ବାଲ୍‌ସାହିତ୍ୟ ପାଇଁ ମାନସ ଓ ଯୁବ ପୁରସ୍କାର ପାଇଁ ସଞ୍ଜୟ ମନୋନୀତ

କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍‌ସାହିତ୍ୟ ପୁରସ୍କାର ଓ ଯୁବ ପୁରସ୍କାର ଘୋଷିତ

ଭୁବନେଶ୍ବର: ୨୦୨୪ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରଦତ୍ତ ବାଲ୍ ସାହିତ୍ୟ ପୁରସ୍କାର ଓ ଯୁବ ପୁରସ୍କାର ଘୋଷଣା କରାଯାଇଛି। ବରିଷ୍ଠ ଶିଶୁ ସାହିତ୍ୟିକ ମାନସ ରଞ୍ଜନ ସାମଲ ବାଲ୍‌ସାହିତ୍ୟ ପୁରସ୍କାର ପାଇଁ ମନୋନୀତ ହୋଇଥିବାବେଳେ ଯୁବ କଥାକାର ସଞ୍ଜୟ କୁମାର ପଣ୍ଡା ଯୁବ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆଜି ଗୁଜରାଟର ନର୍ମଦା ଜିଲ୍ଲାରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟନିର୍ବାହୀ ବୈଠକରେ ଏହା ଘୋଷଣା କରାଯାଇଛି। ଶ୍ରୀ ସାମଲଙ୍କୁ ତାଙ୍କର ଶିଶୁ ଗଳ୍ପ ସଂକଳନ ‘ଗପ କଳିକା’ (୨୦୨୦ ପ୍ରକାଶିତ) ପାଇଁ ତଥା ଶ୍ରୀ ପଣ୍ଡାଙ୍କୁ ତାଙ୍କ ଗଳ୍ପ ସଂକଳନ ‘ହୁ ବାଇଆ’ (୨୦୨୧) ଏହି ସମ୍ମାନ ଆଣି ଦେଇଛି।

ଶିଶୁ ସାହିତ୍ୟିକ ମାନସ ରଞ୍ଜନ ସାମଲଙ୍କ ଜନ୍ମ ୧୯୫୬ ମସିହାରେ, ଯାଜପୁର ଜିଲ୍ଲାସ୍ଥ ବିଂଝାରପୁରର ସିଂହପୁରରେ। ୨୦ରୁ ଅଧିକ ମୌଳିକ ପୁସ୍ତକ ତଥା ୨୫୦ରୁ ଅଧିକ ଅନୁବାଦ ପୁସ୍ତକର ସ୍ରଷ୍ଟା ଶ୍ରୀ ସାମଲ ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ ଓଡ଼ିଆ ଭାଷା ପରାମର୍ଶଦାତା ମଣ୍ଡଳୀର ସଦସ୍ୟ ଅଛନ୍ତି। ସେ ଗତ ୩୭ବର୍ଷ ଧରି ଶିଶୁ ଓ କିଶୋର ସାହିତ୍ୟ ପତ୍ରିକା ‘ଝୁମୁକା’ର ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ଏଥିସହ ଓଡ଼ିଶା ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ‘ଆମ ସ୍କୁଲ’, ‘ପରିବର୍ତ୍ତନ’ ଓ ‘ସୁରଭି’ର ମଧ୍ୟ ସମ୍ପାଦନା କରିଛନ୍ତି। ପୂର୍ବରୁ ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ଏନ୍‌ସିଇଆର୍‌ଟି ଜାତୀୟ ପୁରସ୍କାର, ପ୍ରଜାତନ୍ତ୍ର ବିଷୁବ ମିଳନ ମୀନାବଜାର ପୁରସ୍କାର, ରାଜଧାନୀ ପୁସ୍ତକମେଳା ଓ ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର ଆଦି ଅନେକ ସମ୍ମାନ ପାଇଛନ୍ତି। ଶ୍ରୀ ସାମଲ ଅତୀତରେ ବିଭିନ୍ନ ଓଡ଼ିଆ ସମ୍ବାଦପତ୍ରରେ ମଧ୍ୟ କାମ କରିଛନ୍ତି। କେନ୍ଦ୍ର ସାହିତ୍ୟ ବାଲ୍‌ ସାହିତ୍ୟ ପୁରସ୍କାର ପାଇଁ ମନୋନୀତ ହେବାର ଖବର ଆସିବାପରେ ‘ସମ୍ବାଦ’କୁ ନିଜ ପ୍ରତିକ୍ରିୟାରେ ଶ୍ରୀ ସାମଲ କହିଛନ୍ତି, ‘‘ପୁରସ୍କାର ଯେକୌଣସି ଲେଖକ ପାଇଁ ଏକ ବଡ଼ ଉପଲବ୍‌ଧି। ଏହା ଲେଖକର ଆତ୍ମବିଶ୍ୱାସ ବଢ଼ାଇବା ସଙ୍ଗେ ସାଙ୍ଗେ ସ୍ରଷ୍ଟାଙ୍କୁ ନୂଆ ସୃଷ୍ଟି ପାଇଁ ପ୍ରୋତ୍ସାହନ ଦେଇଥାଏ ଓ ଅଧିକ ଦାୟିତ୍ୱସମ୍ପନ୍ନ କରିଥାଏ, ଯାହା ମୋ’ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ।’’ ନିଜ ଲେଖା ସଂପର୍କରେ ତାଙ୍କର ମତ ହେଉଛି, ‘‘ଯେକୌଣସି ଭାଷାର ସାହିତ୍ୟ ପାଇଁ ଶିଶୁସାହିତ୍ୟ ହେଉଛି ସଂଜୀବନୀ ସଦୃଶ। ପିଲାଙ୍କ ପାଇଁ ଲେଖିବା ହେଉଛି ମୋ ଜୀବନର ବଡ଼ ଉପଲବ୍ଧି।’’

ସେହିପରି ୧୯୯୦ ମସିହାରେ ଅବିଭକ୍ତ ବାଲେଶ୍ବର ଜିଲ୍ଲାର ରକ୍ତତୀର୍ଥ ଇରମରେ ଜନ୍ମିତ ଯୁବ କଥାକାର ସଞ୍ଜୟ କୁମାର ପଣ୍ଡା ସୋର, ନଦୀଗାଁରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକତା କରନ୍ତି। ପୁରସ୍କାର ପାଇଁ ମନୋନୀତ ଗଳ୍ପ ସଂକଳନ ‘ହୁ ବାଇଆ’ ସମେତ ତାଙ୍କର ଆଉ ଦୁଇଟି ଗଳ୍ପ ସଂକଳନ ଓ ଗୋଟିଏ କବିତା ସଂକଳନ ପ୍ରକାଶିତ। ପୂବର୍ରୁ ସେ ପାଇଥିବା ପ୍ରମୁଖ ସମ୍ମାନ ଓ ସ୍ୱୀକୃତି ଭିତ‌ରେ ରହିଛି କଥା ନବପ୍ରତିଭା ପୁରସ୍କାର, ଟାଇମ୍ ପାସ୍ ଉଦୟରାଗ ସମ୍ମାନ, କାଦମ୍ବିନୀ ନବଉନ୍ମେଷ ପୁରସ୍କାର, ହାଜୀ ଅସ୍ରଫ୍ ଅଲ୍ଲୀ ଉଦୟ ପ୍ରତିଭା ସମ୍ମାନ ଓ ଫକୀରମୋହନ ବିଶ୍ବବିଦ୍ୟାଳୟ ଯୁବ ଗାଳ୍ପିକ ପୁରସ୍କାର। ପୁରସ୍କାର ପାଇଁ ମନୋନୀତ ହେବାପରେ ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି, ‘‘ପୁରସ୍କାର ନ ପାଇଥିଲେ ମୋର ଲେଖନୀ ନିରବ ହୋଇନଥାନ୍ତା ଏକଥା ଯେମିତି ସତ, ପୁରସ୍କାର ପାଇଲା ପରେ ମୁଁ ବହୁତ ଖୁସି ଏକଥା ବି ସେମିତି ସତ। କିନ୍ତୁ ଏ ପୁରସ୍କାର ଯେତିକି ଦାୟିତ୍ୱ ମୁଣ୍ଡରେ ଲଦିଦିଏ, ସେତକ ବୋହି ନେଇ ଆଗକୁ ଚାଲିପାରିବି ତ!’’ ‘ହୁ ବାଇଆ’ ସଂପର୍କରେ ଶ୍ରୀ ପଣ୍ଡା କହିଛନ୍ତି, ‘‘ଶୀର୍ଷକ ଗପକୁ ମିଶାଇ ଏଥିରେ ମୋଟ୍‌ ୧୦ଟି ଗଳ୍ପ ଅଛି। ଏହା ମୋର ପ୍ରଥମ ଗଳ୍ପ ସଂକଳନ। ଏଥିରେ ଥିବା ପ୍ରତ୍ୟେକ ଗଳ୍ପର କଥାବସ୍ତୁ ଭିନ୍ନ। ଅଧିକାଂଶ ଗଳ୍ପରେ ପ୍ରେମ ପ୍ରଚ୍ଛନ୍ନ ଭାବେ ଥାଇ ସମାଜର ନିମ୍ନବର୍ଗ ତଥା ଅବହେଳିତଙ୍କ କଥା ଅଧିକ ମାତ୍ରାରେ ରହିଛି। ଅଛି ମଧ୍ୟ ସଂପର୍କର ଉଠାଣ-ପକାଣ। ସତ ଜୀବନରେ ଯେଉଁ ସ୍ଥିତିକୁ ମୁଁ ସାମ୍ନା କରିଛି, ମୋ’ଗପରେ ସେସବୁ ଅଛି। ନିହାତି ଗରିବ ପରିବାରରେ ଜନ୍ମହୋଇ ଯେଉଁ ସଂଘର୍ଷସବୁ ଏ ଦେହ ସହିଛି, ସେସବୁର ପ୍ରତିଫଳନ ରହିଛି ଗପରେ।’’

ସମ୍ବନ୍ଧିତ ଖବର