ନବୀନ ଓଡ଼ିଶାର ଅପରାଜେୟ ଓ ଅପ୍ରତିଦ୍ବନ୍ଦ୍ବୀ ନେତା

ମାନସ ମଙ୍ଗରାଜ

ଓଡ଼ିଶାର ଅପ୍ରତିଦ୍ବନ୍ଦ୍ବୀ, ଅପରାଜେୟ ଓ ଅକଳଙ୍କ ନେତା ଭାବେ ନବୀନ ପଟ୍ଟନାୟକ ଗତ ୨୧ ବର୍ଷ ଧରି ରାଜ୍ୟ ରାଜନୀତିକୁ ପ୍ରଭାବିତ କରି ରଖିଛନ୍ତି। ଓଡ଼ିଶା ରାଜନୀତିର ଏହି ଲୋକପ୍ରିୟ ଓ ଧୂରୀଣ ଜନନେତା ବୁଧବାର ୭୪ ବର୍ଷ ବୟସରେ ପାଦଦେବେ। କ୍ରମାଗତ ଭାବେ ୫ ଥର କ୍ଷମତାରେ ରହିବି ଦୁର୍ନୀତି, ପ୍ରୀୟାପ୍ରୀତି, ପାତରଅନ୍ତର ଭଳି ଶବ୍ଦର କଳା ଛାଇ ତାଙ୍କୁ ଛୁଇଁ ପାରିନି। ରାଜନୀତିରେ ସେ ଯେତିକି ଲୋକପ୍ରିୟ ହେଉଛନ୍ତି, ଲୋକଙ୍କ ପ୍ରତି ଭଲପାଇବା ଏବଂ ସାଧାରଣ ଲୋକଙ୍କ ପ୍ରତି ସେବା ମନୋବୃତ୍ତି ସେତିକି ଦୃଢ ହେଉଛି।

୧୯୯୭ ମସିହାରେ ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ବିଜେଡି ଗଠନ ହେବା ସମୟରେ ନବୀନଙ୍କର ଯେଉଁଭଳି ଭାବରେ ସାଧାରଣ ଜୀବନଯାପନ ଶୈଳୀ ଥିଲା ଆଜି ବି ସେଇଆ। ଧଳା କୂର୍ତ୍ତା ପାଇଜାମା ଓ ହାୱାଇ କିମ୍ବା କୋହ୍ଲାପୁରୀ ଚପଲ। ଏହାହିଁ ନବୀନଙ୍କ ଭାବମୂର୍ତ୍ତିର ସବୁଠାରୁ ବଡ଼ ପରିଚୟ। ଘର ହେଉ କିମ୍ବା ଅଫିସ୍ ସବୁଠି ସେହି ଗୋଟିଏ ପ୍ରକାରର ପରିଧାନ ଏବଂ ଆସବାବପତ୍ର ବି ସାଧାରଣ ବ୍ୟକ୍ତିଙ୍କ ଭଳି। ଖାସ ସେଇଥିପାଇଁ ସେ ଓଡିଶାବାସୀଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ଓ ସାଧାରଣ ଜନତା ପାଇଁ ସେ ସମର୍ପିତ। ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ଆବର୍ତ୍ତମାନରେ ଓଡ଼ିଶା ରାଜନୀତିରେ ପାଦ ଥାପିଥିବା ନବୀନ ଯେ ଦିନେ ରାଜ୍ୟ ରାଜନୀତିରେ ନୂଆ ଇତିହାସ ସୃଷ୍ଟି କରିବେ ଏବଂ କେନ୍ଦ୍ରୀୟ ରାଜନୀତିରେ ସମାନ ଭାବେ ନିଜର ଦବଦବା ରଖିବେ ଏକଥାକୁ ସେ ସମୟର ଚର୍ଚ୍ଚିତ ଓ ଅନୁଭବୀ ନେତାମାନେ କେବେ ବି ଚିନ୍ତା କରିନଥିଲେ। ବରଂ ନବୀନ ବିଜେଡିର ମଙ୍ଗ ଧରିବା ସମୟରେ କୁହାଯାଉଥିଲା ଯେ, ସେ ଖୁବ କମ୍ ଦିନରେ ଓଡିଶା ଛାଡି ଚାଲିଯିବେ। ସ୍ବଚ୍ଛ ଏବଂ ଦୃଢ ପ୍ରଶାସନର ନାରା ଦେଇ ନବୀନ ୧୯୯୮ ଓ ୧୯୯୯ରେ ଦୁଇ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହେବା ସହ ତତ୍କାଳୀନ ଏନଡିଏ ସରକାରରେ କେନ୍ଦ୍ର ଖଣି ଓ ଇସ୍ପାତ୍ ମନ୍ତ୍ରୀ ମଧ୍ୟ ହୋଇଥିଲେ। ୨୦୦୦ ମସିହାରେ ସାଧାରଣ ନିର୍ବାଚନରେ ପାଦ ଥାପିବା ପରେ ଆଉ ପଛକୁ ଫେରି ନାହାଁନ୍ତି। କ୍ରମାଗତ ଭାବେ ପାଞ୍ଚଟି ସାଧାରଣ ନିର୍ବାଚନ, ୪ଟି ପଞ୍ଚାୟତ ନିର୍ବାଚନ ଓ ୩ଟି ପୌର ନିର୍ବାଚନକୁ ଏକପାଖିଆ ଭାବେ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି ଦଖଲ କରିଛି।

ପ୍ରତି ନିର୍ବାଚନରେ ବିଜେଡିର ଭୋଟ ହାର୍ ବଢିଛି ସିନା ବିଜେଡି କିମ୍ବା ନବୀନ ପଟ୍ଟନାୟକଙ୍କ ପ୍ରତି ଜନସମର୍ଥନ ଓ ଭଲ ପାଇବା କମିନାହିଁ। ରାଜ୍ୟ ଶାସନର ଏହି ୧୯ ବର୍ଷର ଲମ୍ବା ସମୟ ମଧ୍ୟରେ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛତା ଉପରେ କଳାଦାଗ ଲଗାଇବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ସକ୍ଷମ ହୋଇନାହାଁନ୍ତି। ଏପରିକି ବିରୋଧୀଙ୍କ କୌଣସି ଗୋଟିଏ ହେଲେ ଆକ୍ଷେପ ଭୋଟରଙ୍କ ଆସ୍ଥା, ବିଶ୍ବାସ ଓ ଭରସାକୁ ଦୋହଲାଇ ପାରିନାହିଁ। ବିରୋଧୀ ଯେତିକି ଅପପ୍ରଚାର କରୁଛନ୍ତି ନବୀନ ସେତିକି ସଫଳତାର ସିଡ଼ି ଚଢୁଛନ୍ତି। ୧୯୯୮ ମସିହାରେ ହୋଇଥିବା ବିଜେପି ସହ ମେଣ୍ଟକୁ ଭାଙ୍ଗି ୨୦୦୯ରେ ନବୀନ ଏକାକୀ ମଇଦାନକୁ ଓହ୍ଲାଇଥିଲେ। ସେ ସମୟରେ ରାଜନୈତିକ ପଣ୍ଡିତଙ୍କ ସବୁ ଗଣିତକୁ ଭୁଲ୍ ପ୍ରମାଣିତ କରି ନବୀନ ୧୦୩ ବିଧାନସଭା ଆସନ ଦଖଲ କଲେ। ୨୦୧୪ରେ ୧୧୭ ଆସନ ଦଖଲ କଲା ବିଜେଡି। ୨୦୧୯ରେ ବିରୋଧୀଙ୍କ ଯାବତୀୟ ପ୍ରୟାସ ସତ୍ତ୍ବେ ବିଜେଡିକୁ ୧୧୨ ବିଧାନସଭା ଆସନରୁ ଜିତାଇ ପଞ୍ଚମ ଥର ପାଇଁ ନବୀନଙ୍କ ହାତରେ କ୍ଷମତା ଧରାଇଲେ ରାଜ୍ୟବାସୀ। ଗାନ୍ଧୀବାଦୀ ଆଦର୍ଶରେ ଅନୁପ୍ରାଣିତ ନବୀନଙ୍କ ମତରେ କ୍ଷମତା ଓ ପଦପଦବି ସାଧାରଣ ଲୋକଙ୍କ ସେବା ପାଇଁ। ଏହା ଲୋକଙ୍କ ଜୀବନ ଧାରଣର ମାନ ପରିବର୍ତ୍ତନ ପାଇଁ। ଲୋକଙ୍କୁ ଭଲ ପାଇଲେ ଆପଣଙ୍କୁ ନିର୍ବାଚନ ଲଢ଼ିବାର ଆବଶ୍ୟକତା ନାହିଁ। ଏକ ସମୟରେ ଓଡିଶା ବିଶ୍ବରେ ଅନାହାର, ଦାରିଦ୍ର୍ୟ ଓ ଭୋକ ପାଇଁ ଜଣାଯାଉଥିଲା। ଏବେ କିନ୍ତୁ ଓଡିଶା ଦେଶରେ ଦ୍ରୁତ ଓ ବିକାଶଶୀଳ ରାଜ୍ୟର ମାନ୍ୟତା ପାଇଛି। ନବୀନଙ୍କ ୫-ଟି ଫର୍ମୁଲା, ମୋ ସରକାର ଏବଂ ଏକାଧିକ ଜନକଲ୍ୟାଣକାରୀ ଯୋଜନା ସରକାରଙ୍କୁ ଲୋକଙ୍କ ହୃଦୟ ଜିତିଛି।
– ଗଣମାଧ୍ୟମ ପରାମର୍ଶଦାତା, ଓଡ଼ିଶା ସରକାର

ସମ୍ବନ୍ଧିତ ଖବର