର୍ପୋରେସନ ଶାଖା ଓଡ଼ିଶା କିଷାନ ଗୋଦାମ କମ୍ପାନି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ପରିଚୟ ଦେଇ ଅଭିଯୁକ୍ତ ବିନୋଦ ୨୦୨୦ ଜାନୁଆରି ୨୪ ତାରିଖ ଦିନ ସୋନପୁର ପଟାଭାଡ଼ିରେ ଏକ ଭଡ଼ା ଘରେ ତାଙ୍କ କାର୍ଯ୍ୟାଳୟ ଖୋଲିଥିଲେ। କାର୍ଯ୍ୟାଳୟ ଖୋଲିବା ପରେ ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ, କନ୍ଧମାଳ(ବାଲିଗୁଡ଼ା) ବଲାଙ୍ଗୀର ଜିଲ୍ଲାରେ ବ୍ଲକସ୍ତରୀୟ କାର୍ଯ୍ୟାଳୟ ଖୋଲିବା ସହ ସେହି ସ୍ଥାନ ଗୁଡ଼ିକରେ ବ୍ଲକ ଓ ଜିଲ୍ଲାସ୍ତରୀୟ କର୍ମଚାରୀ ନିୟୋଜନ ପାଇଁ ବିଜ୍ଞାପନ ମଧ୍ୟ ଦେଇଥିଲେ। ଏପରିକି ପ୍ରତ୍ୟେକ ପଞ୍ଚାୟତରେ ମେସିନ ବିକ୍ରୟ ଓ ସାମଗ୍ରୀ କ୍ରୟ କେନ୍ଦ୍ର ପାଇଁ ସଂସ୍ଥା ସହ ଜଡ଼ିତ ଭାଗିଦାରି ଭାବରେ ସାର, ବିହନ, କେମିକାଲ୍ସ, କୁକୁଡ଼ା ଖାଦ୍ୟ, ଗୋଖାଦ୍ୟ, ମାଛଖାଦ୍ୟ, କୃଷି ଓ ଉଦ୍ୟାନ ସାମଗ୍ରୀ ବିକ୍ରୟ ନିମନ୍ତେ ବିତରକ ପାଇଁ ଏହି ସଂସ୍ଥା ପ୍ରଚାରପତ୍ର ମାଧ୍ୟମରେ ବିଜ୍ଞାପନ ଦେଇଥିଲା। ଏହା ସହିତ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ରିହାତି ଦରରେ ସିଲେଇ ମେସିନ୍, ଖଲିଦନା ତିଆରି ମେସିନ୍, ଧୂପକାଠି ମେସିନ୍ ଆଦି ଯୋଗାଇ ଦେବା ପରେ ସେଥିରୁ ଉତ୍ପାଦିତ ସମାଗ୍ରୀକୁ ନିଜେ କ୍ରୟ କରି ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ପ୍ରଥମେ ୨୫୦ ଟଙ୍କା ଦେଇ ନାମ ପଞ୍ଜୀକରଣ କରିଥିଲେ। ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳର ମହିଳାମାନଙ୍କୁ ସେମାନେ ଚାହୁଁଥିବା ମେସିନ୍ ଯୋଗାଇ ଦେବାକୁ କହି ପ୍ରତ୍ୟେକ ମହିଳାଙ୍କଠାରୁ ୧୦ରୁ ୨୦ ହଜାର ଟଙ୍କା ଆଦାୟ କରିଥିଲା। ସନ୍ଦେହ ଦୂର ପାଇଁ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ବୌଦ୍ଧ ଶାଖା ଲେଖାଥିବା ସେମାନେ ଜମା କରିଥିବା ମୂଲ୍ୟର ଗୋଟିଏ ଲେଖାଏଁ ଚେକ ମଧ୍ୟ ସମ୍ପୃକ୍ତ ମହିଳାମାନଙ୍କୁ ଉକ୍ତ ସଂସ୍ଥା ଦେଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ଠକେଇର ଶିକାର ହୋଇଥିବା ସୁମିତ୍ରା ରଣା ନାମକ ଜଣେ ମହିଳାଙ୍କୁ ଦେଇଥିବା ଚେକର ତାରିଖ ୨୭.୭.୨୧ ଉଲ୍ଲେଖ ରହିଥିଲା। କିନ୍ତୁ ଏତେ ସବୁ ସତ୍ବେ ବହୁ ଦିନ ଧରି ସମ୍ପୃକ୍ତ କମ୍ପାନି କୌଣସି ମେସିନ୍ ଯୋଗାଇ ନଦେବାରୁ ମହିଳାମାନଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେଲା। ଏପରିକି ସେମାନଙ୍କୁ ଦିଆଯାଇଥିବା ବ୍ୟାଙ୍କ ଚେକ ବ୍ୟାଙ୍କରେ ଜମା କରିବା ପରେ ସେହି ଆକାଉଣ୍ଟରେ ଟଙ୍କା ନଥିବା କହି ବ୍ୟାଙ୍କ ଫେରାଇ ଦେଇଥିଲା। ଇତି ମଧ୍ୟରେ ପଟାଭାଡ଼ି କାର୍ଯ୍ୟାଳୟ ମଧ୍ୟ ବନ୍ଦ ହୋଇଯାଇଥିଲା। କାର୍ଯ୍ୟା‌ଳୟ ବନ୍ଦ ହେବା ଫଳରେ ମହିଳାମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ଟଙ୍କା ଜମା କରିଥିବା କିଛି ମହିଳା ସୋନପୁର ଥାନାର ଦ୍ବାରସ୍ଥ ହୋଇଥିଲେ। ଏ ସଂକ୍ରାନ୍ତରେ ସୋନପୁର ଥାନାରେ ମାମଲା ରୁଜୁ ହୋଇଥିଲା। ଏ ସମ୍ପର୍କରେ ସୋନପୁର ଆଇଆଇସି ଲୋକେଶ୍ବର ସାହୁଙ୍କୁ ଯୋଗାଯୋଗ କରାଯିବାରେ ଟଙ୍କା ଠକେଇ ସମ୍ପର୍କରେ ମହିଳାମାନେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଏକ ଠକେଇ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ଅତି ଶୀଘ୍ର ଗିରଫ ହେବେ ବୋଲି ପ୍ରକାଶ କରିଥିଲେ। ଏହି ଘଟଣାରେ ଏସ୍‌ପି ସୀତାରାମ ଶତପଥୀଙ୍କ ନିର୍ଦ୍ଦେଶରେ ଏସ୍‌ଆଇ ସୁବ୍ରତ ପାଣିଗ୍ରାହୀଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ପୁଲିସ ଟିମ ଅଭିଯୁକ୍ତ ବିନୋଦ ଜେନାଙ୍କୁ ବାଲେଶ୍ବରରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର