ଓଡ଼ିଶା ସରକାରଙ୍କ ଗଣମାଧ୍ୟମ ଓ ଲୋକସଂପର୍କ ଉପଦେଷ୍ଟା ଭାବେ ନିଯୁକ୍ତି ପାଇଲେ ମାନସ ମଙ୍ଗରାଜ

ଭୁବନେଶ୍ୱର: ବିଜେଡି ନେତା ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ ମିଳିଛି। ରାଜ୍ୟ ସରକାରଙ୍କ ଉପଦେଷ୍ଟା (ଗଣମାଧ୍ୟମ ଏବଂ ଲୋକସଂପର୍କ) ଭାବେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟିତ୍ୱ ଦେଇଛନ୍ତି। ପଞ୍ଚମ ପାଳିରେ ବିଜୁ ଜନତା ଦଳ ସରକାରକୁ ଆସିବା ପରେ ଅନେକ ଲୋକହିତକାରୀ ପଦକ୍ଷେପ  ଗ୍ରହଣ କରୁଛି। ଆଉ ଏହାର ଯଥେଷ୍ଟ ପ୍ରଚାର ପ୍ରସାର ତଥା ସରକାରକୁ ଆହୁରି ଲୋକାଭିମୁଖୀ କରିବାର ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଇଛି।

ଏହି ଦାୟିତ୍ୱ ପାଇବା ପରେ ନିଜ ପ୍ରତିକ୍ରିୟାରେ ମାନସ ମଙ୍ଗରାଜ କହିଛନ୍ତି, ଅତୀତରେ ମୁଁ ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟ କରୁଥିଲି। ଆଉ ଏବେ ସେହି ସଂପର୍କିତ ଦାୟିତ୍ୱ ମିଳିଥିବାରୁ ଏହା ମୋ ପାଇଁ ଗୈାରବର କଥା। ଏହି ଦାୟିତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଉଛି। ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା, ବିଶ୍ୱାସକୁ ବଜାୟ ରଖି ଆଗାମୀ ଦିନରେ କାର୍ଯ୍ୟ କରିବା ସହ ସାମ୍ବାଦିକଙ୍କ ସମସ୍ୟା ଓ ଗଣମଧ୍ୟମର ସମସ୍ୟା ଦୂର କରିବା ଦିଗରେ ଅଧିକ ଗୁରୁତ୍ବ ଦେବି ବୋଲି ନିଜ ପ୍ରାଥମିକ ପ୍ରତିକ୍ରିୟାରେ ସେ କହିଛନ୍ତି ।

ଗତ ୨୦୧୯ ନିର୍ବାଚନ ସମୟରେ ମାନସ ମଙ୍ଗରାଜଙ୍କୁ ବିଜୁ ଜନତା ଦଳର ମିଡିଆ ବ୍ୟାପାର ସାଧାରଣ ସଂପାଦକ ଦାୟିତ୍ୱ ମିଳିଥିଲା। ମାନସ ନିର୍ବାଚନ ସମୟରେ ଏହି ଭୂମିକାକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ।

ସମ୍ବନ୍ଧିତ ଖବର