ବାଇ-ଲ ପ୍ରସଙ୍ଗରେ ସାଂସଦ ଅପରାଜିତାଙ୍କୁ ଜବାବ ଦେଲେ ମାନସ ମଙ୍ଗରାଜ; କହିଲେ; ମିଥ୍ୟା ତଥ୍ୟ ଦ୍ୱାରା ଓଡ଼ିଶା ଲୋକଙ୍କୁ ବୋକା ବନାନ୍ତୁ ନାହିଁ

ଭୁବନେଶ୍ବର: ବାଇ-ଲ ପ୍ରସଙ୍ଗକୁ ନେଇ ବିବାଦ ଥମି ନଥିବା ବେଳେ ଏହାକୁ ନେଇ ବକ୍ତବ୍ୟ ରଖିଛନ୍ତି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ । ସିଧାସଳଖ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଜବାବ ଦେଇ ସେ କହିଛନ୍ତି, ମୁଁ ନିଜେ ଜଣେ ଆଇଏଏସ ଅଫିସର ନୁହେଁ ଏବଂ ମୁଁ କୌଣସି ଗବେଷଣା କରିନାହିଁ । କିନ୍ତୁ ମୁଁ ଜାଣିଛି ଭାରତ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ କୋଲକାତାଠାରେ ଥିବା ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ହେଉଛନ୍ତି ଐତିହ୍ୟ ବାଇ-ଲ ଚିଠା ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ ।

ଏଥିସହିତ ତାଙ୍କର ବକ୍ତବ୍ୟକୁ ଯେଭଳି ଭୁଲ ଭାବେ ଦର୍ଶାଯାଇଛି ତାହା ତାଙ୍କୁ ବ୍ୟଥିତ କରିଛି ବୋଲି କହିଛନ୍ତି ମାନସ ମଙ୍ଗରାଜ। ସେ ନିର୍ଦ୍ଦିଷ୍ଟ ଭାବେ ଦର୍ଶାଇଥିଲେ ଯେ, କୋଲକାତାଠାରେ ଥିବା ଏଏସଆଇର ଆଞ୍ଚଳିକ ନିର୍ଦ୍ଦେଶକ ହେଉଛନ୍ତି ଚିଠା ଐତିହ୍ୟ ବାଇ-ଲ ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ, ଯାହାକି ବର୍ତ୍ତମାନ ପ୍ରଶ୍ନବାଚୀ । ଏଥିସହିତ ସଂସ୍କୃତି ନିର୍ଦ୍ଦେଶକ ବାଇ-ଲ ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ ନୁହନ୍ତି । କୋଲକାତାଠାରେ ଥିବା ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ଓଡ଼ିଶାର ମନ୍ଦିର ପାଇଁ ଐତିହ୍ୟ ବାଇ-ଲ ପ୍ରସ୍ତାବ ପଠାଇଛନ୍ତି ବୋଲି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ବକ୍ତବ୍ୟ ଦେଇଛନ୍ତି ।

ଅନ୍ୟପଟେ ସାଂସଦ ଅପରାଜିତା ଷଡଙ୍ଗୀ ଓଡିଶାର ସଂସ୍କୃତି ବିଷୟରେ ଅବଗତ ନାହାନ୍ତି । ତେଣୁ ଧାର୍ମିକ ଭାବନା ସହିତ ଜଡିତ ବିଗ୍ରହ, ସେବାୟତ ଓ ଭକ୍ତଙ୍କର ଯେଉଁ ସମ୍ପର୍କ ରହିଛି ତାହା ତାଙ୍କୁ ବୁଝିବା କଷ୍ଟକର ବୋଲି ସେ କହିଛନ୍ତି । ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବୋଧହୁଏ ଏହି ପ୍ରସଙ୍ଗକୁ ବୁଝିପାରିଛନ୍ତି।

ଏହାସହ ସାଂସଦ ଅପରାଜିତା ଦୀର୍ଘ ଦିନ ଧରି ପ୍ରଶାସନିକ ଅଧିକାରୀ ଭାବେ କାମ କରିଛନ୍ତି । ହେଲେ ସେ ଆମର ଆଇନକୁ ଠିକ ଭାବେ ପଢିନାହାନ୍ତି କିମ୍ବା ଜାଣିଶୁଣି ମନଗଢା କଥା କହୁଛନ୍ତି ବୋଲି ମାନସ ମଙ୍ଗରାଜ କହିଛନ୍ତି । ତେଣୁ ସବୁଠାରୁ ଭଲ ହେବ ସେ ଆମର ଆଇନକୁ ପଢ଼ି ପ୍ରଶ୍ନର ଉତ୍ତର ଦିଅନ୍ତୁ ଏବଂ ମିଥ୍ୟା ତଥ୍ୟ ଉପସ୍ଥାପନ କରି ଓଡିଆ ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର