୬ ଜଣଙ୍କ ମୁଣ୍ଡରେ ଦୋଷ ଲଦି ମାନସ ଦାସକୁ ଖସାଇବାକୁ ଯୋଜନା: ୫ ଦିନ ପରେ ପୁଲିସର ସ୍ପଷ୍ଟୀକରଣ ଭିଡ଼ିଓ ଜାରି

ଗିରଫ ୬ଜଣଙ୍କୁ ପୁଣି ରିମାଣ୍ଡରେ ଅଣାଯିବା ସହ ପଲିଗ୍ରାଫ୍‌ ପରୀକ୍ଷା ହେବ 

ଖୋର୍ଦ୍ଧା: ମାନସ ଦାସର କଳା ସାମ୍ରାଜ୍ୟ ଉପରୁ ପରଦା ଯେତେ ହଟୁଛି ପୁଲିସ ପାଇଁ ଅଡ଼ୁଆ ସେତେ ବଢ଼ିବାରେ ଲାଗିଛି। ବିଗତ ଦିନରେ ଘଟିଥିବା ସଂଖ୍ୟାଧିକ ଅପରାଧିକ ଘଟଣାରେ ମାନସ ଦାସର ପ୍ରତ୍ୟକ୍ଷ ଓ ପରୋକ୍ଷ ସମ୍ପୃକ୍ତିର ତାଲିକା ବଢ଼ିବାରେ ଲାଗିଥିବା ବେଳେ ଆଜି ଗତ ୫ ଦିନ ପରେ ପ୍ରଥମ ଥର ପାଇଁ ଖୋର୍ଦ୍ଧା ଏସ୍ପି ରାଜ କିଶୋର ଦୋରା ଏନେଇ ଭିଡ଼ଓ କ୍ଲିପ୍‌ ଜାରି କରି ସ୍ପଷ୍ଟୀକରଣ ଦେଇଛନ୍ତି। ପୂର୍ବ ମାମଲାରେ ଗିରଫ ହୋଇଥିବା ୬ଜଣଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା କରାଯିବା ସହ ପଲିଗ୍ରାଫ୍‌ ପରୀକ୍ଷା କରାଯିବ ବୋଲି କହିଛନ୍ତି। କିନ୍ତୁ ଏଥିରେ ମାନସ ଦାସ କିମ୍ବା ଛାମୁଆ ମାନବବାଦୀ ସଂଗଠନ କିମ୍ବା ରାଷ୍ଟ୍ରୀୟ ସାମାଜିକ ନ୍ୟାୟମଂଚ ବିରୋଧରେ କିଛି କହିଲେ ନାହିଁ।

ଆଜି ଅପରାହ୍‌ଣରେ ଏସ୍‌ପି ରାଜ କିଶୋର ଦୋରା ୬ ମିନିଟ୍‌ ୪୦ ସେକେଣ୍ଡର ତିନିଟି ଭିଡ଼ିଓ କ୍ଲିପ୍‌ ଜାରି କରି ଘଟଣା ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି।  ସ୍ପଷ୍ଟୀକରଣରେ ପୁଣିଥରେ ପୁରୁଣା କଥାକୁ ଦୋହରାଇଛନ୍ତି।  ଏଥିରେ ସେ ମାନସ ଦାସ କିମ୍ବା ମାନବବାଦୀ ସଂଗଠନ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ଉଲ୍ଲେଖ କରିନାହାନ୍ତି। ସେ କହିଛନ୍ତି ଯେ ୨ ତାରିଖରେ ସଅର ଯୁବକ ସତ୍ୟବ୍ରତ ନାୟକଙ୍କ ହତ୍ୟା ଘଟଣା ସମ୍ପୃକ୍ତ ଥିବା ୮ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ ଗିରଫ କରାଯାଇଛି। ସେଇ ୬ଜଣଙ୍କ ମଧ୍ୟରୁ ମାଗୁଣି ନାୟକ ଓ ତାଙ୍କ ପୁଅ ଆନନ୍ଦ ନାୟକଙ୍କ ପ୍ରତି ଶାରୀରିକ ନିର୍ଯାତନା ଘଟଣାରେ ସ୍ୱପ୍ନେଶ୍ୱର ନାୟକ ଓ ବୈକୁଣ୍ଠ ନାୟକଙ୍କ ସମ୍ପୃକ୍ତି ଅଛି। ଏଣୁ ସେମାନଙ୍କୁ ପୁଣି ଥରେ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରାଯାଇଛି। ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା କରାଯିବା ସହ ସେମାନଙ୍କ ପଲିଗ୍ରାଫ୍‌ ପରୀକ୍ଷା କରାଯିବ ଯଦି ତଦନ୍ତରେ ଅନ୍ୟ କୌଣସି ବ୍ୟକ୍ତି ସମ୍ପୃକ୍ତ ଥିବାର ପ୍ରମାଣ ମିଳିଲେ ସେମାନଙ୍କ ବିରୋଧରେ ଆଇନାନୁସାରେ ଦଣ୍ଡିତ କରାଯିବ।

ସମ୍ବନ୍ଧିତ ଖବର